ଭାରତୀୟ ଜ୍ଞାନ ବ୍ୟବସ୍ଥାରେ, ବିଜ୍ଞାନଠାରୁ ଆରମ୍ଭକରି ରନ୍ଧନ ପ୍ରଣାଳୀ, ସାହିତ୍ୟରୁ ଶାସନ, ରୀତିନୀତିରୁ ରାଜନୀତି ପର୍ଯ୍ୟନ୍ତ, ସଂଖ୍ୟା ପାଞ୍ଚର ଆବୃତ୍ତି ଏକ ସାଂସ୍କୃତିକ ସଂଯୋଗ ନୁହେଁ, ବରଂ ଏକ ବୈଜ୍ଞାନିକ ଏବଂ ମନସ୍ତାତ୍ତ୍ୱିକ ସ୍ଥିରତା । ଏହା ଜୈବିକ ଇନ୍ଦ୍ରିୟ, ପରିବେଶଗତ ଉପାଦାନ, ଜ୍ଞାନାତ୍ମକ ପ୍ରକ୍ରିୟାକରଣ, ଗୋଷ୍ଠୀ ଗତିଶୀଳତା ଏବଂ ଏପରିକି ଯୋଜନାର ଚକ୍ର ସହିତ ମେଳ ଖାଏ ।

ଭାରତୀୟ ଜ୍ଞାନବ୍ୟବସ୍ଥାରେ, ଦୈନନ୍ଦିନ ଅଭ୍ୟାସ, ଦର୍ଶନ ଏବଂ ସଂସ୍କୃତିରେ ସଂଖ୍ୟା ଏକ ଗୁରୁତ୍ୱ ସ୍ଥାନ ବହନ କରନ୍ତି । ସାମାନ୍ୟ ଲାଗୁଥିବା ସଂଖ୍ୟା ୧, ୨, ୩, ୪, ୫ ଭାରତୀୟ ପରମ୍ପରାରେ କେବଳ ଏକ ପରିମାଣ ନୁହେଁ, ବରଂ ଏହା ମହାଜାଗତିକ କ୍ରମର ପ୍ରତୀକ ଏବଂ ବ୍ରହ୍ମାଣ୍ଡକୁ ବୁଝିବାର ଏକ ନିଆରା ଢାଞ୍ଚା । ସଂଖ୍ୟା ମଧ୍ୟରୁ ସଂଖ୍ୟା-୫(ପଞ୍ଚ) ହେଉଛି ଦର୍ଶନ, ସାହିତ୍ୟ, ରାଜନୀତି, ଆଧ୍ୟାତ୍ମିକତା, ପରିବେଶ ଏବଂ ଆଧୁନିକ ଶାସନର ପୁନରାବୃତ୍ତି । "ପାଞ୍ଚ ଆଙ୍ଗୁଳି, ପଞ୍ଚେନ୍ଦ୍ରିୟ' ଏବଂ "ପଞ୍ଚତତ୍ତ୍ୱ' ଠାରୁ ଆରମ୍ଭକରି "ପଞ୍ଚଫୁଟଣ, ପଞ୍ଚୁପାଣ୍ଡବ, ପଞ୍ଚସଖା' ଏବଂ "ପଞ୍ଚାୟତ' ପର୍ଯ୍ୟନ୍ତ ସଂଖ୍ୟା ପାଞ୍ଚ ଭାରତୀୟ ଜ୍ଞାନବ୍ୟବସ୍ଥାରେ ଆବହମାନ କାଳରୁ ବିଦ୍ୟମାନ । ଏପରିକି ରାମାୟଣରେ ବର୍ଣ୍ଣିତ ‘ପଞ୍ଚବଟୀ'- ସନ୍ତୁଳନ, ପରିବେଶ ଏବଂ ଆଧ୍ୟାତ୍ମିକତା ସହିତ ଜଡ଼ିତ । ଭାରତୀୟ ଜ୍ଞାନବ୍ୟବସ୍ଥାରେ ସଂଖ୍ୟା ପାଞ୍ଚର ଉଲ୍ଲେଖ ଏକ ଗଭୀର ଜ୍ଞାନାତ୍ମକ ଏବଂ ସାମାଜିକ-ରାଜନୈତିକ ଅନ୍ତର୍ଦୃଷ୍ଟିକୁ ପ୍ରତିଫଳିତ କରେ । ଭାରତୀୟ ପରମ୍ପରାରେ ସଂଖ୍ୟା ପାଞ୍ଚ, ଏକତା ଏବଂ ବିବିଧତା, ସରଳତା ଏବଂ ଜଟିଳତା, ବ୍ୟକ୍ତିତ୍ୱ ଏବଂ ସାମୂହିକତା ମଧ୍ୟରେ ଏକ ବ୍ୟାପକ ସନ୍ତୁଳନକୁ ପ୍ରତିନିଧିତ୍ୱ କରେ ।

ସଂଖ୍ୟା ପାଞ୍ଚର ସୁନ୍ଦର ନମୁନା, ଯାହା ସମ୍ପୂର୍ଣ୍ଣତା ଏବଂ ସନ୍ତୁଳନରେ ନିହିତ ପାଞ୍ଚର ଶକ୍ତି ବ୍ୟାଖ୍ୟା କରେ ତାହା ହେଉଛି ଆମ ହାତରେ ଥିବା "ପାଞ୍ଚଟି' ଆଙ୍ଗୁଳି । ପ୍ରତ୍ୟେକ ଆଙ୍ଗୁଠି ଆକାର, ଶକ୍ତି ଏବଂ ଭୂମିକାରେ ସ୍ୱତନ୍ତ୍ର । ଗୋଟିଏ ଗୋଟିଏ ଆଙ୍ଗୁଠିର ସୀମିତ ଶକ୍ତି, କିନ୍ତୁ ଏକାଠି ସେମାନେ ଗୋଟିଏ ମୁଠାର ସମ୍ପୂର୍ଣ୍ଣ ଶକ୍ତି ସୃଷ୍ଟି କରନ୍ତି । ବିବିଧତାରେ ଏହି ଏକତା ଭାରତୀୟ ଜ୍ଞାନ ପ୍ରଣାଳୀରେ ସଂଖ୍ୟା ପାଞ୍ଚର ଗଭୀର ଗୁରୁତ୍ୱକୁ ପ୍ରତିଫଳିତ କରେ । ପାଞ୍ଚ ଆଙ୍ଗୁଳିର ସହଯୋଗ ଦ୍ୱାରା ହାତ ଯେପରି ଏହାର ଉଦ୍ଦେଶ୍ୟ ହାସଲ କରେ, ମଣିଷ ଶରୀର ସେହିପରି ନିଜର "ପଞ୍ଚେନ୍ଦ୍ରିୟ' ସାହାଯ୍ୟରେ ବାସ୍ତବତା ଅନୁଭବ କରେ । ଭାରତୀୟ ଦାର୍ଶନିକମାନେ ପଞ୍ଚେନ୍ଦ୍ରିୟକୁ ଜ୍ଞାନର ପ୍ରବେଶ ଦ୍ୱାର ଭାବେ ଦେଖନ୍ତି । ପ୍ରତ୍ୟେକ ଇନ୍ଦ୍ରିୟ ଦୃଷ୍ଟି, ଶ୍ରବଣ, ଗନ୍ଧ, ସ୍ୱାଦ ଏବଂ ସ୍ପର୍ଶ ଏକ ପ୍ରାକୃତିକ ଉପାଦାନ ସହିତ ଜଡ଼ିତ ଯେପରି ଅଗ୍ନିକୁ ଦେଖିବା, ମହାକାଶକୁ ଶୁଣିବା, ପୃଥିବୀକୁ ଘ୍ରାଣ କରିବା, ଜଳକୁ ସ୍ୱାଦ ଏବଂ ବାୟୁକୁ ସ୍ପର୍ଶ କରିବା । ସେହିଭଳି "ପଞ୍ଚତତ୍ତ୍ୱ' (ପାଞ୍ଚଟି ଉପାଦାନ- ପୃଥିବୀ, ଜଳ, ଅଗ୍ନି, ବାୟୁ, ମହାକାଶ) ଗଭୀର ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଢାଞ୍ଚା ମଧ୍ୟରୁ ଗୋଟିଏ । ସେଗୁଡ଼ିକ କେବଳ ଭୌତିକ ଅସ୍ତିତ୍ୱକୁ ପ୍ରତିନିଧିତ୍ୱ କରନ୍ତି ନାହିଁ, ବରଂ ଶକ୍ତିଶାଳୀ ନୀତିଗୁଡ଼ିକୁ ମଧ୍ୟ ପ୍ରତିନିଧିତ୍ୱ କରନ୍ତି, ଯେପରି ଦୃଢ଼ତା, ପରିବର୍ତ୍ତନ, ଗତି, ନମନୀୟତା ଏବଂ ସ୍ଥାନିକତା । ପଞ୍ଚତତ୍ତ୍ୱ ଏହିପରି ଏକ ସାମଗ୍ରିକ ବ୍ରହ୍ମାଣ୍ଡ ବିଜ୍ଞାନକୁ ପ୍ରକାଶ କରେ, ଯେଉଁଠାରେ ବ୍ରହ୍ମାଣ୍ଡକୁ ସନ୍ତୁଳିତ, ପରସ୍ପର ନିର୍ଭରଶୀଳ ଏବଂ ସମନ୍ୱିତ ଭାବରେ ଦେଖାଯାଇଥାଏ । ସେହିପରି ଭାରତୀୟ ସଙ୍ଗୀତରେ "ପଞ୍ଚମ ସୁର' (ସପ୍ତସ୍ୱର ସ୍କେଲ୍‌ର ପଞ୍ଚମ ସ୍ୱର- ସା ରେ ଗା ମା ପା ଧା ନି) ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ । ଏହାକୁ ସଙ୍ଗୀତର ସନ୍ତୁଳନର କେନ୍ଦ୍ରବିନ୍ଦୁ ଭାବରେ ବିବେଚନା କରାଯାଏ, ଯାହାକୁ ପ୍ରାୟତଃ ସ୍ୱରର ରାଜା କୁହାଯାଏ । ଯେପରି ପାଞ୍ଚଟି ଇନ୍ଦ୍ରିୟ ମାନବ ପ୍ରତ୍ୟକ୍ଷଣକୁ ଗଠନ କରେ ଏବଂ ପାଞ୍ଚଟି ଉପାଦାନ ବ୍ରହ୍ମାଣ୍ଡକୁ ଗଠନ କରେ, ପଞ୍ଚମ ସୁର ସଂଗୀତକୁ ଗଠନ କରେ । ଭାରତର ମୌଖିକ ପରମ୍ପରାରେ ସଙ୍ଗୀତ କେବଳ ମନୋରଞ୍ଜନ ନୁହେଁ ବରଂ ଜ୍ଞାନ(ନାଦ-ବ୍ରାହ୍ମଣ)ର ଏକ ମାର୍ଗ, ଯେଉଁଠାରେ ସଂଖ୍ୟା ପାଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।

ଭାରତୀୟ ରନ୍ଧନ, ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟରେ ମଧ୍ୟ ସଂଖ୍ୟା ପାଞ୍ଚର ଗୁରୁତ୍ୱ ଅନ୍ତର୍ଭୁକ୍ତ । ତାହାର ଉଦାହରଣ ମିଳିଯିବ, ଯଦି ଆପଣ ବିନା ଛୁଙ୍କଦିଆ ଡାଲମା, କାଞ୍ଜି, ଡାଲି, ସନ୍ତୁଳା ବା ଅନ୍ୟାନ୍ୟ ଖାଦ୍ୟ ଖାଇବେ । ତାହା ନିଶ୍ଚିତ ଆପଣଙ୍କ ପାଟିକୁ ଫିକା ଲାଗିବ । କିନ୍ତୁ ସେଇ ସମାନ ବ୍ୟଞ୍ଜନ ସୁସ୍ୱାଦୁ ହୋଇଯିବ ଯଦି ସେଥିରେ ଲାଗିଯିବ "ପଞ୍ଚଫୁଟଣ'ର ଛୁଙ୍କ । ପଞ୍ଚଫୁଟଣ (ଜିରା, ସୋରିଷ, ମେଥି, କଳାଜିରା, ପାନମଧୁରୀର ମିଶ୍ରଣ) କେବଳ ଏକ ସ୍ୱାଦ କିମ୍ବା ରନ୍ଧନ ପରମ୍ପରା ନୁହେଁ, ବରଂ ପୁଷ୍ଟିକର ବିଜ୍ଞାନର ଏକ ସମାବେଶ । ପଞ୍ଚଫୁଟଣରେ ଥିବା ପ୍ରତ୍ୟେକ ଦ୍ରବ୍ୟ ସ୍ୱତନ୍ତ୍ର ଜୈବସକ୍ରିୟ ଗୁଣ ପ୍ରଦାନ କରିଥାଏ । ପାଚନରେ ସାହାଯ୍ୟ କରିବାଠାରୁ ଆରମ୍ଭକରି ମେଟାବୋଲିଜିମ୍‌ ନିୟନ୍ତ୍ରଣ କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରିବା ପର୍ଯ୍ୟନ୍ତ ସବୁ ଗୁଣରେ ପଞ୍ଚଫୁଟଣ ସଂଖ୍ୟା ପାଞ୍ଚର କରାମତି ଦେଖାଇଥାଏ । ସେହିପରି, ଭାରତୀୟ ପୂଜାପାଠ ଓ ବୈଦିକ ରୀତିନୀତିରେ ଅର୍ପଣ କରାଯାଉଥିବା "ପଞ୍ଚାମୃତ’ (କ୍ଷୀର, ଦହି, ଘିଅ, ମହୁ, ଗୁଡ଼) ଉଭୟ ଆଧ୍ୟାତ୍ମିକ ଏବଂ ଶାରୀରିକ ପୁଷ୍ଟିର ପ୍ରତୀକ । ପୁଷ୍ଟିକର ଭାବରେ ଏହା ପ୍ରୋଟିନ୍‌, ପ୍ରୋବାୟୋଟିକ୍ସ, ସୁସ୍ଥ ଚର୍ବି ଏବଂ ପ୍ରାକୃତିକ ଶର୍କରା ପ୍ରଦାନ କରେ ଓ ପ୍ରତୀକାତ୍ମକ ଭାବରେ ଏହା ଶୁଦ୍ଧତା, ଜୀବନ୍ତତା, ମିଠା ଏବଂ ରୂପାନ୍ତରଣକୁ ପ୍ରତିନିଧିତ୍ୱ କରେ । ପଞ୍ଚାମୃତରେ ସଂଖ୍ୟା ପାଞ୍ଚର ଉଲ୍ଲେଖ ଏହା ନିଶ୍ଚିତ କରେ ଯେ, ପୋଷଣର କୌଣସି ବି ଦିଗ, ସେ ଭୌତିକ ହେଉ ବା ଆଧ୍ୟାତ୍ମିକ ହେଉ, ଯେମିତି ଅସମ୍ପୂର୍ଣ୍ଣ ନରୁହେ । ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସମର୍ଥିତ "ପଞ୍ଚାୟତନ' ପୂଜା, ପାଞ୍ଚ ଦେବତା- ଶିବ, ବିଷ୍ଣୁ, ଦେବୀ, ସୂର୍ଯ୍ୟ ଏବଂ ଗଣେଶଙ୍କୁ ସ୍ୱୀକୃତି ଦେଇଥାଏ³ ଯାହା ଦର୍ଶାଏ ଯେ ଭକ୍ତ ଭଗବାନଙ୍କୁ ଏକାଧିକ ରୂପରେ ପାଇଥାଏ । ସେହିପରି "ପଞ୍ଚାକ୍ଷରୀ ମନ୍ତ୍ର' (ନମଃ ଶିବାୟ) ପାଞ୍ଚଟି ଶବ୍ଦାଂଶରେ ମହାଜାଗତିକତାକୁ ସୂଚିତ କରେ । ସେହିପରି ବିଶ୍ୱାସ କରାଯାଏ ଯେ, ପଞ୍ଚମୁଖୀ ହନୁମାନଙ୍କ ପ୍ରତ୍ୟେକଟି ମୁଖ ଏକ ଶକ୍ତିଶାଳୀ ଦେବତାଙ୍କୁ ପ୍ରତିନିଧିତ୍ୱ କରେ ଏବଂ ବାଧା ଦୂର କରେ, ମାର୍ଗଦର୍ଶନ କରେ, ଆଶୀର୍ବାଦ ଓ ସୁରକ୍ଷା ପ୍ରଦାନ କରେ ।

ସମୟର ଗଣନା ‘ପଞ୍ଚାଙ୍ଗ' (ତିଥି, ବାର, ନକ୍ଷତ୍ର, ଯୋଗ, କରଣ) ବ୍ରହ୍ମାଣ୍ଡର ଅସୀମ ଜଟିଳତାକୁ ବୁଝିବାକୁ ମାନବତାର ଆବଶ୍ୟକତାକୁ ପ୍ରତିଫଳିତ କରେ । ‘ପଞ୍ଚାଙ୍ଗ ସାହାଯ୍ୟରେ ପ୍ରାଚୀନ ଭାରତୀୟ ଜ୍ୟାତିର୍ବିଜ୍ଞାନୀମାନେ ସ୍ୱର୍ଗୀୟ ବିଶାଳତାକୁ ଦୈନନ୍ଦିନ ଜୀବନରେ ବୋଧଗମ୍ୟ ଏବଂ ବ୍ୟବହାରଯୋଗ୍ୟ କରିଥିଲେ । ବେଦାନ୍ତରେ "ପଞ୍ଚକୋଶ' (ଅସ୍ତିତ୍ୱର ପାଞ୍ଚଟି କୋଷ)ର ମତବାଦ ମନୁଷ୍ୟକୁ ଶାରୀରିକ, ଜୀବନ୍ତ, ମାନସିକ, ବୌଦ୍ଧିକ ଏବଂ ଆନନ୍ଦପୂର୍ଣ୍ଣ ସ୍ତରରେ ସ୍ତରିତ କରେ । ଏହି ଢାଞ୍ଚା ବା ସ୍ତର ମାନସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏହା ମାନବ ଜୀବନର ବହୁମାତ୍ରିକତାକୁ ସ୍ୱୀକାର କରି ଏହା ପ୍ରକାଶ କରେ ଯେ ସମ୍ପୂର୍ଣ୍ଣତା କୌଣସି ଗୋଟିଏ ସ୍ତରଦ୍ୱାରା ସମ୍ଭବ ନୁହେଁ, ବରଂ ପାଞ୍ଚଟି ସ୍ତରର ଏକୀକରଣ ନିହିତ । ସେହିପରି ବୌଦ୍ଧ ଧର୍ମରେ ଉଲ୍ଲେଖ "ପାଞ୍ଚଟି ସମଷ୍ଟି’ (ପଞ୍ଚ ସ୍କନ୍ଦ) ରୂପ, ସମ୍ବେଦନ, ପ୍ରତ୍ୟକ୍ଷଣ, ମାନସିକ ଗଠନ ଏବଂ ଚେତନା, ବ୍ୟକ୍ତି ଓ ବ୍ୟକ୍ତିତ୍ୱ ନିର୍ମାଣକୁ ବ୍ୟାଖ୍ୟା କରେ । ବୁଦ୍ଧଙ୍କ "ପଞ୍ଚଶୀଳ' କିମ୍ବା "ପନସିଲ୍‌' ଯାହା ବୌଦ୍ଧ ଜୀବନର ନୈତିକ ମୂଳଦୁଆ ଗଠନ କରେ ପାଞ୍ଚଟି ନିୟମ ଉପରେ ଆଧାରିତ, ଯେପରିକି କାହାରିକୁ କ୍ଷତି ନପହଞ୍ଚାଇବା, ଯାହା ଦିଆଯାଇନାହିଁ ତାହା ନନେବା, ଶରୀରର ଶୁଦ୍ଧିକରଣ, ବାଣୀର ଶୁଦ୍ଧିକରଣ ଓ ମନର ଶୁଦ୍ଧିକରଣ । ଏହି ପାଞ୍ଚଟି ନୀତି କେବଳ ବ୍ୟକ୍ତିଗତ ଆଚରଣକୁ ନୁହେଁ, ବରଂ ସାମାଜିକ ସୌହାର୍ଦ୍ଦ୍ୟକୁ ମଧ୍ୟ ଏକ ବିଶେଷ ରୂପ ଦେଇଥାଏ । ଏଠାରେ ସଂଖ୍ୟା ପାଞ୍ଚ, ଅସ୍ତିତ୍ୱଗତ ପୂର୍ଣ୍ଣତାର ସଂଖ୍ୟା । "ପଞ୍ଚକର୍ମ' ଯାହା ଆୟୁର୍ବେଦରେ ଡିଟକ୍ସିଫିକେସନ୍‌ ଥେରାପି, ତାହା ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକତା ଏବଂ ବ୍ରହ୍ମାଣ୍ଡ ବିଜ୍ଞାନର ଏକୀକରଣର ପ୍ରତୀକ । ଏଥିରେ ବମନ (ଥେରାପିଉଟିକ୍‌ ଏମେସିସ୍‌), ବିରେଚନ (ଶୁଦ୍ଧିକରଣ), ବସ୍ତି (ମେଡିକେଟେଡ୍‌ ଏନିମା), ନାସ୍ୟ (ନାସାଲ୍‌ ଥେରାପି) ଏବଂ ରକ୍ତମୋକ୍ଷନା (ରକ୍ତ ଶୁଦ୍ଧିକରଣ) ଅନ୍ତର୍ଭୁକ୍ତ ।

ପଞ୍ଚକର୍ମ କେବଳ ଏକ ଚିକିତ୍ସା ପ୍ରକ୍ରିୟା ନୁହେଁ ବରଂ ସନ୍ତୁଳନର ଏକ ସାମଗ୍ରିକ ଦର୍ଶନ । ଯେପରି ପଞ୍ଚତତ୍ତ୍ୱ ସାର୍ବଜନୀନ ସନ୍ତୁଳନ ବଜାୟ ରଖେ, ପଞ୍ଚକର୍ମ ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ସନ୍ତୁଳନ ବଜାୟ ରଖେ । ଗୋଡ଼ ହାତ ମାଡ଼ ହୋଇଗଲେ ବା ଆଣ୍ଠୁଗଣ୍ଠି ବିନ୍ଧା-ଦରଜ ହେଲେ ପଞ୍ଚଗୁଣା ତେଲର ମାଲିସ୍‌ ତ ପ୍ରାୟ ସମସ୍ତେ ଜାଣନ୍ତି, ସେଥିରେ ମଧ୍ୟ ନିହିତ ସଂଖ୍ୟା ‘ପାଞ୍ଚ’ର ଗୁଣ । ପିଲାଦିନେ ଆମେ ସମସ୍ତେ ପ୍ରାୟ "ପଞ୍ଚତନ୍ତ୍ର' ନିଶ୍ଚୟ ପଢ଼ିଥିବା । ପଞ୍ଚତନ୍ତ୍ର କେବଳ ଯେ ଏକ ଗପ ବହି ତାହା ନୁହେଁ, ବରଂ ନୀତିକଥାର ଏକ ସଂଗ୍ରହ, ଯାହା ପାଞ୍ଚଟି ବିଶିଷ୍ଟ ଦିଗ- ରାଜନୀତି, ବନ୍ଧୁତା, ଦ୍ୱନ୍ଦ୍ୱ, କ୍ଷତି ଏବଂ ବଞ୍ଚିବା ଉପରେ କେନ୍ଦ୍ରିତ । ଏହା ନୈତିକ ନିର୍ଦ୍ଦେଶକୁ ବ୍ୟାପକ ଓ ସ୍ମରଣୀୟ କରିଥାଏ, ଯାହା ଶିକ୍ଷଣର ମନୋବିଜ୍ଞାନ ଏବଂ ମୌଖିକ ପରମ୍ପରା ସହିତ ମେଳ ଖାଏ ଓ ପାଞ୍ଚର ମୂଲ୍ୟକୁ ବଖାଣେ । ସେହିପରି ମହାଭାରତର "ପଞ୍ଚୁପାଣ୍ଡବ', ମାନବ ଚରିତ୍ରର ପାଞ୍ଚଟି ଦିଗକୁ ବ୍ୟାଖ୍ୟା କରନ୍ତି- ନ୍ୟାୟ(ଯୁଧିଷ୍ଠିର), ଶକ୍ତି(ଭୀମ), କୌଶଳ(ଅର୍ଜୁନ), କୃପା(ନକୁଳ) ଏବଂ ଜ୍ଞାନ(ସହଦେବ) । ଏହା ବ୍ୟତୀତ, ରାମାୟଣରେ ଉଲ୍ଲେଖ "ପଞ୍ଚବଟୀ' ହେଉଛି ଭାରତୀୟ ଜ୍ଞାନ ବ୍ୟବସ୍ଥାରେ ସଂଖ୍ୟା ପାଞ୍ଚର ଏକ ପ୍ରତୀକାତ୍ମକ ଅଭିବ୍ୟକ୍ତି । ପଞ୍ଚବଟୀ ଶବ୍ଦଟି ‘ପଞ୍ଚ' ଶବ୍ଦରୁ ଆସିଛି, ଯାହାର ଅର୍ଥ ପାଞ୍ଚ ଏବଂ ‘ବଟୀ' ଯାହାର ଅର୍ଥ ବଟବୃକ୍ଷ । ଭାରତୀୟ ପରମ୍ପରାରେ ପଞ୍ଚବଟୀକୁ ଭଗବାନ ରାମ, ମାତା ସୀତା ଏବଂ ଲକ୍ଷ୍ମଣଙ୍କ ନିର୍ବାସନ ସମୟରେ ସେମାନଙ୍କର ବାସସ୍ଥାନ ଭାବେ ସ୍ମରଣ କରାଯାଏ । ପଞ୍ଚବଟୀ କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ, ଏହା ପରିବେଶଗତ ଏବଂ ଆଧ୍ୟାତ୍ମିକ ସିଦ୍ଧାନ୍ତର ପ୍ରତିନିଧି । ଆଧ୍ୟାତ୍ମିକ ଭାବରେ, ପଞ୍ଚବଟୀରେ ଧ୍ୟାନ କରିଲେ ତାହା ଅସ୍ତିତ୍ୱର ପାଞ୍ଚଟି କୋଷ- ଶରୀର, ଶକ୍ତି, ମନ, ଜ୍ଞାନ, ଆନନ୍ଦକୁ ଶୁଦ୍ଧ କରେ ବୋଲି ବିଶ୍ୱାସ । ସେହିପରି ଓଡ଼ିଶାର "ପଞ୍ଚସଖା'-ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ଅନନ୍ତ ଏବଂ ଯଶୋବନ୍ତ ଦାସ, ଭକ୍ତି, ସଂସ୍କାର ଏବଂ ଦାର୍ଶନିକ ବହୁଳତାବାଦର ପ୍ରତୀକ । "ପଞ୍ଚାୟତ’ ବ୍ୟବସ୍ଥା ଭାରତର ଗ୍ରାମସ୍ତରୀୟ ସ୍ୱ-ଶାସନ ସଂସ୍ଥା, ପାରମ୍ପରିକ ଭାବରେ ପାଞ୍ଚଜଣ ବୟସ୍କଙ୍କୁ ନେଇ ଗଠିତ ଥିଲା, ଯାହା ଏବେ ପାଞ୍ଚଟି ଗାଁକୁ ନେଇ ଗଠିତ । ପଞ୍ଚାୟତରେ ସଂଖ୍ୟା ପାଞ୍ଚର ଉପସ୍ଥିତି ଏକ ସନ୍ତୁଳନକୁ ସୂଚିତ କରେ, ବିବିଧତାକୁ ପ୍ରତିନିଧିତ୍ୱ କରେ, ଅକ୍ଷମତାକୁ ଏଡ଼ାଇବା ପାଇଁ ଏକ ମାଧ୍ୟମ ହୁଏ ।

ସ୍ୱାଧୀନତା ପରେ ଭାରତର "ପଞ୍ଚବାର୍ଷିକ' ଯୋଜନା ଆଧୁନିକ ନୀତିରେ ସଂଖ୍ୟା ପାଞ୍ଚର ଭୂମିକାକୁ ପ୍ରତିଫଳିତ କରେ । ପାଞ୍ଚବର୍ଷର ଢାଞ୍ଚା, ମାନବ ଯୋଜନା ଏବଂ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନର ଏକ ତାଳକୁ ପ୍ରତିଫଳିତ କରେ, ଯେଉଁଥିରେ ପ୍ରତ୍ୟେକ କ୍ଷେତ୍ର ଯେପରି କୃଷି, ଶିଳ୍ପ, ଭିତ୍ତିଭୂମି, ସମାନତା ଏବଂ କଲ୍ୟାଣକୁ ସନ୍ତୁଳିତ କରିବାକୁ ଚେଷ୍ଟା କରାଯାଏ । ଭାରତୀୟ ଗଣତନ୍ତ୍ରରେ ପ୍ରତି ପାଞ୍ଚବର୍ଷରେ ନିର୍ବାଚନର ବ୍ୟବସ୍ଥା ଏକ ନ୍ୟାୟସଂଗତ ତଥା ନିରପେକ୍ଷ ପ୍ରଣାଳୀର ସୂଚକ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତ ଏବଂ ଚୀନ୍‌ ମଧ୍ୟରେ ୧୯୫୪ର "ପଞ୍ଚଶୀଳ' ରାଜିନାମା ସାର୍ବଭୌମତ୍ୱ ପାଇଁ ପାରସ୍ପରିକ ସମ୍ମାନ, ଅଣ-ଆକ୍ରମଣ, ଅଣ-ହସ୍ତକ୍ଷେପ, ସମାନତା, ସହଯୋଗ, ସନ୍ତୁଳନ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ପାଞ୍ଚଟି ନୀତି ସ୍ପଷ୍ଟ କରେ, ଯାହା ବିଶ୍ୱ କୂଟନୀତିରେ ସଂଖ୍ୟା ପାଞ୍ଚର ପ୍ରତୀକାତ୍ମକ ଭୂମିକାକୁ ବିସ୍ତାର କରେ । ଭାରତୀୟ ଜ୍ଞାନ ବ୍ୟବସ୍ଥାରେ, ବିଜ୍ଞାନଠାରୁ ଆରମ୍ଭକରି ରନ୍ଧନ ପ୍ରଣାଳୀ, ସାହିତ୍ୟରୁ ଶାସନ, ରୀତିନୀତିରୁ ରାଜନୀତି ପର୍ଯ୍ୟନ୍ତ, ସଂଖ୍ୟା ପାଞ୍ଚର ଆବୃତ୍ତି ଏକ ସାଂସ୍କୃତିକ ସଂଯୋଗ ନୁହେଁ, ବରଂ ଏକ ବୈଜ୍ଞାନିକ ଏବଂ ମନସ୍ତାତ୍ତ୍ୱିକ ସ୍ଥିରତା । ଏହା ଜୈବିକ ଇନ୍ଦ୍ରିୟ, ପରିବେଶଗତ ଉପାଦାନ, ଜ୍ଞାନାତ୍ମକ ପ୍ରକ୍ରିୟାକରଣ, ଗୋଷ୍ଠୀ ଗତିଶୀଳତା ଏବଂ ଏପରିକି ଯୋଜନାର ଚକ୍ର ସହିତ ମେଳ ଖାଏ । ଭାରତୀୟ ଚିନ୍ତାଧାରାରେ ସଂଖ୍ୟା ପାଞ୍ଚ ହେଉଛି ସନ୍ତୁଳନ, ବିବିଧତା ଏବଂ ଏକତାର ଦର୍ଶନ, ଯାହା ଏହାକୁ ଭାରତୀୟ ଜ୍ଞାନ ବ୍ୟବସ୍ଥାରେ ଏକ ସର୍ବୋତ୍ତମ ପ୍ରତୀକ ଭାବରେ ବିଦ୍ୟମାନ କରାଏ ।

​​​​​​​