ନୂଆଦିଲ୍ଲୀ : ଅନେକ ଲୋକଙ୍କୁ ପ୍ରାୟତଃ ମୁଣ୍ଡ ବୁଲାଇବା ଅନୁଭବ ହୋଇଥାଏ। କେତେକ ଏହାକୁ ଥକ୍କାପଣ, ଦୁର୍ବଳତା କିମ୍ବା ପାଗର ପ୍ରଭାବ ଭାବି ଅଣଦେଖା କରି ଥା’ନ୍ତି, କିନ୍ତୁ ଅନେକ ସମୟରେ ଏହା ଶରୀରରେ ପୋଷକ ତତ୍ତ୍ୱର ଅଭାବର ମଧ୍ୟ ଏକ କାରଣ ହୋଇପାରେ। ଭିଟାମିନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶାରୀରିକ କାର୍ଯ୍ୟ ପାଇଁ ଆବଶ୍ୟକ। ଏହାର ଅଭାବରେ ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ପ୍ରଭାବ ପଡ଼ି ଥାଏ। ହେଲେ ବାରମ୍ବାର ମୁଣ୍ଡ ବୁଲାଇବା କେବଳ ଭିଟାମିନ ଅଭାବର ଏକ ସଙ୍କେତ ନୁହେଁ।

ଏହା ପଛରେ ନିମ୍ନ ରକ୍ତଚାପ, ରକ୍ତହୀନତା,  ଡିହାଇଡ୍ରେସନ , କାନ ସମ୍ବନ୍ଧୀୟ ସମସ୍ୟା କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟାବସ୍ଥା ଅନ୍ତର୍ଭୁକ୍ତ ହୋଇ ପାରେ। କିନ୍ତୁ  କିଛି କ୍ଷେତ୍ରରେ, ଶରୀରରେ ଭିଟାମିନର ଅଭାବ ମଧ୍ୟ ଏକ କାରଣ ସାଜି ପାରେ। ଏଣୁ ଲଗାତାର ମୁଣ୍ଡ ବୁଲାଇବା ସମସ୍ୟାକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ। ଏହାର ସଠିକ କାରଣର ଚିହ୍ନଟ କରିବା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଏବଂ ଆବଶ୍ୟକୀୟ ପରୀକ୍ଷା କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

​​​​​​​

ଏଥିରେ ଏହା ଜାଣିବା ନିହାତି ଜରୁରୀ ଯେ, ବାରମ୍ୱାର ମୁଣ୍ଡ ବୁଲାଇବା କେଉଁ ଭିଟାମିନ ଅଭାବର ସଙ୍କେତ ହୋଇ ପାରେ, ଏହାସହ ଆଉ କେଉଁ ଲକ୍ଷଣ ଦେଖା ଦେଇପାରେ ଏବଂ ଏହି ପରିସ୍ଥିତିରେ ସମାଧାନ ପାଇଁ କେଉଁ ପଦକ୍ଷେପ ନିଆଯିବା ଉଚିତ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ।

ବାରମ୍ୱାର ମୁଣ୍ଡ ବୁଲାଇବା କେଉଁ ଭିଟାମିନ ଅଭାବର ସଙ୍କେତ ହୋଇ ପାରେ -

ବାରମ୍ୱାର ମୁଣ୍ଡ ବୁଲାଇବା ଭିଟାମିନ ବି-୧୨ , ଭିଟାମିନ ଡି ଓ ଫୋଲେଟ୍‌ ଅର୍ଥାତ୍‌ ଭିଟାମିନ ବି-୯ର ଅଭାବ ସହ ଜଡ଼ିତ ହୋଇ ପାରେ। ଭିଟାମିନ ବି-୧୨ ଓ ଫୋଲେଟ ରେଡ୍‌ ବ୍ଲଡ୍‌ ସେଲ୍ସର ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ଏହାର ଅଭାବପରେ ରକ୍ତ ହୀନତା (ଆନିମିଆ) ହୋଇପାରେ। ଯେଉଁଥିରେ ଶରୀର ଓ ମସ୍ତିସ୍କ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ପହଞ୍ଚି ପାରେ ନାହିଁ। ମୁଣ୍ଡ ବୁଲାଇବା , ଦୁର୍ବଳତା ଓ କ୍ଲାନ୍ତ ଅନୁଭବ ହୋଇ ପାରେ।

ଅନ୍ୟପଟେ ଭିଟାମିନ-ଡି ର ଅଭାବନରେ ମାଂସପେଶୀ ଗୁଡ଼ିକର ଦୁର୍ବଳତା ଓ ସନ୍ତୁଳନ ବିଗିଡ଼ିବାର କାରଣ ହୋଇପାରେ, ଯେଉଁଥିରେ କିଛି ଲୋକଙ୍କ ମୁଣ୍ଡ ବୁଲାଇବା କିମ୍ୱା ଅସ୍ଥିରତା ଅନୁଭବ ହୋଇପାରେ। ହେଲେ  କେବଳ ମୁଣ୍ଡ ବୁଲାଇବା ଆଧାରରେ ଏହି ନିର୍ଣ୍ଣୟ କରାଯାଇ ପାରିବ ନାହିଁ ଯେ, ଶରୀରରେ କୌଣସି ବିଶେଷ ଭିଟାମିନର ଅଭାବ ଅଛି। ଏହା ପଛରେ ଆହୁରି ଅନେକ ସ୍ୱାସ୍ଥ୍ୟଗତ କାରଣ ମଧ୍ୟ ହୋଇପାରେ। ଏଥିପାଇଁ ବାରମ୍ୱାର ମୁଣ୍ଡ ବୁଲାଇଲେ ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକୀୟ ପରୀକ୍ଷା ଓ ବ୍ଲଡ୍‌ ଟେଷ୍ଟ କରାଇବା ଉଚିତ୍, ଯାହାକି ସଠିକ୍‌ କାରଣ ବିଷୟରେ ଜାଣି ଉଚିତ୍ ଚିକିତ୍ସା କରାଯାଇ ପାରିବ।

ମୁଣ୍ଡ ବୁଲାଇଲେ କେଉଁ କେଉଁ ଲକ୍ଷଣକୁ ଅଣଦେଖା କରିବା ଅନୁଚିତ ?

ଯଦି ମୁଣ୍ଡ ବୁଲାଇବା ସହ ବାରମ୍ୱାର ଦୁର୍ବଳତା , ବହୁତ କ୍ଲାନ୍ତ ଲାଗିବା, ନିଃଶ୍ୱାସ ନେବାରେ କଷ୍ଟ, ଦୃଷ୍ଟିଶକ୍ତି ଝାପ୍ସା ହେବା, ହାତ ଏବଂ ପାଦରେ ଝିମ୍‌ଝିମ୍‌ ହେବା, ଚାଲିବାରେ କଷ୍ଟ, ଅଚେତ ହେବା, ପ୍ରବଳ ମୁଣ୍ଡବିନ୍ଧା କିମ୍ବା ଛାତିରେ ଯନ୍ତ୍ରଣା ଭଳି ଲକ୍ଷଣଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ। ଏଗୁଡ଼ିକ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ।

ଯଦି ମୁଣ୍ଡ ବୁଲାଇବା ବାରମ୍ବାର ହୁଏ କିମ୍ବା ଦୀର୍ଘ ସମୟ ଧରି ଲାଗି ରହେ, ତେବେ ବିଳମ୍ବ ନକରି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ଏବଂ ଆବଶ୍ୟକୀୟ ପରୀକ୍ଷା କରାଇବା ଉଚିତ।

ବାରମ୍ୱାର ମୁଣ୍ଡ ବୁଲାଇଲେ କଣ କରିବେ ?

ଯଦି ଆପଣଙ୍କର ବାରମ୍ବାର ମୁଣ୍ଡ ବୁଲାଉଛି, ତେବେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ କାରଣ ଜାଣିବା ପାଇଁ ଆବଶ୍ୟକୀୟ ପରୀକ୍ଷା କରାନ୍ତୁ। ଡାକ୍ତରୀ ପରାମର୍ଶ ବିନା ଭିଟାମିନ୍ ସପ୍ଲିମେଣ୍ଟ୍ ଖାଆନ୍ତୁ ନାହିଁ। ଏକ ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ , ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ ଓ ପର୍ଯ୍ୟାପ୍ତ ପରିମାଣର ନିଦ୍ରା ଯାଆନ୍ତୁ। ଯଦି ମୁଣ୍ଡ ବୁଲାଇବା ସହିତ ମୂର୍ଚ୍ଛା ହେବା, ଛାତି ଯନ୍ତ୍ରଣା, କଥା କହିବାରେ କଷ୍ଟ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା ଭଳି ଗୁରୁତର ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ। ସମୟୋଚିତ ପରୀକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ସମସ୍ୟାର କାରଣ ଚିହ୍ନଟ କରିବାରେ ସାହାଯ୍ୟ କରିପାରିବ।

ଏହାସହ ମଧ୍ୟ ପଢନ୍ତୁ : ଆପଣ ଖାଉଛନ୍ତି କି ସିନ୍ଥେଟିକ୍ ପନିର୍? ଜାଣନ୍ତୁ କେମିତି ଚିହ୍ନିବେ ଅସଲି ବା ନକଲି