ନୂଆଦିଲ୍ଲୀ,୨୪/୧୦: ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ । ଜାତୀୟ ରାଜଧାନୀ ଦିଲ୍ଲୀରେ ବଡ଼ ଆକ୍ରମଣ ଯୋଜନା କରିଥିଲେ ଆତଙ୍କୀ । ମାତ୍ର ସଫଳ ହେବା ପୂର୍ବରୁ ଧରାପଡିଗଲେ । ଆଇଇଡି ବିସ୍ଫୋରଣ ପାଇଁ ଯୋଜନା କରୁଥିବା ଆଇଏସଆଇଏସ ଆତଙ୍କୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍ କରିଛି ପୁଲିସ୍ । ୨ ଆତଙ୍କୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍ । ଗୁଇନ୍ଦା ଏବଂ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ୍ର ମିଳିତ ରେଡ୍ରେ ଏହି ସଫଳତା ମିଳିଛି । କୌଣସି ଅଘଟଣ ଘଟିବା ପୂର୍ବରୁ ବିପଦ ଟଳି ଯାଇଛି । ଗିରଫ ଦୁଇ ଆତଙ୍କୀଙ୍କଠୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଛି । ଆଇଏସ୍ଆଇଏସ୍ ଲିଙ୍କ୍ ନେଇ ତନାଘନା ଜାରି ରହିଛି ।
ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ୨ ଆତଙ୍କବାଦୀଙ୍କ ଆଇଇଡି ବ୍ଲାଷ୍ଟ କରିବାର ଯୋଜନା ଶେଷ ପର୍ଯ୍ୟାୟରେ ଥିଲା । ସେମାନେ ହମ୍ଲା ଟ୍ରେନିଂ ନେଇ ସାରିଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଦିଲ୍ଲୀ ଓ ଅନ୍ୟକୁ ମଧ୍ୟପ୍ରଦେଶରୁ କାବୁ କରାଯାଇଛି । ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ଦୁଇ ଆତଙ୍କୀଙ୍କୁ ଗିରଫ କରିଛି । ଦୁଇ ଜଣ ଆଇଏସଆଇଏସ ଆତଙ୍କୀ ସଂଗଠନ ସହ ସାମିଲ ଥିଲେ। ଜଣଙ୍କ ନାମ ଅଦନାନ । ଜନଗହଳିପୂର୍ଣ୍ଣ ସ୍ଥାନରେ ଆଇଇଡି ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଆଇଏସ୍ଆଇଏସ୍ ପଠାଇଥିବା ଏହି ମଡ୍ୟୁଲ ପାକିସ୍ତାନ ଆଇଏସ୍ଆଇଏସ୍ ସହାୟତାରେ ଚାଲୁଥିବା ଜଣାପଡିଛି ।
ଗିରଫ ଦୁଇ ଆତଙ୍କୀଙ୍କୁ ପଚରାଉଚରା ଚାଲିଛି । ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ପୂରା ନେଟ୍ୱର୍କର ପର୍ଦ୍ଦାଫାସ୍ କରିବାରେ ଲାଗିଛନ୍ତି । ଏମାନଙ୍କୁ କିଏ ଏହି କାମରେ ଲଗାଇଥିଲା ତା'ର ଖୋଳତାଡ଼ ଜାରି ରହିଛି । ମଡ୍ୟୁଲରେ ଆଉ କିଏ କିଏ ସାମିଲ ଅଛନ୍ତି କେଉଁଠୁ ଫଣ୍ଡିଂ ହେଉଥିଲା କଣ ଷଡ଼ଯନ୍ତ୍ର ହେଉଥିଲା ତାର ତଦନ୍ତ ଚାଲିଛି ।