ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧ ସମୟରେ ଏହାର ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ହତ୍ୟା କରିବାକୁ ଯୋଜନା କରିଥିଲା ବୋଲି ଚର୍ଚ୍ଚା ହେଉଛି । ଏପରିକି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇସ୍ରାଏଲ ସହିତ ସଂଘର୍ଷ ସମୟରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ଗୋଡ଼ରେ ଆଘାତ ମଧ୍ୟ ଲାଗିଥିଲା । ଜୁନ୍ ୧୬ ରେ ପଶ୍ଚିମ ତେହେରାନର ଏକ କୋଠାକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିଥିଲା । ଏହି ସମୟରେ ପେଜେସ୍କିୟଆନ ଆହତ ହୋଇଥିଲେ । ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଥିବା ସମୟରେ ଏହି କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା ।
ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ସହିତ ଜଡିତ 'ଫାର୍ସ ନ୍ୟୁଜ୍ ଏଜେନ୍ସି' ଅନୁଯାୟୀ, ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ, ନ୍ୟାୟପାଳିକା ମୁଖ୍ୟ ମୋହସେନି ଏଜେଇ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ବୈଠକରେ ଉପସ୍ଥିତ ଥିଲେ। ଏହି ଘଟଣା ଇରାନର ଚିନ୍ତାକୁ ବୃଦ୍ଧି କରିଛି। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ, ଜଣେ ଅନୁପ୍ରବେଶକାରୀଙ୍କ ଇସାରାରେ ଏପରି ଏକ ସଠିକ ଆକ୍ରମଣ କରାଯାଇଥିଲା। ଏହି କାରଣରୁ କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ।
ରିପୋର୍ଟ ଅନୁଯାୟୀ, ବେରୁଟରେ ହିଜବୁଲ୍ଲା ନେତା ହାସନ ନସରଲ୍ଲାଙ୍କ ହତ୍ୟା ପରେ ଇସ୍ରାଏଲୀ ଅପରେସନ୍ ପ୍ରସ୍ତୁତ କରାଯାଇଥିଲା। ପଳାୟନ ପଥ ବନ୍ଦ କରିବା ଏବଂ ବାୟୁ ପ୍ରବାହକୁ ବାଧା ଦେବା ପାଇଁ କୋଠାର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାରରେ ଛଅଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଯେତେବେଳେ କ୍ଷେପଣାସ୍ତ୍ରଗୁଡ଼ିକ ପଡ଼ିଲା, ଇରାନୀ ଅଧିକାରୀମାନେ କୋଠାର ତଳ ମହଲାରେ ଥିଲେ। ଏହି କାରଣରୁ କିଛି ସମୟ ପାଇଁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଥିଲା । ଜରୁରୀକାଳୀନ ଗେଟ୍ ପାଇଁ ଅଧିକାରୀମାନେ ଖସିଯିବାରେ ସଫଳ ହୋଇଥିଲେ । କେତେ ଜଣ ସାମାନ୍ୟ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପେଜେସ୍କିଆନ ମଧ୍ୟ ଥିଲେ । ତେବେ ଇସ୍ରାଏଲ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।
ସାମ୍ବାଦିକ ଟକର କାର୍ଲସନଙ୍କ ସହିତ ଏକ ସାକ୍ଷାତକାରରେ ପେଜେସ୍କିଆନ କହିଛନ୍ତି, ‘ସେମାନେ (ଇସ୍ରାଏଲ) ଚେଷ୍ଟା କରିଥିଲେ । ହଁ, ସେମାନେ ସମାନ ଯୋଜନା ଅନୁସାରେ କାର୍ଯ୍ୟ କରିଥିଲେ, କିନ୍ତୁ ବିଫଳ ହୋଇଥିଲେ।’ ଇରାନ ଇଣ୍ଟରନ୍ୟାସନାଲର ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଆକ୍ରମଣ ପଶ୍ଚିମ ତେହେରାନର ଶାହରାକ-ଏ-ଗାର୍ବ ନିକଟରେ ହୋଇଥିଲା। ଏହି ଆକ୍ରମଣ ୧୨ ଦିନ ଧରି ଚାଲିଥିବା ଏକ ବ୍ୟାପକ ସଂଘର୍ଷର ଏକ ଅଂଶ ଥିଲା । ଯେଉଁ ସମୟରେ ଇସ୍ରାଏଲ ସେନା ଅନେକ ଶୀର୍ଷ ଇରାନୀ ସାମରିକ କମାଣ୍ଡର ଏବଂ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା କରିଥିଲା । ମୃତକଙ୍କ ମଧ୍ୟରେ IRGC କମାଣ୍ଡର ହୋସେନ ସଲାମି, ଇରାନୀ ସଶସ୍ତ୍ର ବାହିନୀ ମୁଖ୍ୟ ମହମ୍ମଦ ବାଘେରି ଏବଂ IRGC ବାୟୁସେନା କମାଣ୍ଡର ଆମିର ଅଲି ହାଜିଜାଦେହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ ।
ପୂର୍ବ ରିପୋର୍ଟଗୁଡ଼ିକ ମଧ୍ୟ ସୂଚାଇଥିଲା ଯେ, ଇସ୍ରାଏଲ ସଂଘର୍ଷ ସମୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । କିନ୍ତୁ ଇସ୍ରାଏଲକୁ ଏଥିରେ ସଫଳ ମିଳିପାରି ନାହିଁ ।