ନୂଆଦିଲ୍ଲୀ,୦୭/୧୦: ୭ ଅକ୍ଟୋବର ୨୦୨୩, ଇସ୍ରାଏଲ ଉପରେ ସବୁଠାରୁ ବଡ଼ ଆକ୍ରମଣ କରିଥିଲା ହମାସ୍। ଏହି ଆକ୍ରମଣ ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହାମାସ ଦ୍ୱାରା କରାଯାଇଥିଲା ଯେଉଁଥିରେ ଗୋଟିଏ ଦିନରେ ୧୨୦୦ ରୁ ଅଧିକ ଇସ୍ରାଏଲ୍ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୫୧ ଜଣଙ୍କୁ ହମାସ ଆତଙ୍କୀମାନେ ବନ୍ଧକ ରଖିଥିଲେ। ୭ ଅକ୍ଟୋବର ୨୦୨୩ ରେ ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଦକ୍ଷିଣ ଇସ୍ରାଏଲରେ ୫୦୦୦ ରକେଟ ମାଡ଼ କରିଥିଲା। ଏହା ପରେ ଶହ ଶହ ହମାସ ଆତଙ୍କୀ ଇସ୍ରାଏଲରେ ପ୍ରବେଶ କରିଥିଲେ। ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଦେଲେ। ଏହି ଦିନ ଯେତେବେଳେ ସମଗ୍ର ଦେଶ ସୁକୋଟ ନାମକ ଏକ ଧାର୍ମିକ ପର୍ବ ପାଳନ କରୁଥିଲା, ହମାସ୍ ଏହି ଆକ୍ରମଣର ନାଁ ଫ୍ଳୋଡ୍ ଅଫ୍ ଅଲ-ଆକ୍ସା ରଖିଛି।
ଅକ୍ଟୋବର ୮ ରେ ଏୟାର ଷ୍ଟ୍ରାଇକ୍ କରି ହମାସ ଆକ୍ରମଣର ଇସ୍ରାଏଲ ଜବାବ ଦେଇଥିଲା। ଇସ୍ରାଏଲ ସୋର୍ଡସ୍ ଅଫ୍ ଆଇରନ୍ ଆରମ୍ଭ କରି ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରିବା ଅଭିଯାନ ଆରମ୍ଭ କଲା ଏବଂ ଗାଜା ଅଞ୍ଚଳର ଉତ୍ତର ଭାଗରେ ରହୁଥିବା ପ୍ରାୟ ୧.୫ ମିଲିୟନ୍ ଲୋକଙ୍କୁ ସେମାନଙ୍କ ଘର ଛାଡ଼ୀବାକୁ ନିର୍ଦ୍ଦେଶ ଦେଇଥିଲା। ଏହାର ପରିଣାମ ଏକ ବର୍ଷ ପରେ ମଧ୍ୟ ଦେଖିବାକୁ ମିଳୁଛି, ୦ଯେତେବେଳେ ଗାଜାର ଲୋକମାନେ ଖାଇବା ପିଇବା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଅଭାବର ଶିକାର ହେଉଛନ୍ତି। ଯଦି ଆମେ କେବଳ ଗାଜା ବିଷୟରେ କହିବା, ତେବେ ସେଠାରେ ଥିବା ପ୍ରାୟ ୭୦ ପ୍ରତିଶତ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୧୬,୭୬୫ ଜଣ ଶିଶୁ ରହିଛନ୍ତି। ପ୍ରାୟ ୯୮ ହଜାର ଲୋକ ଆହତ ହୋଇଛନ୍ତି। ୧୦ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ, ବର୍ତ୍ତମାନ ପର୍ଯ୍ୟନ୍ତ ୧୧୩୯ ଇସ୍ରାଏଲ ଲୋକ ପ୍ରାଣ ହରାଇଛନ୍ତି ଏବଂ ଯୁଦ୍ଧରେ ୮୭୩୦ ଆହତ ହୋଇଛନ୍ତି। ଏହା ବ୍ୟତୀତ ଏହି ଆକ୍ରମଣରେ ୧୨୫ଜଣ ସାମ୍ବାଦିକ ମଧ୍ୟ ନିହତ ହୋଇଛନ୍ତି।
ଅଲ୍ ଜଜିରାର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଆକ୍ରମଣ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାପଟ୍ଟିରେ ଥିବା ୮୦ ପ୍ରତିଶତ ବାଣିଜ୍ୟିକ ସ୍ଥାନ ନଷ୍ଟ ହୋଇଛି। ୮୭ ପ୍ରତିଶତ ସ୍କୁଲ କୋଠା ଧ୍ବଂସ ହୋଇଯାଇଛି। ଗାଜା ଅଞ୍ଚଳରେ ୧,୪୪,୦୦୦ ରୁ ୧,୭୫,୦୦୦ କୋଠା ନଷ୍ଟ ହୋଇଯାଇଛି କିମ୍ବା ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ୩୬ ଟି ମଧ୍ୟରୁ କେବଳ ୧୭ ଟି ଡାକ୍ତରଖାନା କାମ କରୁଛି। ୬୮% ସଡ଼କ ନେଟୱର୍କ ନଷ୍ଟ ହୋଇଯାଇଛି ଏବଂ ୬୮% ଚାଷ ପାଇଁ ଉପଯୁକ୍ତ ଜମି ପଡ଼ିଆ ପଡ଼ିଛି। ଅର୍ଥନୈତିକ କ୍ଷତି ବିଷୟରେ କହିବାକୁ ଗଲେ ଗାଜାର ଜିଡିପି ୮୧ ପ୍ରତିଶତ ହ୍ରାସ ପାଇଛି। ୨.୦୧ ଲକ୍ଷ ଲୋକ ବେରୋଜଗାର ହୋଇଛନ୍ତି। ପ୍ରାୟ ୨୦ ଲକ୍ଷ ଲୋକ ଭୂମିହୀନ ଏବଂ ୮୫ ହଜାର ପାଲେଷ୍ଟାଇନ ଶ୍ରମିକ ଚାକିରି ହରାଇଛନ୍ତି।