ନୂଆଦିଲ୍ଲୀ,୧୪।୮: ହମାସ ବିରୋଧରେ ଜାରି ଯୁଦ୍ଧ ଭିତରେ ଇସ୍ରାଏଲ ଏକ ବହୁତ ବଡ଼ ଯୋଜନା ଉପରେ କାମ କରିବାକୁ ଯାଉଛି। ଯାହାକି ନୂଆ ସଙ୍କଟକୁ ଜନ୍ମ ଦେଇପାରେ। ଏଭଳି ଖବର ରହିଛି ଯେ, ଇସ୍ରାଏଲ ଗାଜା ପଟିରୁ ପାଲେଷ୍ଟାଇନ୍କୁ ଯୁଦ୍ଧଗ୍ରସ୍ତ ପୂର୍ବ ଆଫ୍ରିକୀୟ ଦେଶ ଦକ୍ଷିଣ ସୁଡାନ୍ରେ ଅବସ୍ଥାପିତ କରିବା ପାଇଁ ଛର୍ଚ୍ଚା କରୁଛି। ଏଥିପାଇଁ ଇସ୍ରାଏଲ ମଧ୍ୟ ସୁଡାନ ସହ କଥାବାର୍ତ୍ତା ଆରମ୍ଭ କରିଦେଇଛି। ତେବେ ଏବେ ବି ଏହି କଥା ସ୍ପଷ୍ଟ ହୋଇନି ଏହି ବାର୍ତ୍ତା କେତେ ଆଗକୁ ଯିବ।
ଇସ୍ରାଏଲ ଗାଜାରୁ ବହୁ ପରିମାଣରେ ଲୋକଙ୍କୁ ପଳାୟନ ପାଇଁ ପ୍ରୋତ୍ସାହିତ କରିବାକୁ ଚାହୁଁଛି। ଗାଜା ଗତ ୨୨ ମାସ ହେବ ହମାସ ବିରୋଧରେ ଇସ୍ରାଏଲୀ ସେନା ଅଭିଯାନର କାରଣରୁ ନଷ୍ଟ ହୋଇସାରିଛି। ତେଣୁ ଆଗକୁ କୌଣସି ପ୍ରଗତି ହେବାର ନାହିଁ, କିନ୍ତୁ ଯଦି ଏହି ଯୋଜନା ଲାଗୁ ହେବ, ତେବେ ଏହା ଗାଜାର ଲୋକଙ୍କ ପାଇଁ ଏକ ଯୁଦ୍ଧଗ୍ରସ୍ତ ଓ ଅକାଳ ବିପଦ ଥିବା କ୍ଷେତ୍ରରୁ ବାହାରି ଅନ୍ୟ ଏକ କ୍ଷେତ୍ରକୁ ପଠାଉଥିବା ସାମଗ୍ରୀ ଭଳି ରହିବ, ଯାହାକି ମାନବାଧିକାର ସମ୍ପର୍କିତ ଚିନ୍ତାକୁ ବଢାଉଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏହି ଯୋଜନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଦୃଷ୍ଟିକୋଣର ଅନୁରୂପ ବୋଲି କହିଛନ୍ତି। ଯେଉଁଥିରେ ଗାଜାର ଅଧିକାଂଶ ଜନସଂଖ୍ୟାକୁ ସିଫ୍ଟ କରିବା କଥା କୁହହାଯାଇଥିଲା। ନେତନ୍ୟାହୁ ମଙ୍ଗଳବାର ଇସ୍ରାଏଲ ଟିଭି ଚ୍ୟାନେଲ ଆଇ୨୪କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ମୋର ବିଚାରରେ ଯୁଦ୍ଧ ନିୟମ ଅନୁସାରେ, ଲୋକଙ୍କୁ ଅନ୍ୟତ୍ର ଯିବାର ଅନୁମତି ଦେବା ଠିକ୍। ଫଳରେ ସେଠାରେ ଥିବା ଶତ୍ରୁଙ୍କ ବିରୋଧରେ ସମ୍ପୂର୍ଣ୍ଣ ଶକ୍ତିର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ।