ନୂଆଦିଲ୍ଲୀ: ଦ୍ବନ୍ଦ୍ବ ଓ ସ୍ବଳ୍ପ ସ୍ପଷ୍ଟତା ସହ ଇରାନ୍‌ ଏବଂ ଇସ୍ରାଏଲ ମଧ୍ୟରେ ଏକ ଯୁଦ୍ଧବିରତି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଦୁଇ ଦେଶ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ଏନେଇ ଟ୍ରମ୍ପ ମଧ୍ୟ ସୂଚନା ଦେଇଛନ୍ତି । କିନ୍ତୁ ଦୀର୍ଘ ୧୨ ଦିନର ଘମାଘୋଟ ଲଢ଼େଇ ପରେ କିଏ ବିଜୟୀ ହୋଇଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଯୁଦ୍ଧରେ ୩ ଦେଶ ସାମିଲ ଥିଲେ କହିଲେ ଭୁଲ ହେବ ନାହିଁ । ଇରାନ୍‌ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଆମେରିକା ସାମିଲ ହୋଇଥିଲା । ଇସ୍ରାଏଲ ସମର୍ଥନରେ ବାହାରି ଆମେରିକା, ଇରାନ୍‌ର ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ ଇରାନ୍‌ ଦୋହାରେ ଥିବା ଆମେରିକା ସେନା ବେସ୍‌ ଉପରେ ମିସାଇଲ ମାଡ଼ କରିଥିଲା । ଯୁଦ୍ଧର ତୀବ୍ରତାକୁ ଦେଖି ଇରାନ୍‌ର ପଡ଼ୋଶୀ ଦେଶ ଇରାକ, ବାହାରିନ, କୁଏତ ଏବଂ ଇୁଏଇ ନିଜର ଆକାଶ ସୀମା ବନ୍ଦ କରିଦେଇଥିଲେ । ସେ ଯାହା ହେଉ ନା କାହିଁକି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ହୋଇଛି । କିନ୍ତୁ ୩ ଦେଶ ବିଜୟୀ ହୋଇଥିବା ନେଇ ନିଜ ନିଜ ସ୍ତରରେ ଦାବି କରୁଛନ୍ତି । ଏବେ ପ୍ରଶ୍ନ ଉଠିଛି, ପ୍ରକୃତରେ କିଏ ବିଜୟ ପାଇଛି ? 

ପ୍ଲେୟାର-୧ (ଇସ୍ରାଏଲ)

ନେତାନ୍ୟାହୁଙ୍କ କାର୍ଯ୍ୟଳୟର ଏକ ବିଜ୍ଞପ୍ତି ଅନୁସାରେ, ଆଇଡିଏଫ୍‌ ତେହରାନର ଆକାଶକୁ ନିଜ ନିୟନ୍ତ୍ରଣରେ ରଖିଥିଲା ।ଏହା ସହ ଇରାନ୍‌ର ପରାମାଣୁ ଠିକଣା ଏବଂ ଅତ୍ୟାଧୁନିକ ମିସାଇଲ ନଷ୍ଟ କରିଛି । ଲଢ଼େଇର ଆମେରିକାର ସମର୍ଥନ ମିଳିବା ଗତ ୧୨ ଦିନ ଯୁଦ୍ଧରେ ଇସ୍ରାଏଲର ସବୁଠାରୁ ବଡ଼ ଉପଲବ୍ଧି । ପ୍ରାୟ ୩ ଦଶନ୍ଧୀ ହେଲା ଏହା ହିଁ  ଚାହୁଁଥିଲା ଇସ୍ରାଏଲ ।  ଅନ୍ୟ ଏକ ଉପଲବ୍ଧି ହେଉଛି, ଗାଜାରେ ଜାରି ଥିବା ନରସଂହାର ପ୍ରତି ବିଶ୍ବର ନଜର ହଟିଛି । ଯେଉଁଠି ପ୍ରତି ଦିନ ୩୦ ଲୋକଙ୍କ ଜୀବନ ଯାଉଛି। 

ପ୍ଲେୟାର-୨ (ଆମେରିକା)

ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବାଧୀନ ଆମେରିକା ଇରାନ୍‌ ଯୁଦ୍ଧରୁ ନିଜକୁ ଦୂରେଇ ରଖିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯୁଦ୍ଧକୁ ଡେଇଁଥିଲା ଟ୍ରମ୍ପ ସେନା । ବି-୨ ବୋମାବର୍ଷକରୁ ଆକ୍ରମଣ କରିବାର ଭୟ ଦେଖାଇ ଇରାନ୍‌ ଭିତରେ ଷ୍ଟ୍ରାଇକ୍‌ କରିଥିଲା ଆମେରିକା । ଏମିତି ଲାଗୁ ଥିଲା ଏହି ଲଢ଼େଇ ତୃତୀୟ ବିଶ୍ବଯୁଦ୍ଧ ରୂପ ନେଇପାରେ । ଇରାନ୍‌ର ପରମାଣୁ ଠିକଣା ଉପରେ ଆକ୍ରମଣ କରି ଧ୍ବଂସ କରିଥିବା ନେଇ ଦାବି କରୁଛନ୍ତି ଟ୍ରମ୍ପ ।  ଏହା ସହ ଇରାନ୍‌ ଏବଂ ଇସ୍ରାଏଲ ମଧ୍ୟରେ ଶାନ୍ତି ଆଲୋଚନା କରାଇଥିବା ମଧ୍ୟ ଟ୍ରମ୍ପ ଦାବି କରିଛନ୍ତି । ଯଦିଓ ଇରାନ୍‌ର ପରମାଣୁ ଠିକଣା ଧ୍ବଂସ କରିଥିବା ନେଇ ଆମେରିକା ଦାବି କରୁଛି, କିନ୍ତୁ କିଛି ବିଶେଷଜ୍ଞଙ୍କ ଅନୁସାରେ ଇରାନ୍‌କୁ ସେତେଟା କ୍ଷତି ହୋଇନାହିଁ ।ଗୋଟିଏ ପଟେ ଆମେରିକା ସେନା ଇରାନ ଉପରେ ଆକ୍ରମଣ କରିଥିଲା, ଅନ୍ୟପଟେ ଇରାନ୍‌ ଇରାକ୍‌ ଏବଂ କତାରରେ ଥିବା ଆମେରିକା ସେନା ବେସ୍‌ ଉପରେ ମିସାଇଲ ମାଡ଼ କରିଥିଲା । 

ଆମେରିକା ସୈନ୍ୟ ଠିକାଣ ଉପରେ ଆକ୍ରମଣ କରିବା ପରେ, ଖେଳରେ ଉଭୟ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି । ଏହାର ଅର୍ଥ, ଆମେରିକା ଆକ୍ରମଣ କଲା । ଏହାର ଜବାବ ବି ଦେଲା ଇରାନ । ଏହା ପରେ ଶାନ୍ତିର ଦୂତ ବୋଲି ପରିଚୟ ଦେବାକୁ ଆଗେଇ ଆସିଲେ ଟ୍ରମ୍ପ ଏବଂ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇଥିବା କହିଲେ । 

ପ୍ଲେୟାର-୩(ଇରାନ୍‌)

ବହୁ କ୍ଷତିର ସାମ୍ନା କରିଥିବା ଇରାନ୍‌ ୧୨ ଦିନିଆ ଯୁଦ୍ଧର ବାଜିଗର ବୋଲି ଦାବି କରୁଛି । ଆୟତୋଲ୍ଲା ଅଲ୍ଲୀ ଖାମେନିଙ୍କ ନେତୃତ୍ବରେ ଇସ୍ରାଏଲକୁ ସମାନ କ୍ଷତି ପହଞ୍ଚାଇଛି ଇରାନ୍‌ । ଯଦିଓ ଆମେରିକା ଏବଂ ଇସ୍ରାଏଲ, ଇରାନର ପରମାଣୁ ଠିକଣା ଧ୍ବଂସ କରୁଥିବା ଦାବି କରିଛନ୍ତି, କିନ୍ତୁ ସେତେଟା ପ୍ରଭାବିତ ହୋଇନାହିଁ ଇରାନ୍‌ । ତେହରାନ୍‌ର ପରମାଣୁ ବୈଜ୍ଞାନିକଙ୍କ ହତ୍ୟା ହୋଇଥିଲେ ବି, ଦେଶ ପ୍ରତିଜବାବ ଦେବାକୁ ସକ୍ଷମ ହୋଇଛି । ଯେଉଁ ଦେଶ ଗତ ୩୦୦ ବର୍ଷ ମଧ୍ୟରେ କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ, ଏଥର ଆମେରିକାକୁ ବି ପ୍ରତିଜବାବ ଦେବାକୁ ପଛାଇ ନାହିଁ ।

ଯୁଦ୍ଧବିରତି ହୋଇଛି,  ଉତ୍ତେଜନା ଥମିନି

ଇରାନ୍‌ର ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଅଲୀ ଭାଇଜ ନ୍ୟୁୟର୍କ ଟାଇମ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆମେରିକା କହୁଛି ଇରାନ୍‌ର ପରମାଣୁ ଠିକଣା ଧ୍ବଂସ କରିଛି । ଇସ୍ରାଏଲ କହୁଛି, ଇରାନକୁ ଦୁର୍ବଳ କରିଦେଇଛି । କିନ୍ତୁ ଏହା ବି ସତ୍ୟ ଯେ, ଇରାନ୍‌ ନିଜର ରକ୍ଷା ପାଇଁ ଲଢ଼ିଛି । ବିଶ୍ବର ମହାଶକ୍ତିକୁ ବି ଜବାବ ଦେଇଛି । ସେପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ସାରା ବିଶ୍ବକୁ ଆଶ୍ବସ୍ତି ଦେଇଛି । ଯଦିଓ ଯୁଦ୍ଧ ଥମିଛି କିନ୍ତୁ ଏହା କେତେ ଦିନ ଜାରି ରହିବ ତାହା ମଧ୍ୟ ପ୍ରଶ୍ନବାଚୀ । ଅନ୍ୟପଟେ ଗାଜା ଯୁଦ୍ଧକୁ ନେଇ ଅନିଶ୍ଚିତତା ଲାଗି ରହିଛି । ସେହିଭଳି ଲେବାନନ୍‌ରେ ମଧ୍ୟ ଇସ୍ରାଏଲ ଆକ୍ରମଣ କରୁଛି । ଇରାନ୍‌ ସହିତ ଯୁଦ୍ଧବିରତି ପରେ ମଧ୍ୟ ଲେବନନରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି ।