ନୂଆଦିଲ୍ଲୀ,୨୨/୦୬: ଇରାନ-ଇସ୍ରାଏଲ ସଂଘର୍ଷରେ ଆମେରିକା ଏଣ୍ଟ୍ରି କରିଛି । ସିଧା ସଳଖ ଯୁଦ୍ଧକୁ ଡେଇଁଛି ପେଣ୍ଟାଗନ୍ । ଇରାନର ତିନି ପରମାଣୁ ଠିକଣା ଉପରେ ହମଲା କରିଛି ଆମେରିକା । ଫୋର୍ଡୋ, ନତାଞ୍ଜ ଏବଂ ଇସ୍ଫହାନ ନ୍ୟୁକ୍ଲିୟର ସାଇଟ୍ ଧ୍ବଂସ ହୋଇଛି । ଆମେରିକା ବି-2 ବମ୍ବର ବ୍ୟବହାର କରି ଇରାନ୍‌ର ନ୍ୟୁକ୍ଲିୟର ସାଇଟ୍‌କୁ ଧ୍ୱସ୍ତ କରିଛି । ବଙ୍କର ବଷ୍ଟର ବୋମା ଦାଗିଥିବା ସୂଚନା ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ଏନେଇ ସୂଚନା ଦେଇଛନ୍ତି । ଏବେ ଶାନ୍ତିର ସମୟ ଆସିଛି । ଆମେରିକୀୟ ସେନା ତରଫରୁ ଏହି ସଫଳ ହମଲା ହୋଇଛି ବୋଲି ସୋସିଆଲ ମିଡିଆରେ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଉଡ଼ିଗଲା ୩ ନ୍ୟୁକ୍ଲିୟର ସାଇଟ୍‌- ୧୦ ଦିନ ହେବ ମଧ୍ୟାପ୍ରାଚ୍ୟରେ ଆଶନ୍ତି ଲାଗି ରହିଛି । ଇରାନ୍‌- ଇସ୍ରାଏଲ ଯୁଦ୍ଧକୁ କୁଦିଛି ଆମେରିକା । ଇରାନ୍‌ର ୩ ପରମାଣୁ ଆଡ୍ଡା ଫୋର୍ଡୋ, ନତାଞ୍ଜ ଏବଂ ଇସ୍ଫହାନକୁ ଆକ୍ରମଣ କରିଛି ଆମେରିକା । ବି-2 ବମ୍ବର୍ସ ସାହାଯ଼୍ୟରେ ସଠିକ୍ ଟାର୍ଗେଟ୍ କରି ୩ ପରମାଣୁ ଘାଟିକୁ ଉଡାଇ ଦେଇଛି । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା । ଏହି ଏୟାରଷ୍ଟ୍ରାଇକ୍ ପରେ ଆମେରିକାର ମଧ୍ୟପ୍ରାଚ୍ୟ ସ୍ଥିତ ତାର ସବୁ ଏୟାରବେସ୍‌ରେ ହାଇଆଲର୍ଟ ଜାରି କରିଛି ।

କ'ଣ କହିଲେ ଟ୍ରମ୍ପ ? ଇରାନ୍‌ ଉପରେ ଆକ୍ରମଣ ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ''ଏବେ ଶାନ୍ତି ସମୟ ଆସିଛି । ଆକ୍ରମଣରେ ଆମେରିକାକୁ ସଫଳତା ମିଳିଛି । ଆଣବିକ କ୍ଷମତା ନଷ୍ଟ ଆମର ମୂଳ ଲକ୍ଷ୍ୟ ଥିଲା । ଇରାନ୍‌ର ୩ ପରମାଣୁ ଠିକଣାରେ ଏକ ବଡ଼ ସଫଳ ହମଲା ହୋଇଛି । ଆମେରିକା ସେନା ଏହି  ୩ ଠିକଣାରେ ପୁରା ପ୍ରସ୍ତୁତି ସହ ବମ୍ ପକାଇଛି । ଯେଉଁଥିରେ ଫୋର୍ଡୋ ପ୍ରମୁଖ ଟାର୍ଗେଟ ଥିଲା । ଆମେରିକାର ସବୁ ଯୁଦ୍ଧବିମାନ ସୁନିଶ୍ଚିନ୍ତ ରୂପରେ ଇରାନ୍‌ ଏୟାରବେସ୍‌ରୁ ବାହାରି ଆସିଛି । ଏମିତି କ୍ଷମତା ଅନ୍ୟ କୌଣସି ସେନାଙ୍କ ପାଖରେ ନାହିଁ । ଆମେରିକା ସୈନ୍ୟର ଶକ୍ତି ଏକ ବଡ଼ ଉପଲବ୍ଧି । ଏବେ ଶାନ୍ତି ପାଇଁ ଅପିଲ୍‌ କରୁଛି । ଇରାନ୍‌ ଏବେ ଶାନ୍ତି ରହୁ ନଚେତ୍‌ ଆହୁରି ଭୟଙ୍କର ଆକ୍ରମଣ ହେବ। ''

କ'ଣ କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ? ଇରାନ୍‌ ଉପରେ ଆମେରିକାର ଆକ୍ରମଣ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ସେ କହିଛନ୍ତି, ''ଆମେରିକା ପ୍ରକୃତରେ ଅତୁଳନୀୟ । ସେ ଯାହା କରିଛି ଦୁନିଆରେ ଅନ୍ୟ କୌଣସି ଦେଶ କରିପାରିବ ନାହିଁ । ଇତିହାସରେ ଲେଖା ରହିବ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପ୍ରତ୍ୟାଖାନ କରିବାର କାର୍ଯ୍ୟ କରିଥିଲେ । ଇରାନ୍‌-ଇସ୍ରାଏଲ ବିବାଦ ମଧ୍ୟରେ ଆମେରିକା ଇରାନ୍‌ର ୩ଟି ପରମାଣୁ ଆଡ୍ଡା ଉପରେ ଆକ୍ରମଣ କରିଛି । ଆମେରିକାର ଇରାନ୍‌ର ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ସାହସିକ ନିଷ୍ପତ୍ତି ଇତିହାସକୁ ବଦଳାଇ ଦେବ । ଅପରେସନ୍ ରାଇଜିଂ ଲାଏନ୍‌ରେ, ଇସ୍ରାଏଲ ପ୍ରକୃତରେ ଭଲ କାମ କରିଛି ।''