ନୂଆଦିଲ୍ଲୀ: ଦକ୍ଷିଣ ଲେବାନନର ଆଉ ୨୨ ଗାଁକୁ ଚେତାବନୀ ଦେଇଛି ଇସ୍ରାଏଲ । ଆଓ୍ବାଲୀ ନଦୀର ଉତ୍ତର ଭାଗକୁ ଚାଲିଯିବାକୁ ଗ୍ରାମବାସୀକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ସରକାର । ଦକ୍ଷିଣ ଲେବାନନ୍‌ର ଲୋକମାନଙ୍କୁ ଘରକୁ ନଫେରିବାକୁ କୁହାଯାଇଛି । ହିଜବୁଲ୍ଲାହ ବିରୋଧରେ ଆକ୍ରମଣ ଜାରି ରହିବ ବୋଲି କହିଛି ଇସ୍ରାଏଲୀ ସେନା । ସେନା ମୁଖପାତ୍ର ଲେବାନନର ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନଙ୍କ ଗାଁ କିମ୍ବା ଏହାର ଆଖପାଖରେ ଥିବା ହିଜବୁଲ୍ଲାହର ଆଡ୍ଡାକୁ ଟାର୍ଗେଟ କରାଯାଉଛି । 

ସେ ଆହୁରି କହିଛନ୍ତି, ଆପଣମାନଙ୍କ ସୁରକ୍ଷା ପାଇଁ ଦୟାକରି ନିଜ ଘରକୁ ଫେରନ୍ତୁ ନାହିଁ । ପରବର୍ତ୍ତୀ ସୂଚନା ନମିଳିବା ଯାଏଁ ଦକ୍ଷିଣ ଲେବାନନ୍‌ ଯାଆନ୍ତୁ ନାହିଁ । ଯେଉଁମାନେ ଦକ୍ଷିଣକୁ ଯିବେ ନିଜ ଜୀବନ ପ୍ରତି ବିପଦ ଡାକି ଆଣିବେ ।’  ଅନ୍ୟ ଏକ ପୋଷ୍ଟ ଜରିଆରେ ଦକ୍ଷିଣ ଲେବାନନ୍‌ର ସ୍ବାସ୍ଥ୍ୟ କର୍ମୀ ଏବଂ ମେଡିକାଲ ଟିମ୍‌କୁ ଆମ୍ବୁଲାନ୍ସ ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି । ଏପରିକି ହିଜବୁଲ୍ଲାହ ଆତଙ୍କବାଦୀଙ୍କ ସହ ଯୋଗାଯୋଗ ନକରିବାକୁ ସ୍ବାସ୍ଥ କର୍ମୀମାନଙ୍କୁ ଅପିଲ କରିଛି ଇସ୍ରାଏଲ ସେନା ।  

ଯୁଦ୍ଧାସ୍ତ୍ର ଧରିଥିବା ଲୋକଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆକ୍ରମଣ କରିବ ବୋଲି ଆଇଡିଏଫ୍‌ ସ୍ପଷ୍ଟ କରିଛି । ତେବେ ଲେବାନନ୍‌ରେ ଗ୍ରାଉଣ୍ଡ ଅପରେସନ୍‌ କରିବାକୁ ପ୍ରସ୍ତୁତି କରୁଛି ଇସ୍ରାଏଲ । ଏହାରି ମଧ୍ୟରେ ଗାଜାରେ ଆଇଡିଏଫର ଆକ୍ରମଣରେ ପ୍ରାୟ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହମାସ ଦ୍ବାରା ପରିଚାଳିତ ସିଭିଲ ଡିଫେନ୍ସ ଏଜେନ୍ସିର ମୁଖପାତ୍ର କହିଛନ୍ତି, ସ୍ଥାନୀୟ ସମୟାନୁସାରେ ରାତି ୯.୪୦ରେ ଏୟାର ଷ୍ଟ୍ରାଇକ୍‌ ହୋଇଥିଲା ।  ସେତେବେଳେ ୧୨ ଜଣଙ୍କ ଜୀବନ ଯାଇଥିଲା । ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ଥିଲେ । ଉତ୍ତର ଗାଜାର ସିଭିଲ ଡିଫେନ୍ସ ଏଜେନ୍ସିର ନିର୍ଦେ୍ଦଶକ ଅହମଦ ଅଲ-ଖାଲୁତ କହିଛନ୍ତି ଯେ, ଭିନ୍ନ ଭିନ୍ନ ଆକ୍ରମଣରେ ୧୮ ଲୋକଙ୍କ ଜୀବନ ଯାଇଛି । ଏହି ଆକ୍ରମଣ ୮ଟି ସ୍କୁଲ ଉପରେ ହୋଇଥିବା ବେଳେ ସେଠାରେ ଶରଣାର୍ଥୀମାନେ ଆଶ୍ରୟ ନେଇଥି‌ଲେ ।