ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଜୋରଦାର ସଂଘର୍ଷ । ହିଜବୁଲ୍ଲା ଉପରେ ଆକ୍ରମଣ କରୁଛି ଇସ୍ରାଏଲ । ଲେବାନନ୍‌ରେ ଥିବା ହିଜବୁଲ୍ଲାର ଠିକଣା ଉପରେ ରକେଟ୍‌ ମାଡ଼ କରୁଛି ଇସ୍ରାଏଲ ସେନା । ଆଜି (ମଙ୍ଗଳବାର) ହିଜବୁଲ୍ଲାର ଦବଦବା ଥିବା ଦକ୍ଷିଣ ବେରୁଟ୍‌ରେ ଏକ ବିଲ୍ଡିଂକୁ ଟାର୍ଗେଟ କରିଥିଲା ଇସ୍ରାଏଲ୍‌ । ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ବୋଲି ଲେବାନନ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ହିଜବୁଲ୍ଲା ସହ ଯୁଦ୍ଧ ବିରାମ ନେଇ ବିଚାର କରିବା ମଧ୍ୟରେ ଆଜି ଇସ୍ରାଏଲର ଏହି ଆକ୍ରମଣ ଚିନ୍ତାର କାରଣ ପାଲଟିଛି । ଲେବାନନ୍‌ର ଜାତୀୟ ଗଣମାଧ୍ୟମ ଏନଏନଏ ଅନୁସାରେ, ଆଜି ଇସ୍ରାଏଲ ବେରୁଟ୍‌ର ନ୍ବଏରି ଅଞ୍ଚଳରେ ଥିବା ଏକ ୪ ମହଲା କୋଠାକୁ ଧ୍ବଂସ କରିଦେଇଛି । ଦେଶର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । 

 ଏୟାର ଷ୍ଟ୍ରାଇକ୍‌ ପରେ ପରେ ଦକ୍ଷିଣ ବେରୁଟ୍‌ରେ ନିଆଁ ଖେଳିଯାଇଥିଲା । ବିଭିନ୍ନ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ବୋଲି ଜଣାପଡ଼ିଛି । ଯେଉଁ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଇସ୍ରାଏଲ ଚେତାବନୀ ଦେଇଥିଲା ସେଠାରେ ହିଁ ଏୟାର ଷ୍ଟ୍ରାଇକ୍‌ ହୋଇଛି । ଏହି ଅଞ୍ଚଳରେ ହିଜବୁଲ୍ଲା ଆତଙ୍କବାଦୀ ଥିବା ୨୦ଟି କୋଠା ଇସ୍ରାଏଲ ସେନା ଟାର୍ଗେଟରେ ରହିଛି । ଏହା ପୂର୍ବରୁ ଶନିବାର ନ୍ବଏରିର ପାଖ ସହର ବାସ୍ତାରେ ରକେଟ ମାଡ଼ କରିଥିବା ଇସ୍ରାଏଲ । ଏହି ଆକ୍ରମଣରେ ପ୍ରାୟ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଲେବାନନ୍‌ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । 

ଅକ୍ଟୋବର ୧୦ରେ ନ୍ବଏରି ଏବଂ ବାସ୍ତାରେ ଇସ୍ରାଏଲ କରିଥିବା ଆକ୍ରମଣରେ ୨୨ ଜଣଙ୍କ ଜୀବନ ଯାଇଥିଲା । ହିଜବୁଲ୍ଲାର ସୁରକ୍ଷା ମୁଖ୍ୟ ଓ୍ବାଫିକ୍‌ ସାଫାକୁ ଟାର୍ଗେଟ କରି ଆଇଡିଏଫ ଏୟାର ଷ୍ଟ୍ରାଇକ କରିଥିଲା । କିନ୍ତୁ ସେ ଖସିଯିବାକୁ ସକ୍ଷମ ହୋଇଥିଲା । ଗାଜା ଯୁଦ୍ଧରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଲେବାନନ୍‌ରେ ମଧ୍ୟ ଭୟଙ୍କର ରୂପ ଧାରଣ କରିଛି । ଏବେ ସୁଦ୍ଧା ୩,୭୯୯ ଲେବାନନ୍‌ର ନାଗରିକ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି ।