ଗାଜା ସିଟି,୨୫/୧୦: ଗାଜା ଉପରେ ଇସ୍ରାଏଲ୍‌ ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ  ଜାରି ରହିଛି । ଗୁରୁବାର ଏଠାକାର ଏକ ସ୍କୁଲ ଉପରେ ଇସ୍ରାଏଲୀ ଏୟାର ଷ୍ଟ୍ରାଇକ୍‌  ଯୋଗୁ ଛାତ୍ରଛାତ୍ରୀଙ୍କ ସମେତ ୧୭ ଜଣ ପ୍ରାଣ ହରାଇଛନ୍ତି । ୩୨ରୁ ଅଧିକ ଆହତ  ହୋଇଛନ୍ତି । 

ନୁସେରାତ କ୍ୟାମ୍ପରେ ଥିବା ଏକ ଆଶ୍ରୟସ୍ଥଳ ଉପରେ ଏହି ହମ୍‌ଲା  ହୋଇଛି । ସ୍କୁଲକୁ ଆଶ୍ରୟସ୍ଥଳରେ ପରିଣତ କରାଯାଇଥିଲା । ମୃତକଙ୍କ ମଧ୍ୟରେ ୭ ବର୍ଷୀୟ ହମାଦ, ୮ ବର୍ଷୀୟ ମହମ୍ମଦ, ୯ ବର୍ଷୀୟ ମୋତାସିମ୍‌ ଓ ୫ ବର୍ଷୀୟ ମଲାକ୍‌  ରହିଛି । ଦୁଇ ମହିଳାଙ୍କ ସହ ୧୧ ମାସର ଜଣେ ପିଲା ବି ପ୍ରାଣ ହରାଇଛି । ତେବେ  ପ୍ରଥମ ଥର ପାଇଁ ଗାଜାର ସ୍କୁଲ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିନାହିଁ । ବର୍ତ୍ତମାନ  ଏହା ସ୍କୁଲଗୁଡ଼ିକୁ ଅଧିକ ଟାର୍ଗେଟ୍‌ କରୁଛି । ବିଭିନ୍ନ ସ୍ଥାନରୁ ବିସ୍ଥାପିତ ହୋଇ ଆସିଥିବା  ପରିବାରଗୁଡ଼ିକ ସ୍କୁଲ୍‌କୁ ନିରାପଦ ଭାବି ଆଶ୍ରୟ ନେଉଥିବା ବେଳେ ଇସ୍ରାଏଲ୍‌ ସେନାର  ଆଖି ସେମାନଙ୍କ ଉପରେ ପଡ଼ିଛି । ଏଠାରେ ଆତଙ୍କୀମାନେ ଲୁଚିଥିବା ଅଭିଯୋଗ କରି  ଇସ୍ରାଏଲ୍‌ ଏମାନଙ୍କୁ ଟାର୍ଗେଟ୍‌ କରୁଛି । ଅସ୍ଥାୟୀ ଶିବିର ଏବଂ ଆଶ୍ରୟସ୍ଥଳ ଉପରେ  ବର୍ତ୍ତମାନ ଜୋରଦାର ଆକ୍ରମଣ କରାଯାଉଛି । ଏଭଳି ସ୍ଥିତିରେ କେନ୍ଦ୍ରୀୟ ଗାଜାରେ ଥିବା  ଡେର୍‌ ଏଲ୍‌-ବଲାହ ସହରରେ ସାଙ୍ଘାତିକ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି ।  ଲୋକମାନେ ଖାଇବାକୁ ନ ପାଇ ଡହଳବିକଳ ହେଉଛନ୍ତି । ଆଜି ସହରର ଏକ  ବେକରି ସପ୍‌ ଖୋଲିବା ପରେ ଏହା ସମ୍ମୁଖରେ ହଜାର ହଜାର ଲୋକ ଭିଡ଼  ଜମାଇଥିଲେ । କିନ୍ତୁ କିଛି କ୍ଷଣ ପରେ ଦୋକାନ ଖାଲି ହୋଇଯାଇଥିଲା । ଫଳରେ  ଲୋକମାନେ ଭୋକିଲା ପେଟରେ ଫେରିଥିଲେ । ଏହି ଦୃଶ୍ୟ ଅତ୍ୟନ୍ତ ଦୟନୀୟ ଥିଲା