ଗାଜା ସିଟି,୦୪/୦୧: ଇସ୍ରାଏଲ  ଶୁକ୍ରବାର ଗାଜାରେ ଘନଘନ ଏୟାରଷ୍ଟ୍ରାଇକ୍‌  କରିଛି । ଏଥିରେ ଅନ୍ୟୁନ ୩୫ ଜଣଙ୍କ ମୃତ୍ୟୁ  ଘଟିଛି । ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ  ଇସ୍ରାଏଲ ୩୪ ଏୟାରଷ୍ଟ୍ରାଇକ୍‌ କଲାଣି ।  ଏଥିରେ ୭୧ ସାଧାରଣ ନାଗରିକଙ୍କ  ଜୀବନ ଯାଇଥିବା ଗାଜା ସରକାରୀ ମିଡିଆ  ଅଫିସ୍‌ ପକ୍ଷରୁ କୁହାଯାଇଛି । ଆକ୍ରମଣରେ  ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରାଯାଇଥିବା  ଅଭିଯୋଗ ହୋଇଛି । ଜାତିସଂଘ ମଧ୍ୟ  ଇସ୍ରାଏଲର ଏହି ଆକ୍ରମଣକୁ ନିନ୍ଦା  କରିଛି । 

୨୦୨୩ ଅକ୍ଟୋବର ୭ ପରଠାରୁ  ଇସ୍ରାଏଲ ଆକ୍ରମଣରେ ଅଦ୍ୟାବଧି  ଅନ୍ୟୁନ ୪୫,୫୮୧ ପାଲେଷ୍ଟିନୀୟଙ୍କ  ମୃତ୍ୟୁ ଘଟିଥିବା ଜଣାଯାଇଛି । ଗୁରୁବାର  ଇସ୍ରାଏଲ କରିଥିବା ଆକ୍ରମଣରେ ଜଣେ  ସାମ୍ବାଦିକ ଓମାର ଅଲ୍‌-ଡେରାୱିଙ୍କ ମୃତ୍ୟୁ  ଘଟିଛି । ଅନ୍ୟପକ୍ଷରେ ଶୁକ୍ରବାର ସକାଳୁ  ଇସ୍ରାଏଲରେ ମଧ୍ୟ ଆକ୍ରମଣ ହୋଇଛି ।  ୟେମେନରୁ ଇସ୍ରାଏଲକୁ ମିସାଇଲ  ଛଡ଼ାଯାଇଥିଲା ବୋଲି ଇସ୍ରାଏଲ କହିଛି ।  ତେବେ ଏଥିଯୋଗୁ ବିଶେଷ କ୍ଷୟକ୍ଷତି  ଘଟିନାହିଁ । ମିସାଇଲଗୁଡ଼ିକୁ ଇସ୍ରାଏଲ  ଆକାଶରେ ହିଁ ଖସାଇଦେଇଥିଲା ।  ସେପଟେ ଗାଜାରେ ଯୁଦ୍ଧବିରତିକୁ  ନେଇ କାତାରରେ ଆଲୋଚନା ହେବାକୁ  ଯାଉଛି । କାତାର ମଧ୍ୟସ୍ଥତାରେ ହେବାକୁ  ଥିବା ଏହି ବୈଠକରେ ହମାସ୍‌  ଏବଂ ଇସ୍ରାଏଲ ପ୍ରତିନିଧି ଶୁକ୍ରବାର  ଦୋହା ଅଭିମୁଖେ ବାହାରିଛନ୍ତି ।