ନୂଆଦିଲ୍ଲୀ: ଇସ୍ରାଏଲର ବାୟୁସେନା ଶନିବାର ଗାଜାରେ ଆକ୍ରମଣ କରିଛି। ଗାଜାର ଉତ୍ତରରେ ଥିବା ବେଟ୍ ଲାହିଆ ସହରରେ ହୋଇଥିବା ଏହି ଆକ୍ରମଣରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ସାମ୍ୱାଦିକ ମଧ୍ୟ ରହିଥିବା ଜଣାପଡିଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି ହୋଇଛି। ତେବେ ହମାସର ନେତାମାନେ ଯୁଦ୍ଧବିରାମକୁ ନେଇ କାହିରାରେ କଥାବର୍ତ୍ତା ଚଳାଇଥିବା ବେଳେ ଇସ୍ରାଏଲ ଏହି ଆକ୍ରମଣ କରିଥିଲା।
ଇସ୍ରାଏଲି ସେନା ଆକ୍ରମଣ ପାଇଁ ଏକ କାରକୁ ଟାର୍ଗେଟ କରିଥିଲା। କାରଟି ଏକ ଯାତ୍ରୀବାହୀ କାର ଥିବାରୁ ଏହି ଆକ୍ରମଣରେ କାର ଭିତରେ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଲୋକମାନେ ମୃତାହତ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି। ସ୍ଥାନୀୟ ସାମ୍ବାଦିକ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କାରରେ ଥିବା ଲୋକମାନେ ଅଲ-ଖୈର ଫାଉଣ୍ଡେସନ ନାମକ ଏକ ଦାନଶୀଳ ସଂସ୍ଥାର କର୍ମଚାରୀ ଥିଲେ। ସେମାନେ ବେଟ୍ ଲାହିଆରେ ଏକ ସହାୟତା କାର୍ଯ୍ୟ ଚଲାଉଥିଲେ। ତାଙ୍କ ସହିତ ସାମ୍ବାଦିକ ଏବଂ ଫଟୋଗ୍ରାଫରମାନେ ମଧ୍ୟ ଥିଲେ। ପାଲେଷ୍ଟାଇନୀ ଗଣମାଧ୍ୟମ ଅନୁଯାୟୀ, ମୃତକଙ୍କ ମଧ୍ୟରେ ତିନି ଜଣ ସାମ୍ବାଦିକ ଅଛନ୍ତି। ଇସ୍ରାଏଲୀ ସେନା ଏହି ଘଟଣା ଉପରେ ଏପର୍ଯ୍ୟନ୍ତ ଯାଏଁ କୌଣସି ମନ୍ତବ୍ୟ ଜାରି କରିନାହିଁ।
ଏହି ଘଟଣା ପରେ ଗାଜାରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଏହି ଘଟଣା ଗତ ଜାନୁଆରୀ ୧୯ ତାରିଖରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମାର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଛି। ଏହି ପରିପ୍ରକ୍ଷିରେ ପାଲେଷ୍ଟାଇନୀ ଅଧିକାରୀମାନେ କହିଛନ୍ତି ଯେ ଯୁଦ୍ଧବିରତି ସତ୍ତ୍ୱେ ଇସ୍ରାଏଲୀ ସେନାର ଆକ୍ରମଣରେ ଗାଜାର ଅନେକ ଲୋକ ପ୍ରାଣ ହରାଇଛନ୍ତି। ପୂର୍ବରୁ ଇସ୍ରାଏଲୀ ସେନା କହିଥିଲା ଯେ ଆତଙ୍କବାଦୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ଦୃଷ୍ଟିରେ ରଖି ସେମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨ ତାରିଖରେ ଯୁଦ୍ଧବିରାମର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ, ଇସ୍ରାଏଲ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ କରିବାକୁ ମନା କରିଦେଇଛି। ଏଣୁ ହମାସର ଗାଜା ମୁଖ୍ୟ ଖଲିଲ ଅଲ-ହାୟା ଯୁଦ୍ଧବିରତି ଉପରେ କଥାବର୍ତ୍ତା ଆଗକୁ ବଢାଇବା ପାଇଁ କାହିରାରେ ପହଞ୍ଚିଛନ୍ତି।