ଗାଜାସିଟି,୧୭/୦୧: ହମାସ ସହ ଯୁଦ୍ଧବିରତିକୁ ନେଇ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଇସ୍ରାଏଲ ଗୁରୁବାର ଗାଜାର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି । ବିମାନ ଓ ଡ୍ରୋନରୁ ବୋମା ବର୍ଷା ସହ ଗୋଳାମାଡ଼ରେ  ୮୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତକଙ୍କ  ମଧ୍ୟରେ ୨୧ ପିଲା ଓ ୨୫ ଜଣ ମହିଳା ଅଛନ୍ତି । ଏଥିସହ ଆକ୍ରମଣରେ ଅନେକ  ଅଟ୍ଟାଳିକା ଧ୍ୱଂସ ପାଇଯାଇଛି । ଧ୍ୱଂସସ୍ତୁପ ଭିତରେ ଆହୁରି ଅନେକ ଲୋକ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଇସ୍ରାଏଲ  ଓ ହମାସ ମଧ୍ୟରେ ଯୁଦ୍ଧବିରତିକୁ ନେଇ  ସହମତି ପ୍ରକାଶ ପାଇବା ପରେ ଗାଜାରେ  ଲୋକମାନେ ଉତ୍ସବ ମନାଇଥିଲେ । ହେଲେ ମାତ୍ର ୨ ଘଣ୍ଟା ଭିତରେ ସବୁ ଉତ୍ସାହ ଓ ଖୁସି  ଲୁହରେ ଧୋଇଯାଇଥିଲା । 

ସେପଟେ ଦୋହା  ଠାରେ କତାର, ଇଜିପ୍ଟ ଓ ଆମେରିକାର  ମଧ୍ୟସ୍ଥତାରେ ଇସ୍ରାଏଲ ଏବଂ ହମାସ ପ୍ରତିନିଧିଙ୍କ ମଧ୍ୟରେ ଯୁଦ୍ଧବିରତି ନେଇ ସହମତି ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ ।  କାରଣ ଯୁଦ୍ଧବିରତି ପ୍ରସ୍ତାବକୁ ଇସ୍ରାଏଲ ସୁରକ୍ଷା କ୍ୟାବିନେଟ ଅନୁମୋଦନ  କରିନାହିଁ । ହମାସ ଯୁଦ୍ଧବିରତି ବୁଝାମଣାରୁ ଦୂରେଇ ଯାଇଥିବାର ଅଭିଯୋଗ ଆଣି  ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗୁରୁବାର ଅପରାହ୍ନ ୩ଟାରେ ହେବାକୁ  ଥିବା କ୍ୟାବିନେଟ ବୈଠକକୁ ବାତିଲ କରିଦେଇଛନ୍ତି । 

ସେ ଅଭିଯୋଗ କରିଛନ୍ତି  ଯେ ହମାସ ଯୁଦ୍ଧବିରତି ବୁଝାମଣାରୁ ପଛକୁ ହଟିବାକୁ ଉଦ୍ୟମ କରୁଛି ଓ ନୂଆ  ନୂଆ ଦାବି ମଧ୍ୟ ଉଠାଉଛି । ଅନ୍ୟପକ୍ଷରେ ନେତନ୍ୟାହୁଙ୍କ ଏଭଳି ଅଭିଯୋଗକୁ  ହମାସ ଖଣ୍ଡନ କରିଛି । ଦୁଇଦେଶର ପ୍ରତିନିଧିଙ୍କ ମଧ୍ୟରେ ଯେଉଁ ବୁଝାମଣା  ହୋଇଥିବା ତା ଉପରେ ହମାସ୍‌ ଏବେ ବି କାଏମ ରହିଥିବା ନେଇ ଦାବି କରିଛି।