ବିରୁଟ୍‌,୦୮/୧୧: ଲେବାନନ୍‌ର ରାଜଧାନୀ ବିରୁଟ୍‌ରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇସ୍ରାଏଲ୍‌ ପକ୍ଷରୁ ବୋମାମାଡ଼ କରାଯାଇଛି। ବିରୁଟ୍‌ର  ଅନ୍ୟ କେତେକ ସ୍ଥାନ ସମେତ ବେକ୍କା ଘାଟିରେ ବି  ଏୟାର ଷ୍ଟ୍ରାଇକ୍‌ ହୋଇଛି । ଏହି ହମଲାରେ ମୋଟ  ୪୦ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ  ଆହତ ହୋଇଛନ୍ତି । 

ରିପୋର୍ଟ ମୁତାବକ, ଆକ୍ରମଣ  ପୂର୍ବରୁ ଇସ୍ରାଏଲ ଡିଫେନ୍ସ ଫୋର୍ସେସ (ଆଇଡିଏଫ୍‌)  ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳକୁ ଖାଲି କରିବା ପାଇଁ ଲୋକଙ୍କୁ କହିଥିଲା । ବିରୁଟ୍‌ରେ ଆକ୍ରମଣ  ବେଳେ ଆଇଡିଏଫ୍‌ ହିଜ୍‌ବୁଲ୍ଲାର କମାଣ୍ଡ ସେଣ୍ଟର ଓ  ଯୁଦ୍ଧାସ୍ତ୍ର ଡିପୋକୁ ଟାର୍ଗେଟ୍‌ କରିଥିଲା । ଏହା ପୂର୍ବରୁ  ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଇସ୍ରାଏଲୀ ସେନା  ଲେବାନନ୍‌ର ବାରଜା ସହରର ଏକ ଅଟ୍ଟାଳିକା ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା । ଏଥିରେ ପ୍ରାୟ ୩୦ ଜଣଙ୍କ  ମୃତ୍ୟୁ ଘଟିଥିଲା । ଆକ୍ରମଣ ପୂର୍ବରୁ ଆଇଡିଏଫ୍‌  କୌଣସି ଚେତାବନୀ ଦେଇ ନ ଥିଲା । ଦୁଇଦିନ ଧରି  ଚାଲିଥିବା ଆକ୍ରମଣରେ ମୋଟ ୧୦୦ ଜଣଙ୍କ ମୃତ୍ୟୁ  ଘଟିଛି । ଇତିମଧ୍ୟରେ ହିଜ୍‌ବୁଲ୍ଲା ଆତଙ୍କୀ ସଙ୍ଗଠନ  ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ବୋଲି କହିଛି । ସେପଟେ  ଗାଜାରେ ବି ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛନ୍ତି ।  ସେମାନେ ସ୍ଥଳଭାଗରେ ବେଇତ ଲାହିୟା ପର୍ଯ୍ୟନ୍ତ  ପହଞ୍ଚିଗଲେଣି । ଏ ପର୍ଯ୍ୟନ୍ତ ଆଇଡିଏଫ୍‌ ସେଠାରେ  କେବଳ ବୋମାମାଡ଼ କରୁଥିଲା । ଇସ୍ରାଏଲର କହିବା  କଥା ହେଉଛି ଏହି ଅଞ୍ଚଳରେ ପୁଣିଥରେ ହମାସର  ଆତଙ୍କୀମାନେ ଏକତ୍ର ହେବା ଆରମ୍ଭ କରିଛନ୍ତି ।