ନୂଆଦିଲ୍ଲୀ : ଗାଜା ପଟ୍ଟିରେ ଇସ୍ରାଏଲୀୟ ହମଲା ଜାରି ରହିଛି। ସଦ୍ୟ ହମଲାରେ ଗୋଟିଏ ହିଁ ପରିବାରର ୬ ଜଣ ସଦସ୍ୟ ଓ ହମାସ ପ୍ରବକ୍ତାଙ୍କର ମୃତ୍ୟୁ ହୋଇଛି। ବୁଧବାର ରାତିରୁ ଗୁରୁବାର ଯାଏ ହମଲାରେ ଉତ୍ତର ଗାଜାରେ ଜବାଲିଆ ଅଞ୍ଚଳରେ ଏକ ତମ୍ୱୁରେ ରହୁଥିବା ଅବଦୁଲ –ଲତିଫ୍ ଅଲ-କାନୌଆଙ୍କୁ ଟାର୍ଗେଟ୍ କରାଯାଇଛି, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ଏହି ବିଷୟରେ ହମାସର ଆଉ ଜଣେ ଅଧିକାରୀ ବାସମ୍ ନାଇମ୍ ସୂଚନା ଦେଇଛନ୍ତି। ଗାଜା ସିଟି ନିକଟରେ ହୋଇଥିବା ଆଉ ଏକ ହମଲାରେ ୪ ପିଲା ଓ ତାଙ୍କର ମାତାପିତାଙ୍କ ମୃତ୍ୟୁ ହୋଇଛି। ଏହି ବିଷୟରେ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜରୁରୀକାଳୀନ ସେବା କହିଛି।
ଇସ୍ରାଏଲ ଗତ ସପ୍ତାହରେ ହମାସ ସହ ଯୁଦ୍ଧ ବିରାମ ଶେଷ କରି ଦେଇଥିଲା ଏବଂ ସିରିଜ୍ ଆକ୍ରମଣ ଆରମ୍ଭ କରି ଥିଲା। ଏହି ହମଲାରେ ଶହ ଶହ ପାଲେଷ୍ଟାଇନ୍ଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ସେପର୍ଯ୍ୟନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସଙ୍କଳ୍ପ ନେଇଛି, ଯେପର୍ଯ୍ୟନ୍ତ ହମାସ ତାର ଅବଶିଷ୍ଟ ୫୯ବନ୍ଧକକୁ ଛାଡ଼ି ନାହିଁ ,ଯେଉଁଥିରେ ୨୪ଜଣ ବନ୍ଧକଙ୍କ ଜୀବିତ ରହିବାର ଅନୁମାନ କରାଯାଉଛି।
ଗାଜା ସହରର କିଛି ସ୍ଥାନକୁ ଖାଲି କରିବାକୁ ନିର୍ଦ୍ଦେଶ –
ଇସ୍ରାଏଲୀୟ ସେନା ହମାସ ବିରୋଧରେ ହମଲା ଜୋରସୋର କରି, ବୁଧବାର ଗାଜା ସହରର କିଛି ଭାଗକୁ ଖାଲି କରିବାର ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ଜିତୁନ, ତେଲ ଅଲ-ହୱା ଓ ଅନ୍ୟ ଅଞ୍ଚଳରେ ଲାଗୁ ହୋଇଥାଏ , ଯେଉଁଠି ଇସ୍ରାଏଲୀୟ ସେନା ୧୭ ମାସର ଯୁଦ୍ଧ ବେଳେ ବଡ଼ ସ୍ତରରେ ହମଲା କରିଛି। ସେନା କହିଛି ଯେ, ଏହି କ୍ଷେତ୍ରରେ ମାଡ଼ କରାଯାଇ ଥିବା ରକେଟ୍ର ଜବାବରେ ସେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ଏବଂ ନିବାସୀଙ୍କୁ ଦକ୍ଷିଣ ଆଡ଼କୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ହମାସକୁ ଅସ୍ତ୍ରଶସ୍ତ୍ର ଛାଡ଼ିବା ଓ ନିଜ ନେତାଙ୍କୁ ନିର୍ବାସିତ କରିବାକୁ ମଧ୍ୟ ଇସ୍ରାଏଲ କହିଛି। ସେପଟେ, ହମାସ ଜବାବରେ କହିଛି ଯେ, ସେ ଏକ ସ୍ଥାୟୀ ଯୁଦ୍ଧ ବିରାମ ଓ ଗାଜାରୁ ଇସ୍ରାଏଲ୍ ଫୋର୍ସର ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ବିନା ଅବଶିଷ୍ଟ ବନ୍ଧକଙ୍କୁ ମୁକ୍ତ କରିବ ନାହିଁ।