ନୂଆଦିଲ୍ଲୀ,୧୬/୧୦: ଇସ୍ରାଏଲର ହିଜଜୁଲ୍ଲା, ହମାସ ଓ ଇରାନ ସହ ଏକାସଙ୍ଗେ ଜାରି ରହିଛି ଲଢେଇ । ଏହାରି ମଧ୍ୟରେ ଇସ୍ରାଏଲ୍ ରକେଟ୍ ଏବଂ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ଅଭାବର ସମ୍ମୁଖୀନ ହୋଇଥିବା FTରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି। ଇରାନ ସହିତ ବିବାଦ ବଢିବା ସହିତ ତେଲ ଅବୀବରେ ଗୋଲା ବାରୁଦ କମ୍ ହେଉଛି। ଯାହାଦ୍ବାରା ୧୦ ମିଲିୟନ ଇସ୍ରାଏଲର ଜୀବନ ପଡିପାରେ ବିପଦରେ। ବିଶେଷଜ୍ଞ ତଥା ପୂର୍ବତନ ସାମରିକ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଯଦି ଇରାନ ବର୍ତ୍ତମାନ ପୁଣିଥରେ ଯୁଦ୍ଧ ଆରମ୍ଭ କରିଦିଏ, ତେବେ ବାୟୁ ପ୍ରତିରକ୍ଷା କ୍ଷମତା କମ୍ ପଡିଯିବ ।
ଏନେଇ ଆମେରିକାର ପୂର୍ବତନ ପ୍ରତିରକ୍ଷା ଅଧିକାରୀ ଡାନା ଷ୍ଟ୍ରୋଲ କହିଛନ୍ତି, “ଇସ୍ରାଏଲର ଯୁଦ୍ଧ ସାମଗ୍ରୀ ବିଷୟ ଗୁରୁତର ଅଟେ । ଯଦି ଇରାନ ଇସ୍ରାଏଲର ଆକ୍ରମଣର ଜବାବ ଦିଏ ଓ ହିଜବୁଲ୍ଲା ଯଦି ଏହି ଆକ୍ରମଣରେ ସାମିଲ ହୋଇଯାଏ, ତେବେ ଇସ୍ରାଏଲର ବାୟୁ ପ୍ରତିରକ୍ଷା ଉପରେ ପ୍ରଭାବ ପଡିବ । ବର୍ତ୍ତମାନ ଇସ୍ରାଏଲ୍ ବହୁ ସ୍ତରୀୟ ବାୟୁ ରକ୍ଷା ପ୍ରଣାଳୀର ଉପଯୋଗ କରୁଛି । ଯେଉଁଥିରେ ଆଇରନ ଡୋମ୍ ସାମିଲ ରହିଛି। ଯାହାର ଉପଯୋଗ କମ୍ ଦୂରରେ ଥିବା ମିସାଇଲକୁ ମାରିବାରେ ବ୍ୟବହୃତ ହୁଏ। ସେହିପରି ଡେଭିଡ୍ ସ୍ଲିଙ୍ଗର ବ୍ୟବହାର ମଧ୍ୟମ ଦୂରଗାମୀ ମିସାଇଲକୁ ରୋକିବାରେ କରାଯାଇଥାଏ ଏବଂ ବୋଲିଷ୍ଟିକ ମିସାଇଲକୁ ରୋକିବା ପାଇଁ ଏରୋ ପ୍ରଣାଳୀ ବ୍ୟବହାର କରାଯାଇଥାଏ। ଗତ ବର୍ଷ ଅକ୍ଟୋବର ୭ରେ ଆକ୍ରମଣ ପରଠାରୁ ଗାଜାସ୍ଥିତ ଆନ୍ତକବାଦୀ ସଂଗଠନ ହମାସ ୨୦ ହଜାରରୁ ଅଧିକ ରକେଟ ଓ କ୍ଷପଣାସ୍ତ୍ର ଉତକ୍ଷେପଣ କରିଛି । ଏହାରି ମଧ୍ୟରେ ଇରାନ୍ ଏପ୍ରିଲ ଏବଂ ଅକ୍ଟୋବରରେ ଶହ ଶହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଦୁଇଟି ଭାରୀ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଯାହାଦ୍ୱାରା ଇସ୍ରାଏଲ ନିଜ ସାମର୍ଥ୍ୟର ଚରମ ସୀମାରେ ପହଞ୍ଚିଛି ।
ଏହି ଆକ୍ରମଣ ସତ୍ତ୍ୱେ ପୂର୍ବତନ ଆଇଡିଏଫ୍ ଜେନେରାଲ୍ ଆସଫ୍ ଓରିଓନ୍ କହିଛନ୍ତି ଯେ, ଇସ୍ରାଏଲର ଏପର୍ଯ୍ୟନ୍କ ସମ୍ପୂର୍ଣ୍ଣ ପରୀକ୍ଷଣ ହୋଇନି । କାରଣ ହିଜବୁଲ୍ଲାକୁ ବର୍ତ୍ତମାନ ନିଜର ପୂରା କ୍ଷମତାର ବ୍ୟବହାର କରିବା ବାକି ରହିଛି। ତେବେ ଇସ୍ରାଏଲ୍ ସଂଘର୍ଷ କରୁଥିବାବେଳେ ସେପଟେ ଆମେରିକା ଟର୍ମିନାଲ୍ ହାଇ ଆଲ୍ଟିଟେଡ୍ ଏରିଆ ଡିଫେନ୍ସ ମିସାଇଲ୍ ସିଷ୍ଟମ୍ (THAAD) ପଠାଇବା ସହ ୧୦୦ ଟି ସୈନ୍ୟ ପଠାଇବାକୁ ପ୍ରତିଶୃତି ଦେଇଛି। ଥାଡ଼(THAAD)ହେଉଛି ଏକ ପ୍ରସିଦ୍ଧ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ। ଯାହା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଅଟକାଇବାର କ୍ଷମତା ପାଇଁ ଜଣାଶୁଣା | ଏହା ଇସ୍ରାଏଲର ଆଇରନ୍ ଡୋମ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ଆହୁରି ମଜବୁତ୍ କରାଇବ ।