ନୂଆଦିଲ୍ଲୀ: ଗୁରୁବାର ଗାଜାରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ସେନା । ଏହି ଆକ୍ରମଣରେ ୩ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି ।  ଏହା ସହ ହମାସ ଦ୍ବାରା ପରିଚାଳିତ ପୋଲିସ ଫୋର୍ସର ଦୁଇ ଜଣ ବଡ଼ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।   ଗୁରୁବାର ସକାଳେ ପ୍ରଥମ ଏୟାର ଷ୍ଟ୍ରାଇକ୍‌ କରିଥିଲା ଇସ୍ରାଏଲ ।  

ହଜାର ହଜାର ଲୋକେ ଅସ୍ଥାୟୀ ଟେଣ୍ଟରେ ରହିଥିବା ସ୍ଥାନକୁ ଇସ୍ରାଏଲ ସେନା ଟାର୍ଗେଟ କରିଥିଲା ବୋଲି ଅଭିଯୋଗ ହୋଇଛି । ଅନ୍ୟ ଏକ ଷ୍ଟ୍ରାଇକ୍‌ କେନ୍ଦ୍ରୀୟ ଗାଜା ଉପରେ ହୋଇଥିଲା ଏବଂ ଏଥିରେ ୮ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ହୋଇଛି । ସେମାନେ ମାନବୀୟ ସହାୟତା ପହଞ୍ଚାଇବାକୁ କାମ କରୁଥିବା ଏକ କମିଟିର ସଦସ୍ୟ ବୋଲି ମୃତଦେହ ଗ୍ରହଣ କରିଥିବା ଅଲ-ଆକ୍ସା ହସ୍ପିଟାଲ ପକ୍ଷରୁ ଏହା କୁହାଯାଇଛି । 

ସେପଟେ ଏୟାର ଷ୍ଟ୍ରାଇକ୍‌କୁ ନେଇ ଇସ୍ରାଏଲ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । ସୂଚନାଯୋଗ୍ୟ, ୭ ଅକ୍ଟୋବର ୨୦୨୩ରେ ହମାସ ସଂଗଠନ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ କରାଯିବା ଏବଂ ନାଗରିକଙ୍କୁ ବନ୍ଧକ ବନାଇବା ପରଠାରୁ ଏହି ଯୁଦ୍ଧ ଜାରି ରହିଛି । ହମାସ ଆକ୍ରମଣରେ ୧୨୦୦ ଲୋକଙ୍କ ଜୀବନ ଯାଇଥିଲା । ୨୫୦ ଲୋକଙ୍କୁ ହମାସ ଗୋଷ୍ଠୀ ବନ୍ଧକ କରିନେଇଥିଲେ । ଏବେ ବି ୧୦୦ ଅଧିକ ଲୋକ ହମାସ କବଜାରେ ରହିଛନ୍ତି । 

ସେପଟେ ଇସ୍ରାଏଲାର ପ୍ରତିଜବାବରେ ଗାଜା ଛାରଖାର ହୋଇଯାଇଥିବା ବେଳେ ଏବେ ସୁଦ୍ଧା ୪୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ଅଧାରୁ ଅଧିକ ମହିଳା ଏବଂ ଶିଶୁ ଅଛନ୍ତି ବୋଲି ଗାଜାର ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।