ନୂଆଦିଲ୍ଲୀ ୦୭/୦୧: ବଡ଼ ସଫଳତା ହାସଲ କରିଛି ଇସ୍ରୋ । ଏହାର ପିଏସ୍‌ଏଲ୍‌ଭି-ସି୬୦ ମିଶନ୍‌ରେ ମହାକାଶକୁ ଯାଇଥିବା କମ୍ପ୍ୟାକ୍ଟ ରିସର୍ଚ୍ଚ ମଡ୍ୟୁଲ ଫର୍‌ ଅର୍ବିଟାଲ ପ୍ଲାଣ୍ଟ୍‌ ଷ୍ଟଡିଜ୍‌ (କ୍ରପ୍ସ) ଏହି ସଫଳତା ଦେଇଛି । ଏଥିରେ ମହାକାଶକୁ ଯାଇଥିବା ‘କାଓପିୟା’ ବା ଝୁଡ଼ଙ୍ଗ ମଞ୍ଜି ଅଙ୍କୁରିତ ହେବା ପରେ ପ୍ରଥମ ଥର ପତ୍ର ଦେଇଛି । ଶୂନ୍ୟ ମାଧ୍ୟାକର୍ଷଣରେ ଉଦ୍ଭିଦ ବୃଦ୍ଧି ସମ୍ପର୍କରେ ବୁଝିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପ୍ରମାଣିତ ହୋଇଛି । ମହାକାଶର ଅନନ୍ୟ ପରିବେଶକୁ ଉଦ୍ଭିଦ କେମିତି ଆପଣାଉଛନ୍ତି ଏବଂ ବଢ଼ୁଛନ୍ତି ତା’ର ଅଧ୍ୟୟନ କ୍ରପ୍ସ ପରୀକ୍ଷଣର ଉଦ୍ଦେଶ୍ୟ । 

୨୦୨୪, ଡିସେମ୍ବର ୩୦ ତାରିଖରେ ପିଏସ୍‌ଏଲ୍‌ଭି-ସି୬୦ ମିଶନ ଅନ୍ତର୍ଗତ ଏହା ମହାକାଶକୁ ଯାତ୍ରା କରିଥିଲା । ଏହାର ଉତ୍‌କ୍ଷେପଣର ମାତ୍ର ୪ ଦିନ ମଧ୍ୟରେ ୮ଟି ଝୁଡ଼ଙ୍ଗ ମଞ୍ଜି ଅଙ୍କୁରିତ ହୋଇଥିବା ଇସ୍ରୋ ଘୋଷଣା କରିଥିଲା । ପୋଏମ୍‌-୪ ପ୍ଲାଟ୍‌ଫର୍ମରେ ଏହି ମଞ୍ଜି ଅଙ୍କୁରିତ ହୋଇଥିଲା, ଯାହା ବୈଜ୍ଞାନିକ ପରୀକ୍ଷଣ ନିମନ୍ତେ ପିଏସ୍‌ଏଲ୍‌ଭି ରକେଟ୍‌ର ୪ର୍ଥ ସୋପାନର ଉପଯୋଗ କରେ । ଝୁଡ଼ଙ୍ଗ ମଞ୍ଜି ଅଙ୍କୁରିତ ହୋଇ ସଫଳତାପୂର୍ବକ ପତ୍ର ଆସିବା ମହାକାଶରେ ଉଦ୍ଭିଦ ଜୀବବିଜ୍ଞାନ କ୍ଷେତ୍ରରେ ଅଧ୍ୟୟନର ଗୁରୁତ୍ୱ ଉପରେ ଆଲୋକପାତ କରିଛି । କ୍ରପ୍ସ ପରୀକ୍ଷଣ ଭବିଷ୍ୟତର ଦୀର୍ଘକାଳୀନ, ଖାସ୍‌କରି ମାନବ ମହାକାଶ ମିଶନ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ଦ୍ଧିତ ମହାକାଶ ମିଶନରେ ମହାକାଶଚାରୀଙ୍କୁ ଲମ୍ବା ଅବଧି ଧରି ସମର୍ଥନ କରିବା ପାଇଁ ଏହି ପରୀକ୍ଷଣ ଅତ୍ୟନ୍ତ ସହାୟକ ହେବ । ମହାକାଶରେ ଉଦ୍ଭିଦ ରୋପଣ ଓ ଭୋଜନରେ ଉପଯୋଗ ପାଇଁ ଏହି ମିଶନ୍‌ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ।