ନୂଆଦିଲ୍ଲୀ,୪।୧୨: ପ୍ରୋବା-୩ ମିଶନର ଲଞ୍ଚ୍‌ ତାରିଖକୁ ଘୁଞ୍ଚାଇଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ବୁଧବାର ଅପରାହ୍ନ ୪ଟା ୦୬ ମିନିଟ୍‌ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଭବନ ସ୍ପେଶ୍‌ ସେଣ୍ଟରରୁ ଏହି ସାଟେଲାଇଟ୍‌କୁ ଲଞ୍ଚ ହେବାର ଥିଲା। କିନ୍ତୁ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୫ ଅପରାହ୍ନ ୪ଟା ୧୨ ମିନିଟ୍‌ରେ  ଇସ୍ରୋ PSLV-C59 ରକେଟ୍‌ରୁ ଏହାକୁ କରାଯିବ ଲଞ୍ଚ ।

ଲଞ୍ଚ ତାରିଖ କାହିଁକି ଘୁଞ୍ଚିଲା ସେ ନେଇ ଇସ୍ରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛି। ଇସ୍ରୋ କହିଛି ପ୍ରୋବା-୩ ସ୍ପେଶକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆଜି ଲଞ୍ଚ ସମୟର ମାତ୍ର କିଛି ମିନିଟ ପୂର୍ବରୁ ଇସ୍ରୋ ଏ ନେଇ 'X' ସାଇଟ୍‌ରେ ଏକ ପୋଷ୍ଟ କରି ସୂଚନା ଦେଇଛି । ଅନ୍ୟପକ୍ଷେ ୟୁରୋପୀୟ ସ୍ପେଶ୍‌ ଏଜେନ୍ସି ନିଜର ସୂର୍ଯ୍ୟ ମିଶନ ସ୍ଥଗିତ ନେଇ ଏକ୍ସ ସାଇଟରେ ମଧ୍ୟ ସୂଚନା ଦେଇଛି । ESA ପୋଷ୍ଟରେ କହିଛି ଯେ ପ୍ରୋବା-୩ ସ୍ପେଶକ୍ରାଫ୍ଟ ବା ମହାକାଶ ଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ଆସନ୍ତାକାଲିକୁ ଘୁଞ୍ଚାଯାଇଛି । ତେବେ ଦୁଇ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ଯେ ସାଟେଲାଇଟ୍‌ରେ କିଭଳି ଯାନ୍ତ୍ରିତ ତ୍ରୁଟି ପରିଲକ୍ଷିତ ହୋଇଥିଲା। 

ପ୍ରୋବା-୩ ବିଶ୍ୱର ପ୍ରଥମ ପ୍ରେସିଶନ୍‌ ଫର୍ମେଶନ୍‌ ଫ୍ଲାଇଙ୍ଗ୍‌ ସାଟେଲାଇଟ୍‌ । ଅର୍ଥାତ୍‌ ଏଥିରେ ଗୋଟିଏ ନୁହେଁ ଦୁଇଟି ସାଟେଲାଇଟ୍‌ ଲଞ୍ଚ୍‌ ହେବ । ଏହାର ମୋଟ୍‌ ଓଜନ ୫୫୦ କିଲୋ ହେବ । ପ୍ରଥମଟି କୋରୋନାଗ୍ରାଫ୍‌ ସ୍ପେସ୍‌କ୍ରାଫ୍ଟ ଓ ଅନ୍ୟଟି ଅକଲ୍ଟର ସ୍ପେସ୍‌କ୍ରାଫ୍ଟ । ୩୧୦ କିଲୋ ଓଜନର କୋରୋନାଗ୍ରାଫ୍‌ ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟ ଆଡ଼କୁ ମୁହଁ କରି ରହିବ । ଏଥିରେ ଥିବା ଉପକରଣ ସୂର୍ଯ୍ୟର ବାହ୍ୟ ଓ ଆଭ୍ୟନ୍ତର କୋରୋନା ମଧ୍ୟରେ ଦୂରତାକୁ ଅଧ୍ୟୟନ କରିବ । ୨୪୦ କିଲୋର ଅକଲ୍ଟର ସ୍ପେସ୍‌କ୍ରାଫ୍ଟ କୋରୋନାଗ୍ରାଫ୍‌ର ପଛରେ ରହିବ । ଏହାର ଉପକରଣ ସୂର୍ଯ୍ୟ କୋରୋନାରୁ ମିଳୁଥିବା ତଥ୍ୟଗୁଡ଼ିକର ଅଧ୍ୟୟନ କରିବ।