ନୂଆଦିଲ୍ଲୀ,୧୨/୦୧: ସ୍ପେଶ ଡ଼କିଂରେ ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା। ଐତିହାସିକ ମିଶନ ସ୍ପେଡେକ୍ସ ଡ଼କିଂ ମିଶନରେ ଭାରତକୁ ମିଳିବ ବଡ଼ ସଫଳତା । ପୃଥିବୀର ହାଇ-ଅର୍ବିଟରେ ବୁଲୁଥିବା ଦୁଇ ସ୍ପେଶକ୍ରାଫ୍ଟ SDX01 ଚେଜର ଏବଂ SDX02 ଟାର୍ଗେଟ୍ ମଧ୍ୟରେ ୧୫ ମିଟର ଦୂରତା ବାକି ରହିଛି । ଏହି ଦୁଇ ଉପଗ୍ରହ ଖୁବଶୀଘ୍ର ମହକାଶରେ ଯୋଡ଼ି ହେବାକୁ ଯାଉଛନ୍ତି । ରାତି ୨ଟା ବେଳେ ଚେଜର ଏହଂ ଟାର୍ଗେଟ୍ ମଧ୍ୟରେ ଦୂରତା ୧୦୫ ମିଟର ରହିଥିଲା । ହେଲେ ଭୋର ପ୍ରାୟ ୫ଟା ବେଳକୁ ଏହା ୧୫ ମିଟରକୁ ହ୍ରାସ ପାଇଛି ।
ଦୁଇ ସାଟେଲାଇଟ୍ ମଧ୍ୟରେ ଦୂରତା ମାତ୍ର ୩ ମିଟର ରହିଲେ, ସ୍ପେଡେକ୍ସ ଡକିଂ ଆରମ୍ଭ ହେବ । ସ୍ପେଶରେ ଡକିଂ ଭବିଷ୍ୟତରେ ଇସ୍ରୋ ପାଇଁ ମହାକାଶ ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ୨୦୨୪ ଶେଷରେ ଏହି ମିଶନକୁ ଲଞ୍ଚ କରି ଇସ୍ରୋ ଇତିହାସ ରଚିଥିଲା । ଉଭୟ ଚେଜର୍ ଓ ଟାର୍ଗେଟର ଓଜନ ୨୨୦ କିଲୋଗ୍ରାମ୍ । ‘ସ୍ପେଡେକ୍ସ ମିଶନ’ ସଫଳ ହେଲେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିପାରିବା ସହ ମହାକାଶରେ 'ଡକିଂ' ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିବ । ଖାଲି ସେତିକି ନୁହେଁ, ଚନ୍ଦ୍ରଯାନ-୪ ମିଶନକୁ ମଧ୍ୟ ଏଥିରୁ ବହୁ ଫାଇଦା ମିଳିବ ।