ହରଭଙ୍ଗା, ୨୬/୦୫- ହରଭଙ୍ଗା ବ୍ଲକ ଅନ୍ତର୍ଗତ ତଳଗାଁ ଗ୍ରାମ ପଞ୍ଚାୟତର ରାଣୀସାହି ଗ୍ରାମର ଗମନାଗମନ ସେବା ବିଚ୍ଛିନ୍ନ ଭଳି ମୌଳିକ ସମସ୍ୟା ପାଇଁ ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇପଡୁଛି । ଏଥିପାଇଁ  ଇନ୍ଦୁମତି ନାୟକଙ୍କ(୭୦) ମୃତ୍ୟୁ ଘଟିଥିଲା। ଏହି ପ୍ରସଙ୍ଗକୁ କେନ୍ଦ୍ରକରି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।  ବିଭାଗୀୟ ଅଧିକାରୀଙ୍କ ଅବହେଳା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଦାବି ଜୋର ଧରିଥିଲା l ଏନେଇ ହରଭଙ୍ଗା ଅଞ୍ଚଳର ସାମାଜିକ କର୍ମୀ ସଚ୍ଚିନ୍ଦ୍ର କୁମାର ସାହୁଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ପଞ୍ଜିକୃତ କରାଯାଇଥିଲା l 

ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ଅତିବାହିତ ସତ୍ତ୍ୱେ ହରଭଙ୍ଗା ଅଞ୍ଚଳର ଜନସାଧାରଣ ସର୍ବନିମ୍ନ ମୌଳିକ ଆବଶ୍ୟକତାରୁ ବଞ୍ଚିତ ହେବା ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ମାନବାଧିକାର ବିପନ୍ନ ହେବା ନେଇ ଆବେଦନରେ ଦର୍ଶାଯାଇଥିଲା l ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଜାତୀୟ ମାନବାଧିକାର କମିଶନ ଉଦବେଗ ପ୍ରକାଶ କରିବା ସହ ୧୯/୦୫/୨୦୨୫ରେ ଆବେଦନର ପ୍ରାଥମିକ ଶୁଣାଣି କରିଥିଲେ।  ଆସନ୍ତା ୨ ସପ୍ତାହ ମଧ୍ୟରେ ନିରପେକ୍ଷ ତଦନ୍ତ ପୁର୍ବକ ସବିଶେଷ ରିପୋର୍ଟ ପ୍ରଦାନ ତଥା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୌଦ୍ଧ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l