ଭୁବନେଶ୍ୱର: ଏବେ ଅଧିକାଂଶ ଲୋକଙ୍କ କୋଲେଷ୍ଟରଲ ବୃଦ୍ଧି ଜନିତ ସମସ୍ୟା ଦେଖାଦେଉଛି ।  ତେଣୁ କୋଲେଷ୍ଟରଲ ସ୍ତରକୁ ନିୟନ୍ତ୍ରଣରେ ରଖିବା ଜରୁରି। ଆମ ଶରୀରରେ  ଦୁଇ ପ୍ରକାର କୋଲେଷ୍ଟରଲ୍‌ ରହିଥାଏ । ଏଲ୍‌ଡିଏଲ୍‌(ବ୍ୟାଡ୍‌ କୋଲେଷ୍ଟରଲ୍‌)  ଓ ଏଚ୍‌ଡିଏଲ(ଗୁଡ୍‌ କୋଲେଷ୍ଟେରଲ୍‌) । ଏଲ୍‌ଡିଏଲ୍‌ ହେଉଛି ଏକପ୍ରକାର  ଲିପୋ-ପ୍ରୋଟିନ୍‌, ଯାହା କୋଲେଷ୍ଟରଲ୍‌କୁ ଲିଭର୍‌(ଯକୃତ)ରୁ ଜୀବକୋଷ  ପର୍ଯ୍ୟନ୍ତ ନେଇଥାଏ । ଯଦି ଶରୀରରେ ଏଲ୍‌ଡିଏଲ୍‌ କୋଲେଷ୍ଟରଲ୍‌ ମାତ୍ରା  ବଢ଼ିଯାଏ, ତେବେ ଧମନୀର ବିଭିନ୍ନ ରକ୍ତବାହୀ ନଳୀରେ ଜମାହୋଇ ରହେ ।  ଫଳରେ ହୃଦ୍‌ଘାତ ଆଶଙ୍କା ବଢ଼ିଚାଲେ । ଏହି ଏଲ୍‌ଡିଏଲ୍‌କୁ ନିୟନ୍ତ୍ରଣ ସ୍ତରରେ  ରଖିବା ପାଇଁ ପ୍ରଥମେ କେତେକ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

  • ଯଦି ଏଲ୍‌ଡିଏଲ୍‌ ବଢ଼ିଥାଏ, ନିୟମିତ ଅଧାଘଣ୍ଟାଏ ବ୍ୟାୟାମ,  ଯୋଗ, ଏରୋବିକ୍‌, ଜଗିଂ କିମ୍ବା ରନିଂ କରିବା ଜରୁରି ।  
  • ଅଧିକ ଖାଦ୍ୟ ଖାଇବା ପରିବର୍ତ୍ତେ ପ୍ରତି ୩ରୁ ସାଢ଼େ ତିନି  ଘଣ୍ଟା ଅନ୍ତରରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇବେ । ନିୟମିତ  ଖାଦ୍ୟ ଫାଇବରଯୁକ୍ତ ହେବା ଦରକାର । ତଟକା ସବୁଜ  ପନିପରିବା, ସଜନା, କୋଶଳା ଓ ପାଳଙ୍ଗ ଶାଗ ପରି  ଶାଗଜାତୀୟ ଖାଦ୍ୟ ଖାଇବେ । ଏହା ସହିତ ଫଳ, ଓଟ୍ସ,  କିନୁଆ, ନାଲି ବୋର ଚାଉଳ, ଗହମ ଅଟା, ମାଣ୍ଡିଆ,  ସୁଆଁ ଓ ବାଜରାକୁ ଖାଦ୍ୟରେ ସାମିଲ କରିପାରିବେ ।  
  •  ସେହିପରି ପ୍ରୋଟିନ୍‌ଯୁକ୍ତ ଖାଦ୍ୟରେ ରାଜ୍‌ମା, ଟୋଫୁ,  ସୋୟାବିନ୍‌, ତଡ଼କା, ଗଜାମୁଗ, ବୁଟ ଓ ବିଭିନ୍ନ ପ୍ରକାରର  ଡାଲିଜାତୀୟ ଖାଦ୍ୟ ଖାଇପାରିବେ । 
  • ଆମିଷରେ ଅଣ୍ଡାର ଧଳା ଅଂଶ, ମାଛ ସପ୍ତାହରେ ୨ରୁ ୩  ଥର ଖାଇପାରିବେ । - ଆଲମଣ୍ଡ, ୱାଲନଟ୍‌, ଚିଆ ସିଡ୍‌  ଓ ଫ୍ଲାକ୍‌ସିଡ୍‌ ଆଦି ଖାଇବେ । ରୋଷେଇରେ ରାଇସ୍‌ ବ୍ରାନ୍‌,  କ୍ୟାନୋଲା ଅଏଲ୍‌ ଓ ଅଲିଭ୍‌ ଅଏଲ୍‌ର ବ୍ୟବହାର ସ୍ୱାସ୍ଥ୍ୟ  ପାଇଁ ଭଲ । କିନ୍ତୁ ଏହାର ମାତ୍ରା ମାସକୁ ଅଧ ଲିଟର  ଭିତରେ ରହିବା ଆବଶ୍ୟକ ।  
  • ଏହାଛଡ଼ା ନିୟମିତ ୩ରୁ ୪ ଲିଟର ପାଣି ପିଇବେ ।  ଫଳରେ ଶରୀର ଜଳଶୁଷ୍କତାର ଶିକାର ହେବନାହିଁ ।

କ’ଣ ଖାଇବେ ନାହିଁ

ବିଭିନ୍ନ ପ୍ରକାରର ଛଣା ଖାଦ୍ୟ ଯେପରିକି ବରା, ସିଙ୍ଗଡ଼ା,  ମୁଡ଼୍‌କି, ଚିପ୍‌ସ୍‌ ଏବଂ ପିଜା, ବର୍ଗର୍‌, ରୋଲ୍‌ ସାଙ୍ଗକୁ ଚାଓମିନ୍‌  ଓ ବାହାର ଖାଦ୍ୟଠାରୁ ଦୂରେଇ ରହିବା ଜରୁରି । ସେହିପରି  ଆମିଷରେ ମାଂସ, ଚିଙ୍ଗୁଡ଼ିକୁ ବାଦ୍‌ ଦେବାକୁ ପଡ଼ିଥାଏ ।  ଏହାବ୍ୟତୀତ ଡାଏରୀ ଉତ୍ପାଦ ମଧ୍ୟରୁ କ୍ରିମ୍‌, ବଟର୍‌, ଚିଜ୍‌, ପେଷ୍ଟ୍ରି, କେକ୍‌ ଓ ଅତ୍ୟଧିକ ଶର୍କରାଯୁକ୍ତ ଖାଦ୍ୟକୁ ବାଦ୍‌ ଦେବା ଉଚିତ । ପନିର ପରିବର୍ତ୍ତେ ଲୋ- ଫ୍ୟାଟ୍‌ ପନିର୍‌ ଓ ଟୋଫୁ ଖାଇପାରିବେ । ଲୋ-ଫ୍ୟାଟ୍‌ ପନିର୍‌ ଦିନକୁ ୪/୫ ଖଣ୍ଡ ଲେଖାଏଁ ସପ୍ତାହକୁ ୨/୩ ଥର ଖାଇପାରିବେ । ଯଦି ଘରେ ଲୋ  ଫ୍ୟାଟ୍‌ କ୍ଷୀର ଆଣି ପନିର ନିଜେ ତିଆରି କରିପାରିବେ,ତେବେ  ଆହୁରି ଭଲ ହେବ ।