ପୁରୀ, ୦୫/୦୪: ସାହିଯାତର ପାରମ୍ପରିକ ନୃତ୍ୟ ତ  ଚାଲିଛି... ଏଥିସହ କିଛି ନୂତନ କରାଯାଉ । ଚଳଚ୍ଚିତ୍ରରେ ଭିନ୍ନ ଏକ ଚରିତ୍ର ସବୁରି ଦୃଷ୍ଟି ଆକର୍ଷଣ କରିଥାଏ । ସାହିଯାତ ଦର୍ଶକ ମାନେ ଉତ୍କଣ୍ଠିତ ରୁହନ୍ତୁ... ଏଥର କଣ  ଆସିବ ନୂତନ ଚରିତ୍ର । ଲୋକକଳାରେ ମଧ୍ୟ ସେହିଭଳି ଆକର୍ଷଣୀୟ ତଥା ଅଲଗା କିଛି କରାଯାଇପାରେ । ବିଷୟବସ୍ତୁ ବର୍ହିଭୂତ ନୁହେଁ । ଏହାଦ୍ୱାରା ଆମ ଲୋକକଳାର ଜନାଦୃତି  ବଢ଼ିବ । ସମସ୍ତ ଲୋକକଳାକାରଙ୍କ ଭିତରେ ରହିଛି ପ୍ରତିଭା । ସେମାନେ କିଛି ପୃଥକ ପ୍ରଦର୍ଶନ କରି ସଭିଁଙ୍କ ଧ୍ୟାନ ଆକର୍ଷଣ କରିପାରନ୍ତି । ବିଶ୍ୱବାସୀ ଜାଣନ୍ତୁ ଜଗନ୍ନାଥ ଦେଶର ଲୋକ କଳା । ଏଭଳି ଚିନ୍ତା କରୁଛନ୍ତି ଆଇଟି ପ୍ରଫେସନାଲ ଭାନୁ ପ୍ରସାଦ ମହାପାତ୍ର । ଘର କୁଣ୍ଢେଇବେଣ୍ଟ  ସାହି । ଚାକିରି କରନ୍ତି ସୁଦୂର କର୍ଣ୍ଣାଟକ ବେଙ୍ଗାଲୁରୁରେ ।  ଗତ ତିନି ବର୍ଷ ହେଲା ଭିନ୍ନ ଭିନ୍ନ ପୌରାଣିକ ଚରିତ୍ର  ଅବତୀର୍ଣ୍ଣ ହୋଇ ସାହିଯାତରେ ପ୍ରମୁଖ ଆକର୍ଷଣ ପାଲଟିଛନ୍ତି । 

ରାତି ପାହିଲେ ସାହିଯାତ । ଜାଗା ଆଖଡ଼ା ଓ ପ୍ରଶାସନର ପ୍ରସ୍ତୁତି ସାଙ୍ଗକୁ ବେଶ୍‌ ଉତ୍କଣ୍ଠିତ କଳାପ୍ରେମୀ ପୁରୀବାସୀ । ସୋସିଆଲ ମିଡିଆରେ ତ ଯୁବପିଢ଼ି ପ୍ରଚାର ପ୍ରସାର କରି କାହିଁ କେଉଁଠିକୁ ସାହିଯାତକୁ ପହଞ୍ଚାଇଲେଣି । ପୁଣି ଭାନୁଙ୍କ ଭଳି ପ୍ରତିଭା ମଧ୍ୟ ରହିଛନ୍ତି ଯିଏ ନିଜ ପକେଟରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରତି ବର୍ଷ ମାସାଧିକ ସମୟ ଓ ଶ୍ରମ ଦେଇ ସାହିଯାତ କ୍ରେଜ୍‌ ବଢ଼ାଇବାରେ ଲାଗିଛନ୍ତି । ହେଲେ ଶ୍ରୀଜଗନ୍ନାଥ  ଚେତନା ଓ ଯାନିଯାତ୍ରା ଭରା ଶ୍ରୀକ୍ଷେତ୍ରର ପାଣିପବନରେ  ବିତିଛି ଶୈଶବ । ଜେଜେ, ବାପା ଓ କାକାଙ୍କ ସଙ୍ଗେ ବୁଲିବୁଲି  ସାହିଯାତ ଦେଖୁଥିଲେ । ପିଲା ବେଳୁ ସୃଷ୍ଟି ହୋଇଥିଲା କଳା  ପ୍ରତି ଅହେତୁକ ଦୁର୍ବଳତା । ଆଇଟି ପ୍ରଫେସନାଲ ଭାବେ  କିଛି ବର୍ଷ ଚାକିରି ପରେ ସାହିଯାତରେ କିଛି କରିବାକୁ  ଆଗ୍ରହ ଜାଗିଲା । ଘନିଷ୍ଠ ବନ୍ଧୁମାନେ ଉତ୍ସାହିତ କରି ବାଟ କଢ଼ାଇନେଲେ । ଭାନୁ କୌଣସି ଜାଗାର ସଦସ୍ୟ ନୁହେଁ ।  ହେଲେ ୨୦୨୨ରେ ହନୁମାନଙ୍କ ଚରିତ୍ର ପରକୁ ପର ଗରୁଡ଼ ଓ  କାର୍ତ୍ତିକଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ଭିତରେ ଭିନ୍ନ  ସ୍ୱାଦ ଭରିଦେଇଥିଲେ । ହନୁମାନ, ଗରୁଡ଼ ଓ ପରେ କାର୍ତ୍ତିକଙ୍କ  ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଚଳିତ ବର୍ଷ ସସ୍‌ପେନ୍ସ ।  ଆସନ୍ତା ୧୧ ତାରିଖ କୁଣ୍ଢେଇବେଣ୍ଟ ସାହି ଯାତକୁ ଅପେକ୍ଷା । 

ଏନେଇ ଭାନୁ କୁହନ୍ତି, ଘରେ ମୋତେ ଏହିଭଳି ଗଢ଼ିଛନ୍ତି ।  ଶ୍ରୀଜଗନ୍ନାଥଙ୍କ ଚେତନା ସହ ତାଙ୍କ ମାଟିରେ ଜନ୍ମ ହୋଇ ତାଙ୍କରି ପରମ୍ପରାରେ ବଢିଲି । ସୁସ୍ଥ ଓ ସରଳ ଜୀବନଯାପନ ପୁରୀ ଲୋକଙ୍କ ମୌଳିକ ପରିଚୟ । ଆମେ ନିଜ ଦେହର ଯତ୍ନ ନେଲେ ପରିବାରର ସମ୍ବଳ ହେବା । ନଚେତ୍‌ ବୋଝ  ପାଲଟିଯିବା । ମୁଁ ଜଣେ କ୍ରସଫିଟ୍‌ ଖେଳାଳି । ସେଥିରେ ଶକ୍ତି ସହ ମଜଭୁତି ଆବଶ୍ୟକ । ଏଥିସହ ମୋର ପସନ୍ଦ ମିଶିଗଲା।  ଦର୍ଶକଙ୍କ ଆଦୃତି ମୋତେ ଆଗକୁ ବାଟ କଢ଼ାଇ ନେଉଛି ।