ନୂଆଦିଲ୍ଲୀ,୨୭/୦୨: ଆଇଟିବିପିର ଜଣେ ମହିଳା ଯବାନ ଲିଙ୍ଗ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ । ବହୁ ତର୍ଜମା ପରେ  ଏହାକୁ ଖାରଜ କରି ଦିଆଯାଇଛି । ଏହାଦ୍ୱାରା ଅନ୍ୟ ଯବାନଙ୍କ ଉପରେ ମାନସିକ ବ୍ୟବହାରିକ ପ୍ରଭାବ ପଡ଼ିବ ବୋଲି ଆଇଟିବିପି ପକ୍ଷରୁ କୁହାଯାଇଛି ।

ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ମହିଳା ଯବାନ ଜଣଙ୍କ ନିଜ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମାଗିଥିଲେ । ଏହାପରେ  ଇଣ୍ଡୋ-ତିବେତାନ ବର୍ଡର ପୁଲିସ (ଆଇଟିବିପି) ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମତାମତ ଲୋଡ଼ିଥିଲା । ଏଥିପାଇଁ କୌଣସି ମାର୍ଗଦର୍ଶିକା ନ ଥିବାରୁ ମନ୍ତ୍ରଣାଳୟ କାର୍ମିକ ଓ ତାଲିମ ବିଭାଗ (ଡିଓପିଟି) ସହ ମିଶି ଏ  ନେଇ ବ୍ୟାପକ ବିଶ୍ଳେଷଣ କରିଥିଲା । ଏହାପରେ କେନ୍ଦ୍ରୀୟ ସଶସ୍ତ୍ର  ପୁଲିସ ବଳ (ସିଏପିଏଫ୍‌)ର ମେଡିକାଲ ଡାଇରେକ୍ଟୋରେଟ୍‌ର ମତାମତ ଲୋଡ଼ାଯାଇଥିଲା । ଶେଷରେ ନୀତିଗତ ନିଷ୍ପତ୍ତି ନିଆଯାଇ ଆବେଦନକୁ ଖାରଜ କରାଯାଇଛି । ବଳଗୁଡ଼ିକରେ ଲିଙ୍ଗ ପରିବର୍ତ୍ତନ  ଲାଗି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସାର୍ବଜନୀନ ଭାବେ  ନିଷ୍ପତ୍ତି ହୋଇଥିବା ଆଇଟିବିପିକୁ ଚିଠି ଲେଖି ଜଣାଇଥିଲା ସିଏପିଏଫ୍‌ ।  ତା’ଛଡ଼ା ବାହିନୀରେ ପୁରୁଷ ଓ ମହିଳାଙ୍କ ପାଇଁ ଶାରୀରିକ ମାନଦଣ୍ଡ  ଭିନ୍ନ ଭିନ୍ନ ଥିବାରୁ ଲିଙ୍ଗ ପରିବର୍ତ୍ତନ ଦ୍ୱାରା ଏହା ଉପରେ କୌଣସି  ଫରକ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା ।