ଭୁବନେଶ୍ବର, ୧୫/୦୧: ଯାତ୍ରା ଭେଟେରାନ ପୀୟୂଷ ତ୍ରିପାଠୀ ଚୁକ୍ତି ଖିଲାପ ମାମଲାର ଶୁଣାଣି ଶେଷ । ଭୁବନେଶ୍ବର ସିଭିଲ୍ କୋର୍ଟରେ ମାମଲାର ଶୁଣାଣି ଶେଷ ହୋଇଛି । ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ବାଇଁଙ୍କ ଅଭିଯୋଗର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଯାହା ଫଳରେ ପୀୟୂଷ ତ୍ରିପାଠୀଙ୍କ ଭାଗ୍ୟ ଅଦାଲତ ରାୟ ସହିତ ଝୁଲିକରି ରହିଛି । କୋର୍ଟ ରାୟ ପ୍ରକାଶ ନକରିବା ପର୍ଯ୍ୟନ୍ତ ମଞ୍ଚ ବା ପେଣ୍ଡାଲ ଚଢ଼ିପାରିବେ ନାହିଁ ହରିଶଙ୍କର । ଏନେଇ ସୂଚନା ଦେଇଛନ୍ତି ପୀୟୂଷ ଓକିଲ ବିଭୁ ପ୍ରସାଦ ତ୍ରିପାଠୀ । ଆସନ୍ତାକାଲି ରାୟ ପ୍ରକାଶ ପାଇବା ପରେ ପୀୟୂଷ ପୁଣି ଥରେ ଯାତ୍ରା ପେଣ୍ଡାଲକୁ ଚଢ଼ିବେ ।  ​​​​​​​​​​​​​​

ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ ଆଣିଥିବା ଚୁକ୍ତି ଖିଲାପ ମାମଲାର ଶୁଣାଣି ଗୁରୁବାର ହୋଇଛି । ଭୁବନେଶ୍ବର କୋର୍ଟରେ ଆଜି ପୀୟୂଷ ତ୍ରିପାଠୀଙ୍କୁ ହାଜର ହେବାର ଥିଲା । ମାତ୍ର ସେ ଅଦାଲତରେ ପହଞ୍ଚି ପାରିନଥିଲେ । ତାଙ୍କ ପାଇଁ ପକ୍ଷ ରଖିଥିଲେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ । ଶୁଣାଣି ଶେଷ ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମାନ୍ୟବର କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଛନ୍ତି ଏବଂ ଆସନ୍ତାକାଲି ଉଭୟଙ୍କ ଯୁକ୍ତିକୁ ଲିଖିତ ଭାବରେ ଅଦାଲତରେ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ଏହାଛଡ଼ା ପୀୟୂଷଙ୍କ ଓକିଲ କହିଛନ୍ତି, ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ କୌଣସି ପ୍ରକାର ଯୁକ୍ତିନାମା ଖିଲାପ କରିନାହାନ୍ତି । ଆଶା କରୁଛୁ ମାନ୍ୟବର କୋର୍ଟ ସମସ୍ତ ତଥ୍ୟକୁ ଆଧାର କରି ନ୍ୟାୟ ପ୍ରଦାନ କରିବେ । ପିୟୂଷ ସତ୍ୟ ପଥରେ ଅଛନ୍ତି, ତେଣୁ ବିଜୟ ତାଙ୍କର ହେବ ବୋଲି ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ କହିଛନ୍ତି ।