ମଧ୍ୟପ୍ରଦେଶ, ୨୯।୬: ମଧ୍ୟପ୍ରଦେଶର ଜବଲପୁରସ୍ଥିତ ଘମାପୁର ଥାନା ଅଞ୍ଚଳରୁ ଏକ ସନ୍ଦିଗ୍ଧ 'ଲଭ୍ ଜିହାଦ' ମାମଲା ସାମ୍ନାକୁ ଆସିଛି । ଜଣେ ମୁସଲିମ୍ ଯୁବକ ନିଜର ପରିଚୟ ଲୁଚାଇ, ନିଜ ନାଁ ବଦଳାଇ ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସହର ବାହାରକୁ ନେଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକର ପ୍ରକୃତ ନାମ ନେକ୍ ଅଲ୍ଲୀ ବୋଲି ଜଣାପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ 'ହିନ୍ଦୁ ଧର୍ମସେନା'ର କର୍ମକର୍ତ୍ତାମାନେ ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଫେସବୁକରେ ତିଆରି କରିଥିଲା ନକଲି ଆଇଡି:

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ ଫେସବୁକରେ 'ଅଙ୍କିତ' ନାମରେ ଏକ ନକଲି ପ୍ରୋଫାଇଲ୍ ତିଆରି କରି ପ୍ରେମ ଜାଲ ବିଛାଇଥିଲା ଏବଂ ଗତ ୫ ବର୍ଷ ଧରି ତାଙ୍କୁ ଶାରୀରିକ ଶୋଷଣ କରିଆସୁଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ ତାର ପ୍ରକୃତ ପରିଚୟ 'ନେକ୍ ଅଲ୍ଲୀ ଖାନ୍' ବୋଲି ଜଣାପଡ଼ିଲା, ସେତେବେଳେ ଯୁବତୀ ଜଣକ ବିବାହ ପାଇଁ ଚାପ ପକାଇଥିଲେ । ଏହାପରେ ଅଭିଯୁକ୍ତ ତାଙ୍କୁ ମୁମ୍ବାଇ ନେଇଯାଇଥିଲା । ଯୁବତୀଙ୍କ ଦାବି ଅନୁସାରେ, ମୁମ୍ବାଇରେ ଅଭିଯୁକ୍ତ ଏବଂ ତାର ମା' ମିଶି ତାଙ୍କୁ ବନ୍ଧକ ରଖିଥିଲେ । ସେଠାରେ ତାଙ୍କୁ ବିକ୍ରି କରିବା ସହ ମୁଜରା କରାଇବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲେ । ତେବେ ସେ କୌଣସି ପ୍ରକାରେ ସେମାନଙ୍କ କବଳରୁ ରକ୍ଷା ପାଇ ଜବଲପୁର ଫେରିଆସିଥିଲେ ଏବଂ ଘମାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ବି ପଢ଼ନ୍ତୁ... Indian Army: ଚୀନ୍ ସୀମାରେ ଭାରତୀୟ ସେନାର ‘ମାଷ୍ଟରପ୍ଲାନ’; ପ୍ରସ୍ତୁତ ହେଲା ୫୦୦୦ ଯବାନଙ୍କ ‘ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍’

ପୀଡ଼ିତାଙ୍କ କହିବା ଅନୁସାରେ, ପ୍ରଥମେ ପୁଲିସ ତାଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ ନଦେଇ ଫେରାଇ ଦେଇଥିଲା । ଏହି ବିଷୟରେ 'ହିନ୍ଦୁ ଧର୍ମସେନା' ଅବଗତ ହେବା ପରେ ସଙ୍ଗଠନର ସଦସ୍ୟମାନେ ପୀଡ଼ିତାଙ୍କୁ ସାଥିରେ ଧରି ଥାନାରେ ପହଞ୍ଚିଥିଲେ । ସଙ୍ଗଠନର କହିବା କଥା ଯେ, ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ଏବଂ ଲଭ୍ ଜିହାଦର ମାମଲା, ଯେଉଁଥିରେ ଅଭିଯୁକ୍ତର ପରିବାର ମଧ୍ୟ ସାମିଲ ଅଛନ୍ତି । ସଙ୍ଗଠନ ପକ୍ଷରୁ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି । ଅପରପକ୍ଷରେ, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଘମାପୁର ଥାନା ପ୍ରଭାରୀ ଦିନେଶ ଗୌତମ ସୂଚନା ଦେଇଛନ୍ତି ଯେ, ଯୁବତୀ ଜଣକ ପୂର୍ବରୁ ମଧ୍ୟ ଏକ ଲିଭ୍-ଇନ୍ ରିଲେସନସିପ୍ ସମ୍ବନ୍ଧୀୟ ଅଭିଯୋଗ ଆଣିଥିଲେ । ଘଟଣାର ତଦନ୍ତ କପାଯାଉଥିବା ବେଳେ ଅଭିଯୁକ୍ତର ପ୍ରକୃତ ପରିଚୟ ଏବଂ ସମସ୍ତ ତଥ୍ୟ ଯାଞ୍ଚ କରାଯିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।