ଚନ୍ଦନେଶ୍ୱର,୧୨/୧୨: ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦୀଘାରେ ନିର୍ମାଣ  ହୋଇଥିବା ଶ୍ରୀଜଗନ୍ନାଥ ଧାମ(ମନ୍ଦିର) ଆସନ୍ତା ଏପ୍ରିଲ ୩୦ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ପ୍ରତିଷ୍ଠା ହେବ ବୋଲି ପଶ୍ଚିମବଙ୍ଗ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।  

ବୁଧବାର ଦୀଘା ଜଗନ୍ନାଥ ଧାମ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ମମତା କହିଛନ୍ତି, ପୁରୀ ଶ୍ରୀମନ୍ଦିର ଉଚ୍ଚତା  ସହ ଏହି ମନ୍ଦିର ଉଚ୍ଚତା ପ୍ରାୟ ସମାନ । ପୁରୀ  ଜଗନ୍ନାଥ ସଂସ୍କୃତିକୁ ଗୁରୁତ୍ୱ ଦେଇ ଏଠାରେ  ସମସ୍ତ ରୀତିନୀତି ହେବ । ଦୀଘାକୁ ଏକ ଧାର୍ମିକ  ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ । ଏଥିସହ ରଥଯାତ୍ରା ଦିନ ଛେରା ପହଁରା ନିମନ୍ତେ  ସୁନା ଝାଡୁ ପାଇଁ ତାଙ୍କ ବ୍ୟକ୍ତିଗତ ପାଣ୍ଠିରୁ ୫ଲକ୍ଷ  ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ମମତା । 

ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର  ଦୀଘାକୁ ୩ଦିନିଆ ଗସ୍ତରେ ଆସି ମମତା  ବୁଧବାର ଦ୍ୱିତୀୟ ଦିନରେ ପ୍ରାଶାସନିକ ସ୍ତରୀୟ  ବୈଠକ କରିଥିଲେ । ପରେ ମଧ୍ୟାହ୍ନ ୧ଟା  ୩୫ରେ ଦୀଘା ଜଗନ୍ନାଥ ଧାମରେ ପହଞ୍ଚିଥିଲେ ।  ଏକଦା ଦୀଘା ବେଳାଭୂମିରେ ବୁଲୁଥିବା ବେଳେ  ଏକ ଜଗନ୍ନାଥ ମନ୍ଦିର ନିର୍ମାଣର ପରିକଳ୍ପନା  କରିଥିବା କଥା ଉଲ୍ଲେଖ କରିଥିଲେ । ଏଥିପାଇଁ  ବଙ୍ଗ ସରକାର ଟଙ୍କା ଖର୍ଚ୍ଚ କରୁଥିବା ସୂଚନା ଦେଇଥିଲେ । ପ୍ରାୟ ୨୦ ଏକର ଜାଗାରେ  ୨୫୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା  ଏହି ମନ୍ଦିର ପରିସରରେ ପୂଜା ମଣ୍ଡପ, ଭୋଗ ମଣ୍ଡପ, ଗୋଦାମ ଗୃହ, ଅତିଥି ଭବନ ଆଦି  ନିର୍ମାଣ ହୋଇଛି । ମାର୍ବଲରେ ୩ ଦିଅଁଙ୍କ ମୂର୍ତ୍ତି  ନିର୍ମାଣ ସରିଥିବା ବେଳେ ନିମ୍ବ କାଠରେ ଆଉ  ୩ ମୂର୍ତ୍ତି ନିର୍ମାଣ ଚାଲିଛି । ଏହାଛଡ଼ା ମନ୍ଦିର  ପରିସରରେ ମା’ ବିମଳା ଓ ରାଧାକୃଷ୍ଣଙ୍କ  ମନ୍ଦିର ରହିବ । ପୁରୀରେ ଖଜା ମିଳୁଥିବା  ବେଳେ ଏଠାରେ ବାଂଲା କ୍ଷୀର ଗଜା, କାଲିଘାଟ  ପେଡ଼ା ବିକ୍ରି ହେବ । ଏଠାରେ ସ୍ୱର୍ଗଦ୍ୱାର ମଧ୍ୟ  ରହିଛି । ପୁରୀ ଭଳି ପ୍ରତିଦିନ ଏଠାରେ ନେତ ପରିବର୍ତ୍ତନ ହେବ । ପୁରୀରେ ବଂଶାନୁକ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଅଣାଯାଇ ଏହି କାର୍ଯ୍ୟ ସମ୍ପାଦନ ହେବ । ପୁରୀ ସହିତ ଏଠାକୁ ତୁଳନା କରାଯିବ ନାହିଁ ବୋଲି ମମତା  କହିଛନ୍ତି । ଅନ୍ୟପଟେ ମନ୍ଦିର ପରିଚାଳନା ପାଇଁ  ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ଟ୍ରଷ୍ଟ୍‌ ଗଠନ ହୋଇଛି । ପ୍ରତିବର୍ଷ କୋଲକାତା ଇସ୍କନ ରଥଯାତ୍ରାକୁ ମମତା ଉଦ୍‌ଘାଟନ କରୁଥିବା ବେଳେ ଆସନ୍ତା ବର୍ଷ ଦୀଘାରେ ରଥଯାତ୍ରାକୁ ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି ।