ଜଗତସିଂହପୁର,୨୨/୦୪: କାଠିଆପଡ଼ା ଗାଁ ବିଲ ଗହୀରରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ତଦନ୍ତ ଜୋରଦାର । ମଙ୍ଗଳବାର ଫରେନ୍ସିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତକୁ ତ୍ବରାନ୍ବିତ କରିଛି । ଯୁବତୀ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଜବତ କରାଯାଇଥିବା ବେଳେ ଏହାକୁ ତଦନ୍ତ ପରିଧି ଭିତରକୁ ଆଣିଛି ପୁଲିସ । ୩ ଦିନ ତଳେ ଯୁବତୀଙ୍କ ନିର୍ବନ୍ଧ ସରିଥିଲା l ମେ’ ୧୦ ତାରିଖରେ ବିବାହ ସ୍ଥିର ହୋଇଥିଲା l ମାତ୍ର ଏହା ପୂର୍ବରୁ କେହି ଜଣେ ତାଙ୍କୁ ଘରୁ ଡାକି ନେଇ ଗାଁ ଠାରୁ ୩୦୦ରୁ ୫୦୦ ମିଟର ଦୂର ବିଲ ଗହୀର ଭିତରେ ଅତି ନିର୍ମମ ଭାବେ ହତ୍ୟା କରିଛି ।
ସୂଚନା ଅନୁଯାୟୀ, ଯୁବତୀଙ୍କ ଘର କାଠିଆପଡ଼ା ଅଞ୍ଚଳରେ । ସୋମବାର ରାତି ପ୍ରାୟ ଆଠଟା ପରଠାରୁ ସେ ନିଖୋଜ ଥିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ମାତ୍ର ଝିଅଙ୍କୁ କେଉଁଠି ବି ପାଇନଥିଲେ । ତେବେ ମଙ୍ଗଳବାର ଅପରାହ୍ଣରେ କିଛି ସ୍ଥାନୀୟ ଲୋକ ବିଲକୁ ମୁଗ ଉପାଡ଼ିବାକୁ ଯାଇଥିବା ବେଳେ ମୃତଦେହ ପଡ଼ିଥିବାର ଦେଖିଥିଲେ । ନିମିଷକ ଭିତରେ ଏହି ଖବର ବିଜୁଳି ବେଗରେ ଖେଳିଯିବାରୁ ବହୁ ଲୋକଙ୍କ ସମାଗମ ହେବା ସହ ଜଗତସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଜଗତସିଂହପୁର ଏସ୍ଡିପିଓ ଦାୟିତ୍ୱରେ ଥିବା ଡିଏସ୍ପି ରଶ୍ମୀରଞ୍ଜନ ଦାଶଙ୍କ କହିବା କଥା, ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟା ଆଡ଼କୁ ଇସାରା କରୁଛି । କାରଣ ଯୁବତୀଙ୍କ ଶରୀରରେ କୌଣସି ଏକ ମାରଣାସ୍ତ୍ରରେ ଆଘାତ କରାଯାଇଥିବା ଅନୁମାନ କରାଯାଉଛି । ରାତି ତମାମ୍ ମୃତଦେହ ବିଲରେ ପଡ଼ି ରହିଥିବାରୁ ଏକ ହାତର କିଛି ଅଂଶ ମାଂସକୁ ବିଲୁଆ କିମ୍ବା କୁକୁର କାମୁଡ଼ି ଖିନ୍ଭିନ୍ କରିଥିବା ସନ୍ଦେହ କରାଯାଉଛି । ଫୋରେନ୍ସିକ୍ ଟିମ୍ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି । ଅପରପକ୍ଷେ ମୃତଦେହର ଗୋଡ଼ ତଳେ ଏକ ଗାମୁଛା ରହିଥିଲା । ହଳେ ଚପଲ ବି ଥିଲା । ଯୁବତୀଙ୍କ ବେକ ଅଂଶ ଚାପି ହୋଇ ରହିଥିବା ଲକ୍ଷ୍ୟ କରାଯାଇଥିଲା । ଏତଦ୍ଭିନ୍ନ ଶରୀରରୁ ପିନ୍ଧା ବସ୍ତ୍ର ବେକ ପାଖକୁ ଭିଡ଼ି ହୋଇ ରହିଥିଲା । ରବିବାର ଦିନ ମାମୁ ଘର ଧୁଆଁପାରିରେ ଯୁବତୀଙ୍କ ନିର୍ବନ୍ଧ ସରିଥିଲା । ଲଗ୍ନଧରା ସରିବା ପରେ ସେ ମଙ୍ଗଳବାର ଘରକୁ ଫେରିଥିଲେ । ଗୋଡ଼ରେ ତାଙ୍କର ଅଳତା ଓ ହାତରେ ମେହେନ୍ଦି ବି ରହିଥିଲା । ବଳରାମପୁର ପଞ୍ଚାୟତ କାଠିଆପଡ଼ା ଗ୍ରାମର ଘରଠାରୁ ୫୦୦ ମିଟର ଦୂରତାରେ ଥିବା ଏକ ବିଲରେ ତାଙ୍କର ମୃତଦେହ ମିଳିଛି ।
ଅଧିକ ପଢ଼ନ୍ତୁ- Summer vacation: ଖରାଛୁଟିରେ ଘରେ ପଢ଼ିବେ ଛାତ୍ରଛାତ୍ରୀ, ହ୍ୱାଟ୍ସଆପ୍ ଜରିଆରେ ମିଳିବ ପାଠ୍ୟ ବିଷୟବସ୍ତୁ