ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ପୁଣି ଚର୍ଚ୍ଚାରେ। ପେନସନ ଖବର ପରେ, ସେ ଏବେ ତାଙ୍କ ବାସଭବନକୁ ନେଇ ମିଳିଛି ନୂଆ ଖବର। ସେ ତାଙ୍କ ସରକାରୀ ବାସଭବନରୁ ଦିଲ୍ଲୀର ଛତରପୁର ଅଞ୍ଚଳରେ ଥିବା ଏକ ଘରୋଇ ଫାର୍ମହାଉସକୁ ସ୍ଥାନାନ୍ତରିତ ହୋଇଛନ୍ତି। ଛଅ ସପ୍ତାହ ପୂର୍ବେ, ସେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହା ପଛରେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ। ଛତରପୁରରେ ଯେଉଁ ଘରୋଇ ଫାର୍ମହାଉସକୁ ସେ ସ୍ଥାନାନ୍ତରିତ ହୋଇଛନ୍ତି ତାହା ଭାରତୀୟ ଜାତୀୟ ଲୋକଦଳ (ଆଇଏନଏଲଡି) ନେତା ଅଭୟ ଚୌଟାଲାଙ୍କର ଫାର୍ମହାଉସ।
ପିଟିଆଇର ସୂଚନା ଅନୁସାରା, ଧନଖଡ ବର୍ତ୍ତମାନ ସେହି ଫାର୍ମ ହାଉସରେ ରହିବେ, ଯେଉଁ ପର୍ଯ୍ୟନ୍ତ ଟାଇପ୍-୮ର ସରକାରୀ ବାସଭବନରେ ରହିବାକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯାଇ ନାହାଁନ୍ତି। ତାଙ୍କୁ ୩୪ ଏପିଜେ ଅବଦୁଲ କଲାମ ରୋଡ ବଙ୍ଗଳା ଆବଣ୍ଟିତ କରାଯାଇଛି।
ଧନଖଡ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ ରେ ଇସ୍ତଫା ଦେଇଥିଲେ। ଏହା ପରେ, ସେ ନିଜକୁ ସାର୍ବଜନୀନ ଜୀବନରୁ ଦୂରେଇ ରଖିଥିଲେ। ଏପର୍ଯ୍ୟନ୍ତ ସେ ସଂସଦ ଭବନ ନିକଟରେ ଅବସ୍ଥିତ ରାଷ୍ଟ୍ରପତି ଭବନରେ ରହୁଥିଲେ। ଏବେ ସେ ନିଜର ଅଧିକାଂଶ ସମୟ ପରିବାର ସହ ବିତାଉଛନ୍ତି। ଏହା ସହ ଯୋଗ ଏବଂ ଟେବଲ ଟେନିସ୍ର ଅଭ୍ୟାସ ମଧ୍ୟ କରୁଛନ୍ତି ।