ନୂଆଦିଲ୍ଲୀ: ହରିୟାଣା ନିର୍ବାଚନରେ ପରାଜୟ ପାଇଁ ଇଭିଏମକୁ ଦାୟୀ କରିଛି କଂଗ୍ରେସ । ଆଉ ଏଥିପାଇଁ ନିର୍ବାଚନ ଆୟୋଗ ଏବଂ କଂଗ୍ରେସ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି । ଇଭିଏମରେ ହେରଫେର ନେଇ କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି ଏହାକୁ ସମର୍ଥନ କରିଛନ୍ତି ଓ୍ବାଇଏସଆର କଂଗ୍ରେସ ମୁଖ୍ୟ ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ନିର୍ବାଚନୀ ପ୍ରକ୍ରିୟାରେ ‘ବାଲାଟ୍‌ ପେପର୍‌’ ବ୍ୟବସ୍ଥା ଫେରିବା ଦରକାର ଏବଂ ଏହା ଭୋଟରଙ୍କ ଆତ୍ମବିଶ୍ବାସ ବଢ଼ାଇବ ବୋଲି ଦାବି କରିଛନ୍ତି ଜଗନ ରେଡ୍ଡୀ ।  

ହରିୟାଣାର ନିର୍ବାଚନୀ ଫଳାଫଳ ଆଡ଼କୁ ଇସାରା କରି ସେ କହିଛନ୍ତି, ଆଉ ଏକ ରେଜଲ୍ଟ ଲୋକପ୍ରିୟ ଧାରଣାକୁ ଆଘାତ ଦେଇଛି । ତେବେ ହରିୟାଣା ଫଳାଫଳ ଆସିବା ପୂର୍ବରୁ ଏକଜିଟ୍‌ ପୋଲ୍‌ରେ କଂଗ୍ରେସକୁ ବହୁମତ ମିଳିବ ବୋଲି ଦାବି ହୋଇଥିଲା । ଅନ୍ୟପଟେ ଆନ୍ଧ୍ର ପ୍ରଦେଶ ଏବଂ ହରିୟାଣା ନିର୍ବାଚନ ଫଳାଫଳରେ କୌଣସି ପାର୍ଥକ୍ୟ ନାହିଁ ବୋଲି ଅଭିଯୋଗ କରିଛନ୍ତି ଓ୍ବାଇଏସଆର କଂଗ୍ରେସ ମୁଖ୍ୟ । ୨୦୨୪ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ର ପ୍ରଦେଶର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଜଗନ ରେଡ୍ଡୀଙ୍କ ଦଳ ୧୭୫ ଆସନରୁ କେବଳ ୧୧ ସିଟ୍‌ ଜିତିବାକୁ ସକ୍ଷମ ହୋଇଥିଲା ।

ଜଗନ ମୋହନ ରେଡ୍ଡୀ ଏକ୍ସରେ ଲେଖିଛନ୍ତି, ‘ଲୋକଙ୍କ ଚିନ୍ତାଧାରାକୁ ଆଘାତ ଦେଇଛି ଆଉ ଏକ ନିର୍ବାଚନ ଫଳ । ହରିୟାଣା ନିର୍ବାଚନର ଫଳାଫଳ ଆନ୍ଧ୍ର ପ୍ରଦେଶ ଠାରୁ ଭିନ୍ନ ନୁହେଁ । ଏହି ମାମଲା ଏବେ କୋର୍ଟରେ ରହିଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର କେବଳ ଏକ ପ୍ରଚଳିତ ପ୍ରଥା ଭାବରେ ନରହି ଏଥିରେ ଉନ୍ନତି ଆସିବା ଦରକାର । ଆମକୁ ବାଲାଟ ପେପରକୁ ଫେରିବାକୁ ପଡ଼ିବ ।’

ସେ ଆହୁରି ଲେଖିଛନ୍ତି, ‘ବହୁ ବିକଶିତ ରାଷ୍ଟ୍ର ଆମେରିକା, ବ୍ରିଟେନ୍‌, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ବିଜରଲ୍ୟାଣ୍ଡ, ଜର୍ମାନୀ, ଫ୍ରାନ୍ସ, ଜାପାନ, ନରଓ୍ବେ ଏବଂ ଡେନମାର୍କରେ ବାଲାଟ୍‌ ପେପର ବ୍ୟବହାର କରୁଛନ୍ତି । ତେଣୁ ବିଶ୍ବ ସହ ତାଳ ଦେଇ ଆମକୁ ପରିବର୍ତ୍ତନକୁ ସ୍ବୀକାର କରିବାକୁ ପଡ଼ିବ ଏବଂ ଆମେ ବାଲାଟ୍‌ ପେପର ବ୍ୟବହାର କରିବା ଦରକାର । ଫଳରେ ନିର୍ବାଚନକୁ ନେଇ ଆତ୍ବବିଶ୍ବାସ ବୃଦ୍ଧି ପାଇବ ।’ 




ହରିୟାଣା ନିର୍ବାଚନରେ ୯୦ ଆସନରୁ ୩୭ଟି ସିଟ୍‌ରେ ବିଜୟ ହାସଲ କରିଛି କଂଗ୍ରେସ । ଏନେଇ ମଙ୍ଗଳବାର ଫଳାଫଳ ପ୍ରକାଶ ହେବା ପରେ ଇଭିଏମକୁ ନେଇ ବିବାଦ ଉଗ୍ରରୂପ ଧାରଣ କରିଛି ।  ଫଳାଫଳକୁ ଅସ୍ବୀକାର କରିଛି କଂଗ୍ରେସ ଦଳ । ହରିୟାଣାରେ ଦଳର ବିଜୟକୁ ଛଡ଼ାଇ ନିଆଯାଇଛି ଏବଂ ଇଭିଏମରେ ହେରଫେର କରାଯାଇଛି ବୋଲି କଂଗ୍ରେସ ଦାବି କରିଛି। ସେପଟେ କଂଗ୍ରେସର ଦାବିକୁ ଭାରତୀୟ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି । ଏସବୁ ଭିତରେ କଂଗ୍ରେସ ଦାବି ସପକ୍ଷରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜଗନ ମୋହନ ରେଡ୍ଡୀ ।