ମୁମ୍ବାଇ: ଦାଦର ପାରାଭାଡ଼ି ଉପରେ ହାଇକୋର୍ଟ ରୋକ ଲଗାଇବା ପରେ ଜୈନ ସମାଜରେ ଅସନ୍ତୋଷ ବୃଦ୍ଧି ପାଇଛି । ସାର୍ବଜନୀନ ସ୍ଥାନରେ ପାରାଙ୍କୁ ଖାଇବାକୁ ଦେବା ଉପରେ ନିଷେଧାଦେଶ ଜାରି କରିଥିଲେ ବମ୍ବେ ହାଇକୋର୍ଟ । ଏବେ କୋର୍ଟଙ୍କ ଏହି ରାୟକୁ ବିରୋଧ କରି ଜୈନ ମୁନୀ ନିଲେଶ୍ଚନ୍ଦ୍ର ବିଜୟ ଅଗଷ୍ଟ ୧୩ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି କୌଣସି ନିଷ୍ପତ୍ତିକୁ ଜୈନ ସମାଜ ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ଜୈନ ସମାଜ ସବୁବେଳେ ଶାନ୍ତ । କିନ୍ତୁ ଧର୍ମୀୟ ଭାବନାକୁ ଆଘାତ ଦେଲେ ଆମେ ଅସ୍ତ୍ର ଉଠାଇବାକୁ ବି ପଛାଇବୁ ନାହିଁ । ସେପଟେ ପାରାଭାଡ଼ି ରକ୍ଷା ସପକ୍ଷରେ ଯୁକ୍ତି ବାଢ଼ୁଥିବା ମହାରାଷ୍ଟ୍ରର ଦକ୍ଷତା ବିକାଶ ମନ୍ତ୍ରୀ ମାଙ୍ଗା ପ୍ରଭାତ ଲୋଧା ଜୈନ ଗୁରୁଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛନ୍ତି । ମୁମ୍ବାଇ ମହାନଗର ନିଗମ ଦ୍ବାରା ଦାଦର ପାରାଭାଡ଼ି ଉପରେ ଘୋଡ଼ାଇ ଦିଆଯାଇଥିବା ପାଲକୁ ଅଗଷ୍ଟ ୬ରେ କିଛି ବିକ୍ଷୋଭକାରୀ ଖୋଲି ଦେଇଥିଲେ । ବିକ୍ଷୋଭକାରୀଙ୍କୁ ସମ୍ବୋଧନ କରି ମୁନୀ ବିଜୟ କହିଛନ୍ତି, ଆମେ ସତ୍ୟାଗ୍ରହ ଏବଂ ଆମରଣ ଅନଶନର ରାସ୍ତା ଆପଣାଇବା । ଜୈନ ସମାଜ ଶାନ୍ତ, କିନ୍ତୁ ଦରକାର ପଡ଼ିଲେ ଅସ୍ତ୍ର ଉଠାଇବାକୁ ପ୍ରସ୍ତୁତ । ଆମ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି କୌଣସି ନିଷ୍ପତ୍ତିକୁ ଗ୍ରହଣ କରାଯିବ ନାହିଁ ।
ଏପରିକି ଦେଶବ୍ୟାପୀ ପ୍ରାୟ ୧୦ ଲକ୍ଷ ଜୈନ ଧର୍ମାବଲମ୍ବୀ ଏହି ପ୍ରତିବାଦରେ ସାମିଲ ହେବେ ବୋଲି ସେ ଦାବି ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ, ଯଦି କୋର୍ଟ ଧର୍ମ ବିରୋଧରେ ଯାଆନ୍ତି, ତେବେ ଆମେ ଏହାକୁ ଗ୍ରହଣ କରିବୁ ନାହିଁ। ମୁନୀ ଏହି ଚେତାବନୀ ଏପରି ଏକ ସମୟରେ ଦେଇଛନ୍ତି ଯେତେବେଳେ ଏହି ମାମଲା ବମ୍ବେ ହାଇକୋର୍ଟରେ ଅଛି। କୋର୍ଟ ପାରାଙ୍କୁ ଖାଇବାକୁ ଦେବାକୁ ବାରଣ କରିଛନ୍ତି ।
ପାରାଭାଡ଼ି ବିବାଦ କ’ଣ ?
ମୁମ୍ବାଇ ମହାନଗର ନିଗମ ଦ୍ବାରା ଦାଦର ଅଞ୍ଚଳର ଏକ ପାରାଭାଡ଼ିକୁ ପାଲ ପକାଇ ଘୋଡ଼ାଇ ଦେବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ଜୈନ ସମ୍ପ୍ରଦାୟର ଲୋକମାନେ ପାରାଙ୍କୁ ଖାଇବାକୁ ଦେବା ସେମାନଙ୍କ ଧର୍ମର ଏକ ଅଂଶ ବୋଲି ବିବେଚନା କରନ୍ତି । ସେମାନେ ଏହାକୁ ପ୍ରାଣୀମାନଙ୍କ ପ୍ରତି ଦୟା ବୋଲି କୁହନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ବିଏମସିକୁ ପାରାଙ୍କୁ ଖାଇବାକୁ ଦେବାକୁ ଅନୁରୋଧ କରିଥିଲେ। ପାରାଙ୍କୁ ଖାଇବା ଦେବା ଉପରେ ଲାଗିଥିବା ନିଷେଧକୁ ସମର୍ଥନ କରୁଥିବା ଲୋକମାନେ କହିଛନ୍ତି ଯେ, ଏହା ମଣିଷକୁ ଅନେକ ଗମ୍ଭୀର ରୋଗ କରାଏ। ମୁମ୍ବାଇରେ ୫୧ଟି ପାରାଭାଡ଼ି ରହିଛି । ନିଷେଧ ଲାଗୁ କରିବା ସହିତ, କୋର୍ଟ ଏକ ବିଶେଷଜ୍ଞ କମିଟିଠାରୁ ପରାମର୍ଶ ଲୋଡିଛନ୍ତି । ଲୋକଙ୍କ ଆନ୍ଦୋଳନ ପରେ, ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଉଷ୍ମ ହେଉଛି । କିନ୍ତୁ ସମଗ୍ର ବିବାଦରେ ବମ୍ବେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ, ନେତାମାନେ ସତର୍କତାର ସହିତ ମନ୍ତବ୍ୟ ଦେଉଛନ୍ତି ।