ନୂଆଦିଲ୍ଲୀ,୧୦।୯:  ଆମେରିକା ଓ ଭାରତ ବିରୋଧରେ ଜାରି ଟାରିଫ୍ ଓ୍ବାର ଏବେ ଥମିବାର ଲାଗୁଛି। ପ୍ରଥମେ ଏହାର ଆରମ୍ଭ ଡୋନାଲ୍ଡୋ ଟ୍ରମ୍ପ କରିଥିଲେ। ସେ ପିଏମ୍ ନରେନ୍ଦ୍ର ମୋଦିଙ୍କୁ ଭଲ ମିତ୍ର ବୋଲି କହିଥିଲେ। ଟ୍ରମ୍ପ କହିଥିଲେ, ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ଟ୍ରେଡ ଡିଲ୍ ହେବ।  ପିଏମ୍ ମୋଦି ମଧ୍ୟ ସୋସିଆଲ ମିଡିଆରେ ଲେଖିଥିଲେ ଆମକୁ ମଧ୍ୟ ଟ୍ରେଡ୍ ଡିଲ୍‌ର ଅପେକ୍ଷା ରହିଛି। ଏହା ସହ କହିଥିଲେ, ଭାରତ-ଆମେରିକା ପ୍ରାକୃତିକ ଅଂଶୀଦାର, ଭାରତ ଓ ଆମେରିକାର ସମ୍ପର୍କ ଆହୁରି ମଜବୁତ ହେବ। ତାଙ୍କର ଏହି ଟ୍ବିଟ୍‌କୁ ଟ୍ରମ୍ପ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ। ଏଥରୁ ଅନୁମାନ କରାଯାଉଛି ବୋଧହୁଏ ଦୁଇ ନେତାଙ୍କ କେମେଷ୍ଟ୍ରି ପୁଣି ସୁଧୁରିପାରେ। ଏହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ପିଏମ୍ ନରେନ୍ଦ୍ର ମୋଦି କହୁଛନ୍ତି ପ୍ରାକୃତିକ ଅଂଶୀଦାର, ଯିଏକି ବାଣିଜ୍ୟକୁ ହତିଆର ଭାବରେ ଆମ ବିରୋଧରେ ବ୍ୟବହାର କରନ୍ତି।

ଜୟରାମ ଟ୍ବିଟ୍ କରିଛନ୍ତି, ପିଏମ୍ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ କହିଛନ୍ତି, ଭାରତ ଓ ଆମେରିକା ପ୍ରାକୃତିକ ଅଂଶୀଦାର। ଏବେ ପ୍ରଶ୍ନ ଉଠୁଛି  କ’ଣ ଏହି ଅଂଶୀଦାରୀ ଏତେ ସ୍ବାଭାବିକ ? ରାଷ୍ଟ୍ରପତି ଟ୍ରମ୍ପ ୩୫ ରୁ ଅଧିକ ଥର ଏହି ଦାବି କରିଛନ୍ତି ଯେ, ବାଣିଜ୍ୟର ଚାପକୁ ହତିଆର ଭାବରେ ବ୍ୟବହାର କରି ୧୦ ମଇ ସନ୍ଧ୍ୟାରେ ଭାରତ-ପାକିସ୍ତାନ ମଧ୍ୟର ଅସ୍ତ୍ରବିରତି କରିଥିଲେ ?

ଉଲ୍ଲେଖନୀୟ ଯେ,ଏହି ଖବର ମଧ୍ୟ ରହିଛି ଯେ, ଟ୍ରମ୍ପ ଓ ମୋଦି ଖୁବ୍ ଶୀଘ୍ର ଫୋନ୍‌ରେ କଥା ହୋଇପାରନ୍ତି। ଟ୍ରମ୍ପଙ୍କ ଅନ୍ଦାଜରୁ ଲାଗୁଛି ଯେ, ଗତ କିଛି ଦିନ ହେବ ସେ କିଛି ବଦଳିଲା ଭଳି ଲାଗୁଛନ୍ତି। କୁହାଯାଉଛି ଯେ, ତାଙ୍କ ପକ୍ଷରୁ ପିଏମ୍ ମୋଦିଙ୍କୁ ଫୋନ୍ କରାଯାଇପାରେ। ଏହାଛଡା ମାଲେସିୀଆରେ ଆସିଆନ୍ ଦେଶର ସମ୍ମିଳନୀରେ ଦୁଇ ନେତାଙ୍କର ସାକ୍ଷାତ ହୋଇପାରେ।