ନୂଆଦିଲ୍ଲୀ, ୨୮/୦୮ : ବିହାର ନିର୍ବାଚନ ବେଳେ ଆତଙ୍କୀ ହମଲା ଭୟ। ବଡ଼ ଆତଙ୍କୀ ହମଲା ନେଇ ଷଡ଼ଯନ୍ତ୍ର କରୁଛି ଜୈଶ-ଏ-ମହମ୍ମଦ। ନେପାଳ ରାସ୍ତା ଦେଇ ବିହାରରେ ପଶିଲେ ୩ ଆତଙ୍କବାଦୀ। ହାଇ ଆଲର୍ଟରେ ପୁଲିସ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ତିନି ଆତଙ୍କୀଙ୍କ ନାମ, ଫଟୋ ଓ ପାସପୋର୍ଟ ସମ୍ବନ୍ଧିତ ତଥ୍ୟ ସେୟାର କଲା ପୁଲିସ ମୁଖ୍ୟାଳୟ।
ବିହାର ପୁଲିସ ମୁଖ୍ୟାଳୟ ପକ୍ଷରୁ ତିନି ଆତଙ୍କବାଦୀଙ୍କ ତଥ୍ୟ ସାର୍ବଜନୀନ କରାଯାଇଛି। ରାୱଲପିଣ୍ଡି ନିବାସୀ ହସନୈନ ଅଲି, ଉମରକୋଟ ନିବାସୀ ଆଦିଲ ହୁସୈନ ଏବଂ ବହାବଲପୁର ନିବାସୀ ମହମ୍ମଦ ଓସ୍ମାନ ନାମକ ତିନି ଜଣ ଆତଙ୍କବାଦୀ ବିହାରରେ ପଶିଛନ୍ତି। ଏହି ଆତଙ୍କବାଦୀମାନେ ଅଗଷ୍ଟର ଦ୍ଵିତୀୟ ସପ୍ତାହରେ କାଠମାଣ୍ଡୁରେ ପହଞ୍ଚିଥିଲେ। ତୃତୀୟ ସପ୍ତାହରେ ନେପାଳ ସୀମା ଦେଇ ବିହାରରେ ପଶିଛନ୍ତି। କୌଣସି ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ନେଇ ଯୋଜନା କରୁଛନ୍ତି। ପୁଲିସ ମୁଖ୍ୟାଳୟ ପକ୍ଷରୁ ସବୁ ଜିଲ୍ଲାକୁ ସତର୍କ କରାଯାଇଛି। ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲା ସୀତାମଢି, ମଧୁବନୀ, ପଶ୍ଚିମ ଚମ୍ପାରଣ, ଅରରିଆ, କିଶନଗଞ୍ଜ ଓ ସୁପୌଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭାଗଲପୁର ଓ ଅନ୍ୟ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି। କୌଣସି ପ୍ରକାରର ସନ୍ଦିଗ୍ଧ ଗତିବିଧି ଦେଖିଲେ ତୁରନ୍ତ ସ୍ଥାନୀୟ ଥାନାରେ କିମ୍ଵା ହେଲ୍ପଲାଇନ୍ ଜରିଆରେ ସୂଚନା ଦେବା ପାଇଁ ସାଧାରଣ ଲୋକଙ୍କୁ ପୁଲିସ ଅପିଲ୍ କରିଛନ୍ତି। ପୁଲିସ ଏବେ ଲୁଚି ରହିଥିବା ୩ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଛାନଭିନ୍ ଚଳାଇଛି।
ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାରୁ ନେତାଙ୍କ ରାଲି ଓ ଜନସଭା ଆୟୋଜନ ହେବ। ଏହି ସମୟରେ ବଡ଼ ଆତଙ୍କୀ ହମ୍ଲା କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏବେ ରାହୁଲ ଗାନ୍ଧୀ ଓ ତେଜସ୍ଵୀ ଯାଦବଙ୍କ ସହ ବିରୋଧୀ ଦଳ ଭୋଟର ଅଧିକାର ଯାତ୍ରା କରୁଛନ୍ତି। ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହେଉଛନ୍ତି। ଏହି ମଧ୍ୟରେ ବିହାରରେ ୩ ଆତଙ୍କବାଦୀ ପଶିବା ଖବର ଆସିବା ପରେ ଆତଙ୍କୀ ହମ୍ଲା ନେଇ ଭୟ ବଢିଛି।