ନୂଆଦିଲ୍ଲୀ : ଇରାନ-ଆମେରିକା ଯୁଦ୍ଧ କାରଣରୁ ସାରା ବିଶ୍ୱରେ ତୈଳ ସଙ୍କଟ ସୃଷ୍ଟି ହୋଇଛି। ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ମଧ୍ୟ ଦେଇ କୌଣସି ବି କାର୍ଗୋ ଜାହାଜ ଯିବାରେ ରୋକ୍ ଲାଗିଛି, ଯେଉଁଥି ପାଇଁ ଅଶୋଧିତ ତୈଳ ଆମଦାନୀ ଉପରେ ଖୁବ୍ ପ୍ରଭାବ ପଡ଼ିଛି। ଏହି ସ୍ଥିତି ମଧ୍ୟରେ ଭାରତ ସରକାରଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ଗତ କିଛି ଦିନରେ ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ସହ ତିନି ଥର ଆଲୋଚନା ହୋଇଛି। ଶେଷଥର କଥାବାର୍ତ୍ତାରେ ସିପିଂ (ଜାହାଜ)ର ସୁରକ୍ଷା ଓ ଭାରତରେ ଶକ୍ତି ସୁରକ୍ଷା ସହ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାୟସୱାଲ କହିଛନ୍ତି ଯେ, ଏହା ବ୍ଯତୀତ, ଉକ୍ତ ମାମଲାରେ କିଛି ବି କହିବା ମୋ ପାଇଁ ଠିକ୍ ହେବ ନାହିଁ।

ଏହା ପୂର୍ବରୁ , ପଶ୍ଚିମ ଏସିଆରେ ବଢୁଥିବା ସେନା ସଂଘର୍ଷ ମଧ୍ୟରେ ,ଭାରତ ସରକାର ବୁଧବାର କହିଛନ୍ତି ଯେ, ଉପସାଗରୀୟ ଅଞ୍ଚଳରେ ରହୁ ଥିବା ପ୍ରାୟ ଏକ କୋଟି ଭାରତୀୟ ପ୍ରବାସୀଙ୍କ ସୁରକ୍ଷା ଓ କଲ୍ୟାଣ ଏହାର ସର୍ବୋଚ୍ଚ ପ୍ରାଥମିକତା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ବୁଧବାର ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ଯେ, ପଶ୍ଚିମ ଏସିଆ ସଙ୍କଟ ବେଳେ ଗୋଟିଏ ଜାହାଜ ଉପରେ ହୋଇଥିବା ହମଲାରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ଅଛନ୍ତି। ସେ କହିଛନ୍ତି, ପ୍ରବାସୀ କମ୍ୟନିଟ୍ର ସୁରକ୍ଷା ଓ କଲ୍ୟାଣ ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ (ୟୁଏଇ) , କତାର, ସାଉଦୀ ଆରବ , ଓମାନ , ବାହାରିନ, କୁଏତ , ଜାର୍ଡନ ଓ ଇସ୍ରାଏଲ ସମେତ କ୍ଷେତ୍ରର ଅନେକ ନେତାଙ୍କ ସହ କଥାବାର୍ତ୍ତା ହୋଇଥିବା ବେଳେ ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର ମଧ୍ୟ ଏହି ସବୁ ଦେଶ ସହ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ନିୟମିତ ସଂପର୍କରେ ରହିଛନ୍ତି। ଜୟସୱାଲ କହିଛନ୍ତି , ଆମେ ନିଜର ନାଗରିକ , ଜିସିସି ଓ ପଶ୍ଚିମ ଏସିଆନ ଦେଶରେ ରହୁ ଥିବା ନିଜର ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ। ଏହି କ୍ଷେତ୍ରରେ ଆମର ସବୁ ମିଶନ କମ୍ୟୁନିଟ ସଦସ୍ୟଙ୍କ ସହ ନିୟମିତ ସଂପର୍କରେ ଅଛନ୍ତି । ସେ କହିଛନ୍ତି, ବାଣିଜ୍ୟିକ ଜାହାଜ ଗୁଡ଼ିକ ସହ ଜଡ଼ିତ ଘଟଣାରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ , ଜଣେ ନିଖୋଜ ଅଛନ୍ତି।