ନୂଆଦିଲ୍ଲୀ,୨୪।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରୁଷୀୟ ତୈଳ କ୍ରୟ ଏବଂ ସମ୍ଭାବ୍ୟ କଟକଣା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଆଲୋଚନା ପରେ, ଜୟଶଙ୍କର କହିଛନ୍ତି ଯେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି, କିନ୍ତୁ ଶକ୍ତି ବଜାରକୁ ବଜାର ଶକ୍ତି ଉପରେ ଛାଡି ଦିଆଯିବା ଉଚିତ। ସେ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ ଭାରତ ତା’ର ଶକ୍ତି ସୁରକ୍ଷା ଏବଂ ଅର୍ଥନୈତିକ ସ୍ୱାର୍ଥକୁ ପ୍ରାଥମିକତା ଦେବ। ଜୟଶଙ୍କରଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷଠାରୁ ତୈଳ କ୍ରୟ ନକରିବା ପାଇଁ ପାଶ୍ଚାତ୍ୟ ଦେଶ ଲଗାତାର ଚାପ ଜାରି ରହିଛି।
ଡୋନାଲ୍ଡୋ ଟ୍ରମ୍ପ ପ୍ରଶାସନକୁ ନେଇ ପଚରାଯାଇଥିବା ପ୍ରଶ୍ନ ଉପରେ ଜୟଶଙ୍କର ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ପ୍ରଶାସନ ସବୁବେଳେ ଆମେରିକା ଫାଷ୍ଟ ରଣନୀତି ଗ୍ରହଣ କରିଛି। ସେଭଳି ଭାରତ ମଧ୍ୟ ‘ଇଣ୍ଡିଆ ଫାଷ୍ଟ’ ହିଁ ଗ୍ରହଣ କରିବ। ସେ କହିଛି, ଏଭଳି କିଛି କ୍ଷେତ୍ରର ଆବଶ୍ୟକତା ମଧ୍ୟ ରହିଛି, ଯେଉଁଠି ଦୁଇ ଦେଶକୁ ସନ୍ତୁଳନ ବଜାୟ ରଖି ଚାଲିବାକୁ ହେବ। ଜୟଶଙ୍କରଙ୍କ ବୟାନକୁ ଭାରତର ସ୍ବତନ୍ତ୍ର ବୈଦେଶିକ ନୀତି ଓ ରଣନୈତିକ ସନ୍ତୁଳନର ବଡ଼ ସଙ୍କେତ ଭାବରେ ଦେଖାଯାଉଛି।
ଭାରତ ସହ ସମ୍ପର୍କ ନେଇ କ’ଣ କହିଲେ ରୁବିଓ?
ମାର୍କୋ ରୁବିଓ କହିଛନ୍ତି ଭାରତ ଓ ଆମେରିକାର ସମ୍ପର୍କର ଗତି କମ୍ ନୁହେଁ ଓ ଆଗାମୀ ବର୍ଷରେ ଏହି ପାର୍ଟନରସିପ୍ ଆହୁରି ମଜବୁତ ହେବ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଦୁଇ ଦେଶ ଭିତରେ ଦ୍ବିପାକ୍ଷିତ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ପୁରା ହୋଇପାରେ। ଭାରତ ଓ ଆମେରିକା ଭିତରେ ରଣନୈତିକ ସହଭାଗିତା ଗତ କିଛି ବର୍ଷରେ ପ୍ରତିରକ୍ଷା, ଟେକ୍ନୋଲୋଜି, ଶକ୍ତି ଓ ବାଣିଜ୍ୟ ଭଳି କ୍ଷେତ୍ରକୁ ଦ୍ରୁତ ଗତିରେ ମଜବୁତ କରିଛି।
‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଉପରେ କ’ଣ କହିଲେ ରୁବିଓ ?
ରୁବିଓ କହିଛନ୍ତି, ଇରାନ ଯୁଦ୍ଧ ଏବଂ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ସଙ୍କଟର ସମାଧାନ ପାଇଁ ଏକ ସମ୍ଭାବ୍ୟ ଢାଞ୍ଚା ଉପରେ ଗତ ୪୮ ଘଣ୍ଟା ମଧ୍ୟରେ କିଛି ଅଗ୍ରଗତି ହୋଇଛି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆଜି ଅଧିକ ଖବର ଆସିପାରେ, ଯଦିଓ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ। ରୁବିଓ ପୁନରାବୃତ୍ତି କରିଛନ୍ତି ଯେ ଇରାନକୁ କେବେବି ପରମାଣୁ ଅସ୍ତ୍ର ହାସଲ କରିବାକୁ ଅନୁମତି ଦିଆଯିବ ନାହିଁ। ସେ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ କୌଣସି ରାଷ୍ଟ୍ରପତିଙ୍କ ତୁଳନାରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ସକ୍ରିୟ ମନୋଭାବ ଗ୍ରହଣ କରିଛନ୍ତି।
ଆହୁରି ପଢନ୍ତୁ :ହୋର୍ମୁଜରୁ ୩ ସପ୍ତାହ ପରେ ଭାରତ ବାହାରିଲା ଏଲଏନଜି ଟ୍ୟାଙ୍କର, ୧୯ ଏପ୍ରିଲରୁ ସିଗନାଲ ପଠାଇବା କରିଦେଇଥିଲା ବନ୍ଦ