ନୂଆଦିଲ୍ଲୀ,୨୧/୧୦: ଜାମ୍ମୁ କାଶ୍ମୀରର ଗାନ୍ଦରବଲ ଜିଲ୍ଲାର ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏକ ଟନେଲ ନିର୍ମାଣ ସ୍ଥଳରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଡାକ୍ତର ଏବଂ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅଧିକାରୀ କହିଛନ୍ତି ଯେ ଜିଲ୍ଲାର ଗୁଣ୍ଡ ଅଞ୍ଚଳରେ ଏକ ଟନେଲ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଅନ୍ୟ କର୍ମଚାରୀମାନେ ବିଳମ୍ବିତ ରାତିରେ ନିଜ କ୍ୟାମ୍ପକୁ ଫେରିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଆତଙ୍କବାଦୀମାନେ ଶ୍ରମିକ ଗୋଷ୍ଠୀ ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ, ଯେଉଁଥିରେ ଉଭୟ ସ୍ଥାନୀୟ ତଥା ବାହାର ଲୋକ ମଧ୍ୟ ସାମିଲ ଥିଲେ। ତେବେ ଦୁଇଜଣ ଆତଙ୍କବାଦୀ ଏପରି କରିଥିବା ଜଣାପଡ଼ିଛି।

ଅଧିକାରୀ କହିଛନ୍ତି ଯେ ଦୁଇଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଆହତ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କର ପରେ ମୃତ୍ୟୁ ଘଟିଥିଲା। ସେ କହିଛନ୍ତି ଯେ ୫ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ସେ କହିଛନ୍ତି ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି। ସେ 'ଏକ୍ସ'ରେ ଲେଖିଛନ୍ତି, ଗଗନଗିରୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଚୂଡାନ୍ତ ନୁହେଁ କାରଣ ଉଭୟ ସ୍ଥାନୀୟ ତଥା ଅଣ-ସ୍ଥାନୀୟ ଶ୍ରମିକ ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ଶ୍ରୀନଗରର ଏସ୍‌କେଆଇଏମ୍‌ଏସ୍ ରେ ଭର୍ତ୍ତି କରାଯାଉଥିବାରୁ ମୁଁ ଆହତଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। 

ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଏହି ଆତଙ୍କୀ ଆକ୍ରମଣକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦୃଢ଼ ନିନ୍ଦା କରିଛନ୍ତି। ସିହ୍ନା 'ଏକ୍ସ' ରେ ଏକ ପୋଷ୍ଟରେ କହିଛନ୍ତି, 'ମୁଁ ଲୋକଙ୍କୁ ନିଶ୍ଚିତ କରୁଛି ଯେ ଏହି ଘୃଣ୍ୟ କାର୍ଯ୍ୟ ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। ଜାମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ସୁରକ୍ଷା ବାହିନୀକୁ ଆମେ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛୁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଲୋକେ ରକ୍ଷା ପାଇବେ ନାହିଁ ଏବଂ ସେମାନଙ୍କୁ ସୁରକ୍ଷା ବାହିନୀର କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଶାହା ଲେଖିଛନ୍ତି, ଜାମ୍ମୁ କାଶ୍ମୀରର ଗଗନଗରୀରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏକ ନୃସଂଶ କାମ ଅଟେ। ଏହି ଘୃଣ୍ୟ କାର୍ଯ୍ୟରେ ଜଡିତ ଥିବା ଲୋକଙ୍କୁ ରକ୍ଷା କରାଯିବ ନାହିଁ ଏବଂ ଆମ ସୁରକ୍ଷା ବାହିନୀର କଠୋର କାର୍ଯ୍ୟାନୁଷ୍ଠାନର ସେମାନେ ସାମ୍ନା କରିବେ।