ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର LOC ନିକଟରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ଏବେ ସାମ୍ନାକୁ ଆସୁଛି । ଆତଙ୍କବାଦୀ ମାନେ ସେନା ଗାଡିକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ୩ ଜଣ ସୈନିକ ସହିଦ ହୋଇଥିବା ବେଳେ ସେନାରେ କାର୍ଯ୍ୟ କରୁଥିବା ଦୁଇଜଣ ଶ୍ରମିକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଏହା ବ୍ୟତୀତ ଦୁଇ ସୈନିକ ଆହତ ହୋଇଛନ୍ତି।
କୁହାଯାଉଛି ଯେ LOC ନିକଟ ବୋଟାପଥର ଗୁଲମର୍ଗର ନାଗିନ୍ ପୋଷ୍ଟ ଅଞ୍ଚଳ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରାଯାଇଥିଲା । ପୋଲିସ ଏହି ଘଟଣାକୁ ନିଶ୍ଚିତ କରିଛି । ତେବେ ସେନା ପକ୍ଷରୁ ନିଶ୍ଚିତକରଣକୁ ଅପେକ୍ଷା କରାଯାଇଛି । ଯାହା ସୂଚନା ରହିଛି ଏହା ଆତଙ୍କବାଦୀ ମାନେ ଅନୁପ୍ରବେଶ ସମୟରେ ଆକ୍ରମଣ କରିଛନ୍ତି।
ଏହି ଆକ୍ରମଣକୁ ନେଇ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଉତ୍ତର କାଶ୍ମୀର ଅଂଚଳରେ ସେନା ଗାଡି ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ,ଯେଉଁଥିରେ କିଛି ଲୋକ ପ୍ରାଣ ହରାଇଛନ୍ତି। କାଶ୍ମୀରରେ ସମ୍ପ୍ରତି ହୋଇଥିବା ଏହି ଆକ୍ରମଣ କ୍ରମଶଃ ଏକ ଚିନ୍ତାର ବିଷୟ ହୋଇଛି। ମୁଁ ଏହି ଆକ୍ରମଣକୁ ଦୃଢ ନିନ୍ଦା କରୁଛି ଏବଂ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ମୋର ସମବେଦନା ଜଣାଉଛି। ମୁଁ ମଧ୍ୟ ପ୍ରାର୍ଥନା କରୁଛି ଯେ ଆହତ ଲୋକମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ।