ନୂଆଦିଲ୍ଲୀ,୨୧।୨ : ସାରା ଦେଶର ପୂଜାସ୍ଥଳ ଓ ଐତିହାସିକ ସ୍ଥାନରେ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ଭିତରେ ଜମ୍ମୁ-କାଶ୍ମୀରରୁ ଆସିଛି ବଡ଼ ଖବର।  ଜମ୍ମୁ ଏବଂ କାଶ୍ମୀରର ଗାନ୍ଦେରବାଲରେ ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା । ଗାନ୍ଦେରବାଲର ସପୋରା ରାସ୍ତାରେ ଆଇଇଡି ଉଦ୍ଧାର କରାଯାଇଛି।  ସୂଚନା ପାଇ ଏକ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। IEDକୁ ନିଷ୍କ୍ରିୟ କରାଯାଇଥିଲା।

ଏହାଦ୍ବାରା ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ରକ୍ଷା ମିଳିଛି । ରାସ୍ତା କଡରେ ଏକ ବ୍ୟାଗ୍‌ରେ ଏହି ଆଇଇଡି ମିଳିଥିଲା। ସୁରକ୍ଷା ଏଜେନ୍ସିକୁ ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ବମ୍ ନିରୋଧି ଟିମ୍ ପହଁଞ୍ଚି ଆଇଇଡି ନିଷ୍କ୍ରିୟ କରିଥିଲା। ସୁରକ୍ଷା ଅଧିକାରୀ ପୁରାଅଞ୍ଚଳକୁ ଘେରାଉ କରିଦେଇଛନ୍ତି।  ବମ୍ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ଆଇଇଡିକୁ ନିଷ୍କ୍ରିୟ କରୁଛି। ସେ କହିଛନ୍ତି ଯେ ଆତଙ୍କବାଦୀମାନେ ଭିଆଇପି, ସୁରକ୍ଷା ବାହିନୀ, ସ୍ଥାନୀୟ ପୋଲିସ ଏବଂ ସେନାକୁ ଟାର୍ଗେଟ କରୁଛନ୍ତି। କନଭୟକୁ ଟାର୍ଗେଟ କରିବା ପାଇଁ ରାସ୍ତା ଏବଂ ରାଜପଥରେ ଆଇଇଡି ଲଗାଯାଉଛି।

ସେପେଟ ରାଜଧାନୀ ଦିଲ୍ଲୀରେ ବି ଆତଙ୍କୀ ହମଲା କରିବା ନେଇ ଯୋଜନା କରୁଛନ୍ତି। ଶନିବାର ଗୁଇନ୍ଦା ସୂଚନା ମିଳିବା ପରେ ଲାଲକିଲ୍ଲା ଏବଂ ଆଖପାଖର ଅଞ୍ଚଳ ସହ  ଚାନ୍ଦିନୀ ଚୌକରେ ସୁରକ୍ଷା ବ୍ୟବସ୍ଥା  କଡାକଡି କରି ଦିଆଯାଇଛି। ଗୁଇନ୍ଦା ସୂଚନା  ପରେ ଭାରତର ପ୍ରମୁଖ ଧାର୍ମିକ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିଲା।  ଲାଲକିଲ୍ଲା ଏବଂ ଚାନ୍ଦନୀ ଚୌକ ପାଖରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂତ୍ର ଅନୁଯାୟୀ, ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଫେବୃଆରୀ ୬ ତାରିଖରେ ହୋଇଥିବା ମସଜିଦ ବିସ୍ଫୋରଣ ପରେ, ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଭାରତରେ ଆଇଇଡି ବିସ୍ଫୋରଣ କରିବାକୁ ଯୋଜନା କରୁଛି।  ଏହି ଆତ୍ମଘାତୀ ଆକ୍ରମଣରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୬୦ ରୁ ଅଧିକ ଆହତ ହୋଇଥିଲେ। ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିଲା।