ଭୁବନେଶ୍ୱର,୦୨/୧୧: ସାଥୀ ସନ୍ଧାନରେ ଥିବା ‘ଟି-୧୨’ ଶିମିଳିପାଳର ଅଧା ଜଙ୍ଗଲ ପାର୍‌ ହୋଇ ଯମୁନାଗଡ଼ରେ ପହଞ୍ଚିଛି । ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଯମୁନାର ଯୌବନ ଦେଖି ବାଉଳା । ‘ସ୍ୱତନ୍ତ୍ର ଏନକ୍ଲୋଜର’ ଆଖପାଖରେ ଚକ୍କର କାଟୁଛି । ଯମୁନାର ହୃଷ୍ଟପୁଷ୍ଟ ଚେହେରାକୁ  ଭୁଲି ପାରୁନି । ଆଖିରେ ଆଖିରେ ଇସାରା  ଦେଉଛି । 

‘ଟି-୧୨’ର ଏଭଳି ହାବଭାବରୁ ଯାହା  ଜଣାପଡୁଛି, ସେ ଯମୁନା ପ୍ରେମରେ ପଡି଼ଯାଇଛି । ଟି-୧୨ ହେଉଛି ଶିମିଳିପାଳର ଜଣାଶୁଣା  ମହାବଳ ବାଘ । ମେଲାନିଷ୍ଟିକ୍‌ ପ୍ରଜାତିର । ବୟସ  ପାଖାପାଖି ୧୦ ବର୍ଷରୁ ଅଧିକ ହେବ । ଜଙ୍ଗଲର କିଛି  ମାଈ ବାଘ ସହ ପୂର୍ବରୁ ତା’ର ସହବାସ ହୋଇଛି ।  ତା’ ପିଲାପିଲା ସଂଖ୍ୟା ୮ ଟପିଯିବ । ଅଧିକାଂଶ  ପିଲା ମେଲାନିଷ୍ଟିକ୍‌ । କିଛି ସାଧାରଣ ମହାବଳ  ବି ଜଙ୍ଗଲରେ ବୁଲୁଛନ୍ତି । 

ମହାରାଷ୍ଟ୍ରର ତଡ଼ୋବା-ଅନ୍ଧାରୀ ବ୍ୟାଘ୍ର  ସଂରକ୍ଷଣରୁ ଆସିଥିବା ଯମୁନା ଗତ ୨୭  ତାରିଖରେ ଶିମିଳିପାଳରେ ପହଞ୍ଚିଲା ।  ତାକୁ ୨୮ରେ ଉତ୍ତର ଶିମିଳିପାଳର କୋର  ଏରିଆରେ ଥିବା କବାଟଘାଇ ସେକ୍ସନର  ଯମୁନାଗଡ଼ରେ ଛଡ଼ା ଯାଇଛି । 

ଯମୁନାଗଡ଼ ଅନୁସାରେ ତା’ ନାମକରଣ ହୋଇଛି । ଗୋଟିଏ  ହେକ୍ଟର ଜାଗାରେ ନିର୍ମିତ ଏନ୍‌କ୍ଲୋଜର ଭିତରେ ଘୂରି ବୁଲୁଛି ।  ନୂଆ ପରିବେଶରେ ଖାପ ଖୁଆଇବାକୁ ସମୟ ନେଉଛି । ଗଲା  ୩୦ ତାରିଖରେ ତାକୁ ଗୋଟିଏ ବାରହା ଦିଆଯାଇଥିଲା । କେଇ  ଘଣ୍ଟାରେ ବାରହାକୁ ଚଟାପଟ୍‌ ଖାଇଦେଲା । ଗତକାଲି ଆଉ  ଗୋଟିଏ ହରିଣ ଖାଇବାକୁ ଦିଆଯାଇଛି । ଖଣ୍ଡ ଖଣ୍ଡ କରି ଖାଇ  ଚାଲିଛି । ଆଉ ଅଧା ବଳିଛି ।  

ଏନ୍‌କ୍ଲୋଜର ପାଖ ଇଲାକାରେ ବନ ବିଭାଗର ଟ୍ରାପ୍‌  କ୍ୟାମେରାରେ ‘ଟି-୧୨’ କଏଦ୍‌ ହୋଇଛି । ଦିନକରେ ଅତି  କମ୍‌ରେ ୨ରୁ ୩ ଥର ଆସୁଛି ।ଏନ୍‌କ୍ଲୋଜରର ତାର ଜାଲିରେ  ଓହଳି ପଡୁଛି । କିଛି ସମୟ ଏପାଖ ସେପାଖ ହେବା ପରେ ଘଞ୍ଚ  ଜଙ୍ଗଲକୁ ଫେରିଯାଉଛି । କ୍ୟାମେରାରେ ଦେଖଯାଉଛି, ଟି-୧୯  ଓ ଟି-୨୦ ନାମକ ଅନ୍ୟ ୨ଟି ମାଈ ବାଘ ମଧ୍ୟ କବାଟଘାଈ  ସେକ୍ସନରେ ବୁଲୁଛନ୍ତି । କିନ୍ତୁ ଏ ଦୁଇଜଣଙ୍କ ପାଖ ମାଡୁନି ଟି୧୨ । ତା’ ହାବଭାବରୁ ଲାଗୁଛି, ସତେ ଯେମିତି ଯମୁନା ମୁକୁଳିବା  ବାଟକୁ ଅନେଇ ବସିଛି ।  

ବନ ବିଭାଗ ପକ୍ଷରୁ ପ୍ରକାଶ, ୨ଟି ସ୍କ୍ୱାଡ୍‌ ଯମୁନାର ଗତିବିଧି  ଉପରେ ନଜର ରଖୁଛନ୍ତି । ଆଗାମୀ ଦିନରେ ତାକୁ ଆଉ ଏକ  ବାରହା କିମ୍ବା ହରିଣ ଦିଆଯିବ । ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ନୂଆ  ପରିବେଶ ସହ ଖାପ ଖୁଆଉଛି ବୋଲି ସ୍ପଷ୍ଟ ହେବା ପରେ  ତାକୁ ଜଙ୍ଗଲକୁ ଛଡ଼ାଯିବ । ଏଥିପାଇଁ ଆହୁରି ସପ୍ତାହେ ସମୟ  ଲାଗିପାରେ ।  

ଜଙ୍ଗଲରେ ବାଘଗୁଡି଼କର ନିଜ ରହିବା ଉପଯୋଗୀ ସ୍ଥାନ  (ଟେରିଟୋରି) ରହିଥାଏ । ଗୋଟିଏ ଅଣ୍ଡିରା ବାଘ ୧୦ରୁ ୨୦ ବର୍ଗ  କିମି ଇଲାକାକୁ ନିଜ ଟେରିଟୋରି କରିନିଏ । ଏତିକି ଜାଗାରେ  ୨-୩ଟି ମାଈ ବାଘ ରହିପାରିବେ । ଯମୁନା ଏନ୍‌କ୍ଲୋଜରରୁ  ବାହାରିଲେ, ଆଗ ନିଜ ପାଇଁ ଟେରିଟୋରି ଖୋଜିବ । ଯେହେତୁ,  ଶିମିଳିପାଳ ତା’ ପାଇଁ ନୂଆ ପରିବେଶ କେଉଁ ଆଡ଼େ ମାଡିଯିବ,  ସେଇଟା ଏବେଠୁ ଅନୁମାନ କରିହେବନି । ଜନବସତି ଆଡ଼େ  ମାଡି଼ ଯାଇପାରେ । ୟା’ ଭିତରେ ଟି-୧୨ ସହ ଯମୁନାର  ଭେଟଘାଟ ହୋଇପାରେ । ଯାହାକି, ଖୁସି ଖବର ବୋଲି ବନ  ବିଭାଗ ସୂଚାଇଛି ।