ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ କୌଣସି ଆସନରୁ ନିର୍ବାଚନ ଲଢିବେନି ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର । ଆଉ ଏହାର କାରଣ ଏବେ ନିଜେ ସେ ଗଣମାଧ୍ୟମ ଆଗରେ ରଖିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ ପ୍ରଶ୍ନର ଉତ୍ତରରେ ଜନ ସୂରଜ ନେତା କହିଛନ୍ତି ଯେ,ଦଳ ଏବଂ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ। "ମୁଁ ନିର୍ବାଚନ ନ ଲଢ଼ିବା ଦ୍ୱାରା ମୋ ପ୍ରତିଛବି ପ୍ରଭାବିତ ହେବ ନାହିଁ। ମୁଁ ବିହାରର ପ୍ରତିଛବି ନିର୍ମାଣ କରିବାକୁ ଆସିଛି, ମୋର ନୁହେଁ।"

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିଛନ୍ତି ଯେ, ସେ ସମୟର ଅଭାବ ଯୋଗୁଁ ନିର୍ବାଚନ ଲଢୁ ନାହାଁନ୍ତି। ଯେତେବେଳେ ପଚରାଗଲା ଯେ ସେ ନିର୍ବାଚନ ନ ଲଢ଼ିବା ଦ୍ୱାରା ତାଙ୍କ ପ୍ରତିଛବି ପ୍ରଭାବିତ ହେବ କି ? ଏହାର ଉତ୍ତରରେ ଜନ ସୂରଜ ନେତା କହିଛନ୍ତି ଯେ,ଏପରି କିଛି ହେବ ନାହିଁ । ତାଙ୍କ ପ୍ରତିଛବି ମଧ୍ୟ ପ୍ରଭାବିତ ହେବ ନାହିଁ।

ପ୍ରଶାନ୍ତ କିଶୋର ଆହୁରି ମଧ୍ୟ କହିଛନ୍ତି ଯେ, ନଭେମ୍ବର୧୪ ତାରିଖରେ ବିହାରରେ ରାଜନୈତିକ ଇତିହାସ ଲେଖାଯିବ। ଆମେ ନିର୍ବାଚନ ପାଇଁ ଭଲ ପ୍ରସ୍ତୁତି କରିଛୁ। ଜନ ସୂରଜ ପାର୍ଟି ନିଶ୍ଚୟ ନିର୍ବାଚନ ଜିତିବ। ଜନତା ଆମ ଉପରେ ବିଶ୍ୱାସ ଓ ଭରସା ପ୍ରକାଶ କରିଛନ୍ତି।

ଯେତେବେଳେ ପୁଣି ପଚରାଗଲା ଯେ, ଜନ ସୂରଜ ପାର୍ଟି ନିର୍ବାଚନ ଲଢ଼ିବା ଦ୍ୱାରା ବିହାରରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ NDA ମେଣ୍ଟକୁ ଲାଭ ମିଳିବ କି ? ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଏହା ଭୁଲ । ଆମେ ୨୪୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛୁ, ଏବଂ ଏନଡିଏ ଏଥିମଧ୍ୟରୁ ଅନେକ ଆସନରେ କ୍ଷତି ସହିବ…।

ଜନ ସୂରଜ ଏବଂ ବିଜେପି ମଧ୍ୟରେ ପରଦା ପଛରେ କୌଣସି ଆଲୋଚନା ହୋଇଛି କି ନାହିଁ ବୋଲି ପଚରାଯିବାରୁ ପ୍ରଶାନ୍ତ କିଶୋର ଉତ୍ତର ଦେଇଥିଲେ, "ନା, ଏପରି କିଛି ନାହିଁ। ମୁଁ ପରଦା ପଛରେ କିଛି କରେ ନାହିଁ। ମୁଁ ଯାହା କରେ, ମୁଁ ତାହା ସାର୍ବଜନୀନ ଭାବରେ କରେ।"