ପୁରୀ ୧୫/୮ : ଆଜି ପବିତ୍ର ଜନ୍ମାଷ୍ଟମୀ । ସାରା ଜଗତର ଭଗବାନ ଆଦି କର୍ତ୍ତାଙ୍କର ଜନ୍ମ ଦିନ। ଜିଏ ଅଜନ୍ମା ସିଏ ଆଜି ଜନ୍ମ ହେବେ । ଜିଏ ଅପ୍ରକଟିତ ସିଏ ଆଜି ପ୍ରକଟିତ ହେବେ। ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ବୁଧବାର ରୋହିଣୀ ନକ୍ଷତ୍ରରେ ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ। ତିଥି ଥିଲା ଅଷ୍ଟମୀ ଓ ସମୟ ଥିଲା ରାତ୍ରି। ଏହା ପଛର କାରଣ ଥିଲା ଯେ, ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀ ହେବାକୁ ଚାହୁଥିଲେ। ଚନ୍ଦ୍ରଦେବ ତାଙ୍କ ପୂର୍ବଜ ଏବଂ ବୁଧ ଚନ୍ଦ୍ରମାଙ୍କ ପୁତ୍ର। ଏନେଇ ଚନ୍ଦ୍ରବଂଶରେ ପୁତ୍ରବତ ଜନ୍ମ ନେବା ପାଇଁ କୃଷ୍ଣ ବୁଧବାରକୁ ଚିହ୍ନଟ କରିଥିଲେ। ସେହିପରି ରୋହିଣୀ ହେଉଛନ୍ତି ଚନ୍ଦ୍ରଙ୍କ ପ୍ରିୟ ପତ୍ନୀ, ଅଷ୍ଟମୀ ତିଥି ଶକ୍ତିର ପ୍ରତୀକ। ତେଣୁ ଭଗବାନ ଶ୍ରୀକୃଷ୍ଣ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରକୁ ବାଛିଥିଲେ ।ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏହିଦିନ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ପଡିଥାଏ। ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣ ମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବା ପାଇଁ ଶପଥ ନିଆଯାଏ। ଫଳର ଆଶା ନରଖି ବିଶ୍ୱର ସେବାକରିବା ହେଉଛି ପ୍ରକୃତ କର୍ମଯୋଗ ।
କିମ୍ବଦନ୍ତୀ କୁହେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧକରିବା ନେଇ ମାନବ ରୂପରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟି ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତକରିବା ନେଇ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିପଡିଲେ।ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହୋଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେ ଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହୋଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କିଦେଲେ। ସବୁ ବାଧାବିଘ୍ନ ଅତିକ୍ରମକରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ।
ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ। ଜନ୍ମାଷ୍ଟମୀର ପୂର୍ବଦିନ ସଂଧ୍ୟାଧୂପ ଓ ପ୍ରସାଦଲାଗି ପରେ, ତିନିଠାକୁରଙ୍କୁ ବନ୍ଦାପନା କରାଯାଏ। ଏହି ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ଶ୍ରୀମନ୍ଦିର ପରିଭାଷାରେ ଏହା ହେଉଛି ‘ଗର୍ଭୋଦକ ବନ୍ଦାପନା’। ଏହା ପୂର୍ବରୁ ‘ଜେଉଟ’ (ଜେଉଡ଼) ଭୋଗ ନାମରେ ଏକ ସ୍ୱତନ୍ତ୍ର ଭୋଗ ମଧ୍ୟ ତାଙ୍କୁ ଲାଗି କରାଯାଇଥାଏ। ମହାପ୍ରଭୁଙ୍କୁ ଦେବକୀ ଭାବରେ ଜ୍ଞାନ କରି, ସୁଖପ୍ରସବ ପାଇଁ ଏହା କରାଯାଇଥାଏ। ଏହାର ତାତ୍ପର୍ଯ୍ୟ ହେଉଛି, ମଣିମାଙ୍କୁ ଦେବକୀ ରୂପେ ଭୋଗ ଓ ବନ୍ଦାପନା ପାଆନ୍ତି ଏବଂ ପରଦିନ ସେ ଶ୍ରୀକୃଷ୍ଣ ରୂପେ ନିଜକୁ ଜନ୍ମ ଦିଅନ୍ତି। ଏହାର ତାତ୍ତ୍ୱିକତା ହେଉଛି- ସେ ମାତା, ସେ ପିତା ଏବଂ ସେ ମଧ୍ୟ ପୁତ୍ର।ଏହି ନୀତିର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଜେ ପ୍ରତିମା ବା ପ୍ରତିନିଧି ଶ୍ରୀମଦନମୋହନ ମଧ୍ୟ ଏଥିରେ ଭାଗ ନେଇଥାଆନ୍ତି। ସେ ହିଁ କୃଷ୍ଣ ରୂପେ ଜନ୍ମ ନିଅନ୍ତି। ସେଥିପାଇଁ, ଶିଶୁଟିଏ ଜନ୍ମବେଳେ ନଗ୍ନ ଥିବା ପରି, ତାଙ୍କର ବସ୍ତ୍ରହୀନ ପ୍ରତିମା ହିଁ ଏହି ଭୂମିକା ନିର୍ବାହ କରିଥାଆନ୍ତି। ଏଥିପାଇଁ ଶ୍ରୀମଦନମୋହନଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଦିଆଯାଇଥାଏ। ସେହି ଆଜ୍ଞାମାଳ ପ୍ରଦାନ ସମୟରେ ପ୍ରାର୍ଥନା କରାଯାଏ- ହେ ମହାପ୍ରଭୁ! ହେ ଦାରୁବ୍ରହ୍ମ! ତୁମ୍ଭଙ୍କୁ ନମସ୍କାର। ମତ୍ସ୍ୟ ପ୍ରଭୃତି ଅବତାରଗଣ ତୁମ୍ଭର ଆଜ୍ଞାଲାଭ କରି ତୁମ୍ଭଠାରୁ ଉଦ୍ଭବ ହୁଅନ୍ତି। ହେ ପଦ୍ମଲୋଚନ! ଏବେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ଆଜ୍ଞା ଦିଅନ୍ତୁ!
ଏହାର ପୁର୍ବ ଦିନ ସନ୍ଧ୍ୟାଧୂପ ପୂଜା ପରେ ଭିତରେ ପାଣି ପଡ଼ି ଜୟ ବିଜୟ ଦ୍ୱାର ବନ୍ଦ ହୋଇଯାଏ। ଟେରା ବନ୍ଧା ହେବା ପରେ ଜେଉଟ ଭୋଗ (ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରି ଆଦି) ରୋଷରୁ ଆସି ଅଣସର ପିଣ୍ଡିରେ ରଖାଯାଏ। ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରାନ୍ତି । ଜଣେ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରନ୍ତି। ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୁଏ। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଅନ୍ୟାନ୍ୟ ନୀତି ବଢେ। ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଯେଉଡ଼ ଫଳ ଖାଇଥାନ୍ତି ।
ଜଗନ୍ନାଥ ଯେ ଷୋଳ କଳା ତହୁଁ ଯାତ ଏ ନନ୍ଦ ବଳା-
ମହାପ୍ରଭୁ ଜଗନ୍ନାଥ ପୂର୍ଣ ପରଂବ୍ରହ୍ମ ସେ ଅବତାରୀ ତାଙ୍କ ଠାରୁ ସବୁ ଅବତାର ଜନ୍ମ ନେଇ ପୁଣି ତାଙ୍କ ଠାରେ ଲୀନ ହୋଇଯାନ୍ତି। "ରାତ୍ରିରେ ମା ହୋଇ ଗର୍ଭ ଯନ୍ତ୍ରଣା ଭୋଗ କରି ଯେଉଡ଼ ଖାଇଲେ ତତ୍ପର ଦିନ ପୁଅ ହେଇ ନିଜେ ଜନ୍ମ ହେଲେ "। ରାତ୍ରରେ ମାଆ ଆଉ ସକାଳରେ ସନ୍ତାନ , ବିଚିତ୍ର ଲୀଳା , ହର ବ୍ରହ୍ମା ତ ତୋ ମାୟାରେ ବାୟା ଆମେ ତ ଛାର ମନୁଷ୍ୟ ମହାପ୍ରଭୁ ବୁଝିବୁ ବା କେମିତି !! ଧନ୍ୟ ମଣିମା ଧନ୍ୟ ଆପଣଙ୍କ ଳିଳା ।
ଏଥି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ତଥା ପୂଜାର୍ଚ୍ଚନାର ବିଧି ପାଳନ ହେବ। ସକାଳେ ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ, ସକାଳଧୂପ, ପ୍ରଥମ ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ, ଦ୍ୱିତୀୟ ଭୋଗମଣ୍ଡପ, ସନ୍ଧ୍ୟା ଆଳତି ପରେ ସନ୍ଧ୍ୟାଧୂପ ନୀତି ହେବାପରେ । ମହାପ୍ରଭୁଙ୍କୁ ସଂଧ୍ୟାଧୂପ ବେଶରେ ଅଳଙ୍କାର ଲାଗି ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଆରମ୍ଭ ହେବ । ବିଧି ମୁତାବକ, ଶୁଦ୍ଧସୁଆର ସେବକ ଭଣ୍ଡାର ଘର ଦ୍ୱାର ଆଗରେ ପୋଛା ମାରିବା ପରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ରମଣ୍ଡଳ ଆଙ୍କିବେ। ପୋଖରିଆ ଭିତରେ ପାଣିପଡ଼ି ଧୋପଖାଳ କରିବେ । ଭଦ୍ରମଣ୍ଡଳ ପାଖରେ ପୂଜା ଠା’ ବସିବ। କୃଷ୍ଣଜନ୍ମ ପଟିକୁ ପୂଜାପଣ୍ଡା ପଦ୍ମ ପାଖୁଡ଼ା ମଣ୍ଡଳ ଉପରେ ରଖିବେ । ପଦ୍ମପାଖୁଡାର ୯ ମୂର୍ତ୍ତି ଯଥା, ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗ ଋଷି, କୃଷ୍ଣଙ୍କ ମୂର୍ତ୍ତି ଅଙ୍କା ଯାଇଥିବ । ସୁବର୍ଣ୍ଣର ମୂର୍ତ୍ତିକୁ ମଣ୍ଡଳ ଉପରେ ବିଜେ କରାଯିବା ସହ ଚକଡ଼ା ଛାମୁରେ ୯ଟି ପନ୍ତିଭୋଗ ବଢ଼ା ହେବ । ଫୁଲମାଳ ଓ ଚନ୍ଦନ ଲାଗି ହେବା ପରେ ଦକ୍ଷିଣୀ ଘରୁ ମଦନମୋହନ ସିଂହାସନ ଉପରକୁ ବିଜେ କରିବେ । ମହାପ୍ରଭୁଙ୍କ ବାଡ଼ରୁ ମୁଦିରସ୍ତ ସେବକ ମଦନମୋହନଙ୍କୁ ଧଣ୍ଡିପ୍ରସାଦ ଆଜ୍ଞାମାଳ ଦେବା ପରେ ମହାଜନ ମଦନମୋହନଙ୍କୁ ହାତରେ ଧରି ଜନ୍ମ ଚକଡ଼ାରେ ବିଜେ କରାଇବେ । ପୂଜାପଣ୍ଡା ଗର୍ଭଉଦକ କର୍ମ ସାରି ଶୀତଳ ଭୋଗକୁ ଷୋଡ଼ଶ ଉପଚାରରେ ମଣୋହି କରିବେ । ବସୁଦେବ ଓ ଦେବକୀ ବେଶରେ ଦୁଇଜଣ ମହାଜନ ସେବକ ଶ୍ରୀକୃଷ୍ଣ ଜନ୍ମ ନୀତି ସଂପନ୍ନ କରିବେ । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପାଳିଆ ମହାସୁଆର ଦୁଧ ଓ ଲହୁଣୀ ସହ ବିଧି ମୁତାବକ ଅନ୍ୟାନ୍ୟ ମସଲା ଦେବେ। ପୂଜାପଣ୍ଡା ଏହାକୁ ସମର୍ପଣ କରି ମଣୋହି କରିବେ। ପରେ ମହାଜନ ସେବକ ରୁପା ଥାଳିରେ ଶ୍ରୀକୃଷ୍ଣଙ୍କୁ ଦେବକୀ ଓ ବସୁଦେବଙ୍କ ସହ ଜଗମୋହନ ଦେଇ ସରସ୍ୱତୀ ମନ୍ଦିର ନିକଟ ଯମୁନା ନଦୀ ତଟକୁ ନିରାଡମ୍ୱରରେ ବିଜେ କରିବେ। ପୂଜାପଣ୍ଡା ସେବକ ଉଗ୍ରସେନ ବେଶରେ ଭେଟ ହୋଇ ଯମୁନା ନଦୀ କୂଳରେ ଦଣ୍ଡ ପ୍ରଣାମ କରିବେ। ଏହି ସମୟରେ ବେହେରା ଖୁଣ୍ଟିଆ ଠାକୁରଙ୍କ ଉପରେ ସପ୍ତଫେଣୀ ବାସୁକୀକୁ ଧରି ଚାଲିବେ। ଉଗ୍ରସେନଙ୍କ ଦଣ୍ଡ ପ୍ରମାଣ ପରେ ମୁଦିରସ୍ତ ପ୍ରସାଦ ଲାଗି ଓ ବନ୍ଦାପନା ବଢ଼ାଇବେ। ଜନ୍ମ ଠାକୁର ଘଣ୍ଟଛତା, କାହାଳି ସହ ନାଭିକଟା ମଣ୍ଡପସ୍ଥିତ ଖଟଶେଯ ଉପରକୁ ବିଜେ କରିଇବେ। ଦକ୍ଷିଣୀ ଘରରୁ ରାମକୃଷ୍ଣ ଏହି ଖଟଶେଯରେ ଅଧିଷ୍ଠିତ ହେବେ । ପୂଜାପଣ୍ଡା ସେବକ ଏଠାରେ ନାଭିକଟା ନୀତି ସଂପନ୍ନ କରିବେ। ନାଭି ଛେଦନ ପରେ ପଞ୍ଚାମୃତରେ ଠାକୁରଙ୍କ ସ୍ନାନ ନୀତି ସଂପନ୍ନ କରାଜିବ । ପଞ୍ଚୋପଚାରରେ ଶୀତଳ ଭୋଗ ମଣୋହି, ବନ୍ଦାପନା ବଢ଼ିବେ। ପରେ ବାଳକୃଷ୍ଣଙ୍କୁ ମହାଜନ ସେବକ ହାତରେ ନେଇ ଜଗମୋହନସ୍ଥିତ ଦୋଳିରେ ରାମକୃଷ୍ଣଙ୍କ ସହ ବିଜେ କରାଇବେ। ଏଠାରେ ଶୀତଳ ଭୋଗ ଆକାରରେ ରାସି କୋରା ଓ ଲଡୁକୁ ମୁଦିରସ୍ତ ଲାଗି କରାଇବେ। ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରି ମଣୋହି କରିବେ। ବନ୍ଦାପନା ପରେ ପୋଖରିଆରେ ପାଣି ପଡି ବଡସିଂହାର ଭୋଗ ପାଇଁ ରୋଷକୁ ଡାକରା ଯିବ। ରୋଷରୁ ଛେକ ଆସିବା ପରେ ଦୋଳିରୁ ରାମକୃଷ୍ଣ ସିଂହାସନକୁ ଫେରିବେ ଓ ମଦନମୋହନ ଦକ୍ଷିଣୀ ଘରକୁ ବାହୁଡା ବିଜେ କରିବେ। ଏହା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିବ । ଆସନ୍ତାକାଲି ନନ୍ଦ ଉତ୍ସବ ଅନୁଷ୍ଠିତ ହେବ।