ନୂଆଦିଲ୍ଲୀ ୨୫/୦୫: ଜାପାନ ଚଳିତ ସିଜନ ଲାଗି ଭାରତରୁ ଆମ୍ବ ଆମଦାନି ରୋକି ଦେଇଛି । ରପ୍ତାନି ବେଳେ ଭାରତୀୟ ଟ୍ରିଟ୍ମେଣ୍ଟ ସେଣ୍ଟର ଗୁଡିକରେ ଭିତ୍ତିଭୂମି ଅଭାବ ତଥା ମାନକକୁ ନେଇ ଏଭଳି କଟକଣା ଲଗାଯାଇଛି । ଏଭଳି କଟକଣା ଯୋଗୁ ଜାପାନ ବଜାରରେ ଭାରତୀୟ ଆମ୍ବ ରପ୍ତାନି ଅଟକି ଯାଇଛି । ଏହି ଆମ୍ବ ଗୁଡିକ ମଧ୍ୟରେ ବାଇଗଣପଲେଇ, କେସର, ଅଲଫାନ୍ସୋ, ଲଙ୍ଗଡା ଭଳି କିସମ ରହିଥିବା ୩ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏବେ ଯାଏ କେନ୍ଦ୍ର ସରକାର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ମାତ୍ର ଏଭଳି କଟକଣା ଯୋଗୁ ବିନା କୌଣସି ସମାଧାନରେ ଏପ୍ରିଲ ଜୁନ ଅବଧିର ଆମ୍ବ ରପ୍ତାନି ସିଜନ ଶେଷ ହେବାର ଆଶଙ୍କା ରହିଛି ।
ମିଡିଆ ରିପୋର୍ଟ ମୁତାବକ, ୟୋକୋହାମା ପ୍ଲାଣ୍ଟ ପ୍ରୋଟେକ୍ସନ ଆସୋସିଏସନ ମାର୍ଚ୍ଚ ୩୧ରେ ଏ ନେଇ ଏକ ବୟାନ ଜାରି କରିଛି । ଜାପାନ ସରକାରୀ ପ୍ଲାଣ୍ଟ ପ୍ରୋକ୍ଟେସନ ଅଧିସୂଚନାରେ କୁହାଯାଇଛି ଯେ, ୨୫ ମାର୍ଚ୍ଚ ୨୦୨୬ କିମ୍ବା ଏହା ପରେ ଭାରତ ପକ୍ଷରୁ ଜାରି କରାଯାଇଥିବା ନିରୀକ୍ଷଣ ପ୍ରମାଣପତ୍ର ଲାଭ କରିଥିବା ଆମ୍ବ କ୍ଷେପକୁ ସ୍ୱୀକାର କରାଯିବ ନାହିଁ । ଏମିତିକି ଭାରତୀୟ ସେଣ୍ଟର ଗୁଡିକରୁ ସତେଜ ଆମ୍ବ ଆମଦାନି ମଧ୍ୟ ବାତିଲ କରାଯିବ । ଭାରତ ପରିଚାଳନା ମାନକରେ ସୁଧାର ନ ଆଣିବା ଯାଏ ଏଭଳି କଟକଣା ଲାଗିବ ।
ଗୁଜରାଟର ଜଣେ ରପ୍ତାନିକାରୀ କହିଛନ୍ତି, ଜାପାନ ଆମ୍ବ ନେଉନି । ସେଠାରୁ ରପ୍ତାନି କଟକଣା ଯୋଗୁ କ୍ଷତି ସହୁଛୁ । ସେହିଭଳି ଆମେରିକା ସହ ଅନ୍ୟ ବଜାରକୁ ରପ୍ତାନି ଖର୍ଚ୍ଚ ବାଧୁଛି । ଯୁଦ୍ଧ ଯୋଗୁ ଇନ୍ଧନ ଦର ବୃଦ୍ଧି ଏବଂ ବିମାନ ଯୋଗୁ ସାମଗ୍ରୀ ପଠାଇବା ମହଙ୍ଗା ହୋଇଛି ।
ଆହୁରି ପଢ଼ନ୍ତୁ...Global food price : ପୁଣି ତେଜିବ ବିଶ୍ୱ ଖାଦ୍ୟ ଦର, ହୋର୍ମୁଜ ଜଳମାର୍ଗ ଅବରୋଧ ଏବଂ ବିକୃତ ଏଲନିନୋ ସ୍ଥିତି ସାଜିବ କାରଣ