ନୂଆଦିଲ୍ଲୀ,୨୪।୧୧: ଚୀନ୍ ଓ ଜାପାନ ଭିତରେ ତାଇଓ୍ବାନକୁ ନେଇ ବିବାଦ ଚରମ ସ୍ଥିତିରେ ପହଁଞ୍ଚିଛି। ଦୁଇ ଦେଶ ପରସ୍ପର ବିରୋଧରେ କଡା ମନ୍ତବ୍ୟ ଦେଉଛନ୍ତି। ଏହା ଭିତରେ ଜାପାନ ନିଜର ଦକ୍ଷିଣ ଦ୍ବୀପ ୟୋନାଗୁନିରେ ଘାତକ ମିସାଇଲ ମୁତୟନ କରିଛି। ଯାହାଫଳରେ ଦୁଇ ଦେଶ ଭିତରେ ବିବାଦ ବଢି ଯାଇଛି। ଅନ୍ୟପକ୍ଷେ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଶିଞ୍ଜିରୋ କୋଇଜୁମି ତାଇଓ୍ବାନଠାରୁ ମାତ୍ର ୧୧୨ କିଲୋମିଟର ଦୂରରେ ଥିବା ଏହି ସାମରିକ ଆଡ୍ଡା ଗସ୍ତ କରିଛନ୍ତି। ଏହା ସହ ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ମିସାଇଲ ମୁତୟନ ହେବା ଦ୍ବାରା ଆକ୍ରମଣ ଆଶଙ୍କା ବଢିବ ନାହିଁ, ବଂର କମ୍ ରହିବ।

ଉଲ୍ଲେଖନୀୟ ଯେ, ୟୋନାଗୁନି ଦ୍ବୀପକୁ ଜାପାନ ନିଜର ବୋଲି ମାନୁଛି। ଜାପାନ ପୂର୍ବରୁ ଏହି ଅଞ୍ଚଳରେ ଅନ୍ୟ ଦୁଇଟି ଦ୍ବୀପ (ଇଶିଗାକିରେ ଆଣ୍ଟି-ସିପ୍ ମିସାଇଲ ଓ ମିୟାକୋ)ରେ ଏୟାର ସର୍ଭିଲାନ୍ସ ସିଷ୍ଟମ ମୁତୟନ କରିଥିଲା। ଉଲ୍ଲେଖନୀୟ ଯେ, ୟୋନାଗୁନି ଦ୍ବୀପ ଆମେରିକା ସେନା ରଣନୀତି ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏହା ଚୀନ୍ର ପ୍ରଥମ ଦ୍ବୀପ ଶୃଙ୍ଖଳାରେ ରହିଛି ଓ ତାଇଓ୍ବାନ ଡମ୍ବରୁମଧ୍ୟ ତଥା ପୂର୍ବ ଚୀନ ସାଗର ଭିତରେ ସମୁଦ୍ର ମାର୍ଗରେ ରହିଛି। ତାଇଓ୍ବାନ ସଙ୍କଟ ସ୍ଥିତିରେ ଏହି ଦ୍ବୀପ ଉପରେ ନଜର ରଖିବା ଆମେରିକା-ଜାପାନର ମିଳିତ ସାମରିକ ଅଭିଯାନ ପାଇଁ ରଣନୈତିକ ସ୍ତରରେ ଖୁବ୍ ଗୁରୁତ୍ବପୂର୍ଣ୍ଣ।

ଏହ ପୂର୍ବରୁ ଚୀନ୍ର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ରବିବାର କଡା ପ୍ରତିକ୍ରିୟା ଦେଇ କହିଥିଲେ ଜାପାନର ନୂତନ ନେତୃତ୍ବ ତାଇଓ୍ବାନରେ ସାମରିକ ହସ୍ତକ୍ଷେପ କଥା କହି ରେଡ୍ ଲାଇନ୍ ପାର କରିଦେଇଥିଲେ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଓ୍ବେବସାଇଟ୍ରେ ଜାରି ବୟାନରେ ଓ୍ବାଙ୍ଗ ୟି କହିଥିଲେ ଚଳିତ ମାସ ଆରମ୍ଭରେ ଜାପାନର ପ୍ରଧାନମନ୍ତ୍ରୀ ସାନୋ ତାକାଇଚିଙ୍କ ଏହି ବୟାନ ଚୀନ୍ ଦ୍ବାରା ତାଇଓ୍ବାନ ସେନାର ନାକାବନ୍ଦୀ କିମ୍ବା ଅନ୍ୟ କାର୍ଯ୍ୟାନୁଷ୍ଠାନ ଜାପାନ ପାଇଁ ସେନା କାର୍ଯ୍ୟାନୁଷ୍ଠାନର ଆଧାର ହୋଇପାରେ,ଯାହାକି ଖୁବ୍ ଚିନ୍ତାଜନକ।