ନୂଆଦିଲ୍ଲୀ, ୨୩।୨: ଲୋକଙ୍କୁ ସୁରକ୍ଷା ଦେବା ଲାଗି ପ୍ରତ୍ୟେକ ଦେଶରେ ପୋଲିସ ନିୟୋଜିତ ହୋଇଥାନ୍ତି । କିଛି ସମୟରେ ପୋଲିସଙ୍କୁ ଦିନରାତି ୨୪ ଘଣ୍ଟା ଡ୍ୟୁଟି କରିବାକୁ ପଡ଼େ । ତେବେ ନିକଟରେ ଜାପାନର ଏକ ପୋଲିସ ଟ୍ରେନିଂ ସେଣ୍ଟରରେ କିଛି ପୋଲିସ ଅଫିସର ନିଜେ ନିଜର ମେକଅପ୍ କରୁଥିବାର ଦେଖାଯାଉଛି । କିଏ ମୁହଁରେ ୱେଟ୍ ପେପର୍ ଲଗାଇ ବସିଛନ୍ତି ତ ଆଉ କିଏ ମୁହଁରେ ଫାଉଣ୍ଡେସନ ଲଗାଇବା ପ୍ରାକ୍ଟିସ୍ କରୁଛନ୍ତି । ଆପଣ ଭାବୁଥିବେ ପୋଲିସମାନେ କାହିଁକି ମେକଅପ୍ ଲଗାଉଛନ୍ତି ? 

ଜାପାନର ଏକ ପୋଲିସ ଟ୍ରେନିଂ ସେଣ୍ଟରର ଫଟୋ ଓ ଭିଡିଓ ସୋସିଆଲ ଭାଇରାଲ ହେବାରେ ଲାଗୁଛି । ଯେଉଁଥିରେ କିଛି ପୋଲିସ ଅଫିସର ନିଜେ ନିଜର ମେକଅପ୍ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଫେସ୍ ମଶ୍ଚରାଇଜର କିପରି ବଜାୟ ରଖାଯିବ ସେନେଇ ମଧ୍ୟ ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି । କହିରଖୁ କି, ଏ ସମସ୍ତ ଅଧିକାରୀ କୌଣସି ସାଧାରଣ ପୋଲିସ ନୁହଁନ୍ତି ବରଂ ରାଇଫଲ୍ ସୁଟିଂ, ତାଇକୋଣ୍ଡୋ ଫାଇଟିଂ ଆଦିରେ ଦକ୍ଷତା ହାସଲ କରିଛନ୍ତି । ସାଉଥ୍ ଚାଇନା ମର୍ଣ୍ଣଂ ପୋଷ୍ଟ ଅନୁଯାୟୀ, ଜାପାନର ବିଭିନ୍ନ ପୋଲିସ ଏକାଡେମୀରେ କ୍ୟାଡେଟମାନଙ୍କୁ ମେକଅପ୍ କୋର୍ସ ଦିଆଯାଉଛି । ଫୁକୁସିମାରେ ଥିବା ଫୁକୁସିମାକେନ୍ କେଉସାତ୍ସୁଗୋକୋ ପୋଲିସ ଏକାଡେମୀରେ ଥିବା ପ୍ରାୟ ୬୦ ଜଣ କ୍ୟାଡେଟଙ୍କୁ ସ୍କିନ୍ କେୟାର ନେବା ଓ ସୁନ୍ଦର ଦେଖାଯିବା ଲାଗି ଟ୍ରେନିଂ ଦିଆଯାଉଛି । 

ଜାପାନର ଏକ ଘରୋଇ ଚ୍ୟାନେଲ ସହ ସାକ୍ଷାତକାରରେ ଜାପାନର ଜଣେ ମୁଖ୍ୟ ପୋଲିସ ଅଧିକାରୀ କହିଛନ୍ତି ଯେ, ଆମେ ସେମାନଙ୍କୁ ସୁନ୍ଦର ଦେଖାଯିବାର ଗୁରୁତ୍ୱ ଶିଖାଇବାକୁ ଚାହୁଁଛୁ । ଏହା ବୃତ୍ତିଗତତାର ମାନଦଣ୍ଡ । ଏହି ଟ୍ରେନିଂରେ କେବଳ ମେକଅପ୍ ମାର୍ଗଦର୍ଶନ ଦିଆଯାଉନାହିଁ ବରଂ ସେମାନଙ୍କୁ ବ୍ୟକ୍ତିଗତ ପରାମର୍ଶ ମଧ୍ୟ ଦିଆଯାଉଛି । ସୁନ୍ଦର ଦେଖାଗଲେ ପୋଲିସଙ୍କ ମନରେ ଏକ ଆତ୍ମବିଶ୍ୱାସ ଆସିଥାଏ । ଏଥିସହ ସାଧାରଣ ଲୋକଙ୍କ ମନରେ ପୋଲିସକୁ ନେଇ ଥିବା ଧାରଣା ପରିବର୍ତ୍ତନ ହୋଇଥାଏ । ସେମାନେ ପୋଲିସଙ୍କୁ ନିର୍ଭୟରେ ଖୋଲାଖୋଲି ଭାବେ ନିଜର ସମସ୍ୟା ଜଣାଇଥାନ୍ତି ।