ନୂଆଦିଲ୍ଲୀ,୯।୧୧:  ଜାପାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସଂସଦରେ ଏକ ଅସାଧାରଣ ପ୍ରସ୍ତାବ ଆଗତ କରିବାକୁ ଯାଉଛନ୍ତି ଯାହା ତାଙ୍କ ଏବଂ ତାଙ୍କ କ୍ୟାବିନେଟ ପାଇଁ ଦରମା କାଟକୁ ମଞ୍ଜୁରୀ ଦେବ। ସରକାରୀ ସୁତ୍ରରୁ ଜାପାନ ଟାଇମ୍ସର ଏହି ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସମ୍ପୃକ୍ତ ମନ୍ତ୍ରୀମାଙ୍କ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବାର ଆଶା କରାଯାଉଛି। ଏହି ପ୍ରସ୍ତାବ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀଙ୍କୁ ସେମାନଙ୍କର ସାଂସଦଙ୍କ ବେତନ ବ୍ୟତୀତ ବର୍ତ୍ତମାନ ଦିଆଯାଉଥିବା ଅତିରିକ୍ତ ଭତ୍ତା କାଟ୍ କରାଯିବ।  

ତାକାଇଚିଙ୍କ ଏହି ପଦକ୍ଷେପ ପ୍ରଶାସନିକ ଏବଂ ଆର୍ଥିକ ସଂସ୍କାର ପ୍ରତି ତାଙ୍କର ପ୍ରତିଶୃତିବଦ୍ଧତାକୁ ପ୍ରଦର୍ଶନ କରୁଛି। ଗତ ମାସ ଜାପାନରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇ ଇତିହାସ ରଚିଥିଲେ ସାନାଏ ତାକାଇଚି। ସାମ୍ବାଦିକ ସମ୍ମିଳନୀରେ ଦରମା କାଟ ଉପରେ ତାଙ୍କର ପୂର୍ବ ମତକୁ ସେ ଏବେ ପୁଣିଥରେ ଦୋହରାଇଛନ୍ତି। ସେ କହିଛନ୍ତି ‘ମୁଁ ଆଇନ ସଂଶୋଧନ ପାଇଁ କାମ କରିବି ଯାହା ଦ୍ୱାରା କ୍ୟାବିନେଟ ମନ୍ତ୍ରୀମାନେ ସାଂସଦଙ୍କଠାରୁ ଅଧିକ ଦରମା ପାଇବେ ନାହିଁ।’

ଜାପାନ ସରକାର ସଂଶୋଧିକ ଆଇନରେ ଏହା ସ୍ପଷ୍ଟ କରିବାର ବିଚାର କରୁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଅତିରିକ୍ତ ଭତ୍ତା ପ୍ରଦାନ କରାଯିବ ନାହିଁ। ବର୍ତ୍ତମାନ, ଜାପାନରେ ସାଂସଦମାନେ ମାସିକ ୧୨.୯୪ ଲକ୍ଷ ଜାପାନୀ ୟେନ୍‌ ବେତନ ପାଆନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅତିରିକ୍ତ ୧୧.୫୨ ଲକ୍ଷ ଜାପାନୀ ୟେନ୍ ଓ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ୪.୮୯ ଲକ୍ଷ ଜାପାନୀ ୟେନ ଭତ୍ତା ମିଳିଥାଏ।