ନୂଆଦିଲ୍ଲୀ, ୧୪।୧୦: ଥରେ ଭାବନ୍ତୁ କେହି ଜଣେ ଆପଣଙ୍କୁ ସୋସିଆଲ ମିଡିଆରେ କହୁଛନ୍ତି ଯେ, ସେ ମହାକାଶରେ ଫସି ରହିଛନ୍ତି ତାଙ୍କ ପାଖରେ ଅମ୍ଳଜାନ ସରିଯାଇଛି, ତାଙ୍କୁ ଟଙ୍କା ପଠାନ୍ତୁ । ଟଙ୍କା ପଠାଇ ଏଭଳି ଏକ ଠକେଇର ଶିକାର ହୋଇଛନ୍ତି ଜାପାନର ଜଣେ ୮୦ ବର୍ଷୀୟା ମହିଳା । କିନ୍ତୁ, ଯଦି ଏ ପ୍ରଶ୍ନ ଆପଣଙ୍କୁ ପଚରାଯାଏ ଯେ, ଏଭଳି ମେସେଜ୍ କିମ୍ୱା କଲ୍ ଆସିଲେ ଆପଣ କ’ଣ କେବେ ସେହି ବ୍ୟକ୍ତିଙ୍କୁ ଟଙ୍କା ପଠାଇବେ ? ଏ ପ୍ରଶ୍ନର ଉତ୍ତର ପରିସ୍ଥିତି ଉପରେ ନିର୍ଭର କରେ । କାରଣ ଆପଣ ବି ବୋଧହୁଏ ସେହି ମହିଳାଙ୍କ ଜାଗାରେ ଥିଲେ ଟଙ୍କା ପଠାଇଥାନ୍ତେ । ପିପୁଲ୍ସର ରିପୋର୍ଟ ଅନୁଯାୟୀ, ଜାପାନର ହୋକ୍କାଇଡୋରେ ରହୁଥିବା ଜଣେ ମହିଳାଙ୍କର ଜୁଲାଇ ମାସରେ ସୋସିଆଲ ମିଡିଆରେ ଜଣେ ପୁରୁଷଙ୍କ ସହ ପରିଚୟ ହୋଇଥିଲା । ସେ ନିଜକୁ ଜଣେ "ମହାକାଶଚାରୀ" ଭାବେ ପରିଚୟ ଦେଇଥିଲେ ଏବଂ କହିଥିଲେ ଯେ ସେ ବର୍ତ୍ତମାନ ମହାକାଶରେ ଅଛନ୍ତି । କିଛି ଦିନ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ଧିରେ ଧିରେ ସେ ମହିଳାଙ୍କ ବିଶ୍ୱାସ ଜିତିଥିଲେ ।
ଦିନେ ହଠାତ୍ ସେହି ବ୍ୟକ୍ତି ମେସେଜ୍ କରିଥିଲେ ଯେ, ମୋ ମହାକାଶଯାନ ଉପରେ ଆକ୍ରମଣ ହୋଇଛି ଏବଂ ମୋ ଅମ୍ଳଜାନ ସରି ସରି ଯାଉଛି । ମୋତେ ତୁରନ୍ତ ଅମ୍ଳଜାନ ନ ଦେଲେ ମୁଁ ମରିଯିବି । ସେ ମହିଳାଙ୍କୁ ଟଙ୍କା ମାଗିଲେ ଯାହା ଦ୍ୱାରା ତାଙ୍କ ଜୀବନ ରକ୍ଷା ହୋଇପାରିବ । ଏସବୁ କଥା ଶୁଣି ଏକାକୀ ରହୁଥିବା ମହିଳା ଜଣକ ପୁରୁଷଙ୍କ ପ୍ରତିଟି କଥାକୁ ସତ ବୋଲି ଭାବିଲେ ଆଉ ଅକ୍ସିଜେନ ପାଇଁ ତାଙ୍କୁ ୬ ଲକ୍ଷ ଟଙ୍କା ପଠାଇଲେ । ଟଙ୍କା ପାଇବା ପରେ ଛୁ ମାରିଲେ "ମହାକାଶ ପ୍ରେମୀ" । ହାତକୁ ଟଙ୍କା ଆସିଲା ଆଉ ସେ ସବୁଦିନ ପାଇଁ ଗାଏବ୍ । କହିରଖୁଛୁ ଯେ, ଜାପାନରେ ପ୍ରେମ ଠକେଇ ମାମଲା ନିରନ୍ତର ବୃଦ୍ଧି ପାଉଛି । ଜାପାନର ଜାତୀୟ ପୋଲିସ ଏଜେନ୍ସି ଅନୁଯାୟୀ, କେବଳ ୨୦୨୪ର ପ୍ରଥମ ୧୧ ମାସରେ ୩ ହଜାର ୩୨୬ଟି ଏପରି ମାମଲା ପଞ୍ଜିକୃତ ହୋଇଛି, ଯାହା ପୂର୍ବ ବର୍ଷର ସଂଖ୍ୟା ତୁଳନାରେ ଦୁଇଗୁଣ । ଯଦି କୌଣସି ଅଜଣା ବ୍ୟକ୍ତି ସୋସିଆଲ ମିଡିଆରେ ଆପଣଙ୍କୁ ଟଙ୍କା ମାଗନ୍ତି, ତେବେ ତୁରନ୍ତ ପୋଲିସକୁ ଜଣାନ୍ତୁ ବୋଲି ସ୍ଥାନୀୟ ପୋଲିସ ଲୋକଙ୍କୁ ସତର୍କ କରାଇଛି ।
ତେବେ ଏହା ପ୍ରଥମ ଘଟଣା ନୁହେଁ । ଚଳିତ ବର୍ଷ ଫେବୃଆରୀରେ, ଜଣେ ଅଷ୍ଟ୍ରେଲୀୟ ମହିଳା ଠକେଇର ଶିକାର ହୋଇ ୪.୩ କୋଟି ଟଙ୍କା ହରାଇଥିଲେ । ସେ ଅନଲାଇନରେ ପ୍ରେମରେ ପଡ଼ିଥିଲେ ଏବଂ ବାରମ୍ବାର ଜଣେ ଠକଙ୍କୁ ଟଙ୍କା ପଠାଇଥିଲେ । ମହିଳାଙ୍କ ସାରା ଜୀବନର ସଞ୍ଚୟ ଲୁଟି ନେଇଥିଲା ଠକ । ସୋସିଆଲ ମିଡିଆରେ ଅନଲାଇନ ଠକେଇ ଏବଂ ପ୍ରେମ ଠକେଇ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ, ସତର୍କ ରହିବା ଜରୁରୀ । ମନେରଖନ୍ତୁ ସୋସିଆଲ ମିଡିଆରେ ଯଦି କାହା ସହ ପ୍ରେମରେ ପଡ଼ିଛନ୍ତି ଆଉ କିଛି ଦିନର ସମ୍ପର୍କ ଭିତରେ ସେ ଆପଣଙ୍କୁ ମାଗୁଛନ୍ତି, ତା’ହେଲେ ଧରିନେବେ କିଛି ତ ଗଡ଼ବଡ଼ ଅଛି ।