ନୂଆଦିଲ୍ଲୀ,୧୮/୦୬: ପେସ୍ ତାରକା ଯଶପ୍ରୀତ ବୁମରା କାହିଁକି ଟେଷ୍ଟ ଦଳର ଅଧିନାୟକ ହେଲେ ନାହିଁ ? ଏ ପ୍ରଶ୍ନ ଏବେବି କ୍ରିକେଟ୍ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି । କିନ୍ତୁ ନିଜେ ବୁମରା ଏ ବିଷୟରେ ମୁହଁ ଖୋଲିଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପୂର୍ବରୁ ବିସିସିଆଇକୁ ଅଧିକନାୟ ହେବିନାହିଁ ବୋଲି କହିଥିବା କହିଛନ୍ତି ବୁମରା ।
ସେ କହିଛନ୍ତି, ‘ଆଇପିଏଲ ସମୟରେ ମୁଁ ବିସିସିଆଇ ସହ ଆଗାମୀ ୫ ମ୍ୟାଚ ବିଶିଷ୍ଟ ସିରିଜରେ ମୋର କାର୍ଯ୍ୟଭାର ବିଷୟରେ କଥା ହୋଇଥିଲି । ମୁଁ କହିଥିଲି, ଦଳର ନେତୃତ୍ୱ ନେବାକୁ ଚାହୁଁନାହିଁ, କାରଣ ସିରିଜରେ ହୁଏତ ସବୁ ମ୍ୟାଚ୍ ଖେଳି ପାରିବି ନାହିଁ । ଅଧିନାୟକ ଦାୟିତ୍ୱ ବହୁ ବଡ଼ କଥା । ଏଥିପାଇଁ ବହୁ ପରିଶ୍ରମ କରିଛି । କିନ୍ତୁ ଦୁର୍ଭାଗ୍ୟ, ବେଳେବେଳେ ବଡ଼ ଛବି ଉପରେ ନଜର ଦେବାକୁ ହୁଏ । ମୁଁ ନେତୃତ୍ୱ ନେବା ଠାରୁ କ୍ରିକେଟକୁ ଅଧିକ ଭଲ ପାଏ । ତେଣୁ ଜଣେ ସଦସ୍ୟ ଭାବରେ ଭାରତୀୟ କ୍ରିକେଟ ପ୍ରତି ମୋର ଅବଦାନ ରଖିବାକୁ ଚାହେଁ ।’
ବୁମରାଙ୍କୁ ଏବେ ୩୧ ବର୍ଷ ବୟସ । ଗତ ୯ ବର୍ଷ ହେଲା ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳି ଆସୁଛନ୍ତି । ଚମତ୍କାର ପ୍ରଦର୍ଶନ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏକ ପୋଡକାଷ୍ଟ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ କହିଥିଲେ, ‘କ୍ରିକେଟକୁ ମୁଁ ବହୁତ ଭଲ ପାଏ । ମୋ ଶରୀର ଯେତେଦିନ ପର୍ଯ୍ୟନ୍ତ ଅନୁମତି ଦେବ ସେତେ ଦିନ ଖେଳ ଜାରି ରଖିବି ।’
ଗତ ଅଷ୍ଟ୍ରେଲିଆ ଗସ୍ତରେ ବୁମରା ସିରିଜରେ ୩୨ଟି ୱିକେଟ୍ ହାସଲ କରିଥିଲେ । ଭାରତ ୧-୩ରେ ସିରିଜ ହାତଛଡ଼ା କରିଥିଲା । ଏହାପରେ ସେ ଆହତ ହୋଇଥିଲେ । ସୁସ୍ଥ ହେବାକୁ ତାଙ୍କୁ ୨ ମାସ ସମୟ ଲାଗିଥିଲା । ସୁସ୍ଥ ହୋଇ ସେ ଆଇପିଏଲ୍ ଖେଳିଥିଲେ । ୪୫ ଟେଷ୍ଟ ଖେଳି ବୁମରା ଏପର୍ଯ୍ୟନ୍ତ ୨୦୫ଟି ୱିକେଟ୍ ହାସଲ କରିବାରେ ସଫଳ ହୋଇଛନ୍ତି । ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ କୋଚ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ବୁମରା ୩ଟି ମ୍ୟାଚ୍ ଖେଳିବେ । ତେବେ ସେ କେଉଁ ମ୍ୟାଚ ଗୁଡ଼ିକ ଖେଳିବେ ତାହା ନିର୍ଦ୍ଧାରିତ ହୋଇ ନାହିଁ ।’ ପୂର୍ବରୁ ପ୍ରକାଶିତ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବୁମରା ସଂପୂର୍ଣ୍ଣ ଫିଟ୍ ନାହାନ୍ତି । ଡାକ୍ତର ଏବଂ ଫିଜିଓଙ୍କ ପରାମର୍ଶ କ୍ରମେ ସେ ପୂରା ସିରିଜ ଖେଳି ପାରିବେ ନାହିଁ । ଅଧିକ କାର୍ଯ୍ୟଭାର ବଢ଼ିଲେ ବୁମରା ପୁଣି ଥରେ ଆହତ ହେବାର ସମ୍ଭାବନା ରହିଛି । ତେଣୁ ସେ ସିରିଜରେ ୩ରୁ ୪ଟି ମ୍ୟାଚ ଖେଳି ପାରିବେ ।’