ଦୁବାଇ,୨୩/୦୧: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତା ତାଲିକାରେ ଭାରତର ଯଶପ୍ରୀତ ବୁମରା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ବ୍ୟାଟିଂ ବିଭାଗରେ ପ୍ରଥମ ୭ଟି ସ୍ଥାନ ଅପରିବର୍ତ୍ତିତ ରହିଛି । ଭାରତର ଯଶସ୍ୱୀ ଜୈସ୍ୱାଲ୍‌ ପୂର୍ବଭଳି ଚତୁର୍ଥ ସ୍ଥାନରେ ରହିଛନ୍ତି । 

ବୁମରା ମୋଟ୍‌ ୯୦୮ ପଏଣ୍ଟ ହାସଲ କରିଥିବାରୁ ଅନ୍ୟ  କେହି ତାଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି । ୮୪୧ ପଏଣ୍ଟ  ସହ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଉଭୟଙ୍କ ମଧ୍ୟରେ ୬୭ ପଏଣ୍ଟର ବ୍ୟବଧାନ ରହିଛି । ସେହିପରି  ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୮୩୭ ପଏଣ୍ଟ ସହ  ତୃତୀୟ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ୧୦ରେ ପାକିସ୍ତାନର  ନୋମାନ ଅଲି ପ୍ରଥମ କରି ସ୍ଥାନ ହାସଲ କରିଛନ୍ତି । ସେ  ନବମ ସ୍ଥାନ ଦଖଲ କରିଛନ୍ତି । ଫଳରେ ଏହି ସ୍ଥାନରେ ଥିବା  ରବିନ୍ଦ୍ର ଜାଡ଼େଜା ଦଶମକୁ ଖସିଛନ୍ତି ।  

ବ୍ୟାଟିଂ ବିଭାଗରେ ପାକିସ୍ତାନର ସାଉଦ ସକିଲଙ୍କ  ମାନ୍ୟତାରେ ୩ଟି ସ୍ଥାନ ଉନ୍ନତି ହୋଇଛି ଓ ସେ ଅଷ୍ଟମ ସ୍ଥାନ  ଦଖଲ କରିଛନ୍ତି । ଫଳରେ ଷ୍ଟିଭେନ ସ୍ମିଥ୍‌ ନବମ ଓ ରିଷଭ  ପନ୍ତ ଦଶକକୁ ଖସିଛନ୍ତି । ଗତ ସପ୍ତାହରେ ପନ୍ତ ନବମ ସ୍ଥାନରେ  ରହିଥିଲେ । 

ସୂଚନାଯୋଗ୍ୟ, ଭାରତ ଆସନ୍ତା ଜୁନ୍‌/ଜୁଲାଇରେ  ଟେଷ୍ଟ ଖେଳିବ । ଅନ୍ୟ କେବଳ ପାକିସ୍ତାନ-ୱେଷ୍ଟ ଇଣ୍ଡିଜ୍‌ ଓ  ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମଧ୍ୟରେ ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ରହିଛି ।