ଭୁବନେଶ୍ୱର,୧୪/୧୨:  ଯାତ୍ରା ଅଭିନେତ୍ରୀ ସୋନାଲି  ପଣ୍ଡାଙ୍କ ଅଭିଯୋଗ କ୍ରମେ ପୁରୀ  କୃଷ୍ଣପ୍ରସାଦ ଥାନା ପୁଲିସ୍‌ ଭୁବନେଶ୍ୱରରୁ ତାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର  ସାମନ୍ତସିଂହାରଙ୍କୁ ଗିରଫ କରିଛି ।  ସୋନାଲି ଓ ତାଙ୍କ ସ୍ୱାମୀଙ୍କ ବିବାଦ  ଅନେକ ପୁରୁଣା । ସୋନାଲି ୨ ମାସ  ପୂର୍ବରୁ ଥାନାରେ ତାଙ୍କ ସ୍ୱାମୀଙ୍କ ନାଁରେ  ଲିଖିତ ଅଭିଯୋଗ କରିଥିଲେ । ସେ  ଯେତେବେଳେ ନାବାଳିକା ଥିଲେ  ଶ୍ରୀକ୍ଷେତ୍ର ତାଙ୍କୁ ଜୋର ଜବରଦସ୍ତ  ବିବାହ କରିଥିଲେ । ବିବାହ ପାଇଁ  ସୋନାଲିଙ୍କ ଆଦୌ ଇଚ୍ଛା ନଥିଲା ।  

ଅଭିଯୋଗକ୍ରମେ ପୁଲିସ୍‌ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସୋନାଲି  ଓ ଶ୍ରୀକ୍ଷେତ୍ରଙ୍କ ପରିବାର ଲୋକ  ଏବଂ ସମ୍ପର୍କୀୟଙ୍କୁ ଥାନାକୁ ଡାକି  ପଚରାଉଚରା କରିଥିଲା । ଶ୍ରୀକ୍ଷେତ୍ର ପୂର୍ବରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ  ରହୁଥିଲେ । କିନ୍ତୁ ସୋନାଲିଙ୍କ  ଏତଲା ସମ୍ପର୍କରେ ଜାଣିବା ପରେ  କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇ  ଯାଇଥିଲେ । ପୁଲିସ ଆଜି ତାଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଉଠାଇ  ନେଇଥିଲା ।